ଓଡ଼ିଶାଲାଇଭ୍ ବ୍ୟୁରୋ

ପିଆଇବି ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଛତିଶଗଡ଼ ଗସ୍ତ କରିଛନ୍ତି। ରବିବାର ଏହି ପ୍ରତିନିଧି ଦଳ ଗସ୍ତର ପ୍ରଥମ ଦିନରେ ନୱାରାୟପୁର ସ୍ଥିତ ସହିଦ ବୀର ନାରାୟଣ ସିଂହ ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ସେମାନେ ଛତିଶଗଡ଼ର ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଜାଣିବାକୁ ସୁଯୋଗ ପାଇଥିଲେ।

ଏହି ସଂଗ୍ରହାଳୟରେ ଥିବା ୧୬ଟି ଗ୍ୟାଲେରୀରେ ସ୍ଥାପିତ ଆଦିବାସୀ ସ୍ଵାଧିନତା ସଂଗ୍ରାମୀଙ୍କ  ପ୍ରତିମୂର୍ତ୍ତି, ଡିଜିଟାଲ ଭାବେ ସାଇତା ରହିଥିବା ସ୍ମୃତିଚିହ୍ନ, ଐତିହାସିକ କାହାଣୀ ଏବଂ ଇଣ୍ଟରଆକ୍ଟିଭ୍‌ ଡିସପ୍ଲେ ଜରିଆରେ ପ୍ରଦର୍ଶିତ ସାହସ ଓ ବଳିଦାନର କାହାଣୀ ପ୍ରଦର୍ଶିତ ହେଉଛି। ଏ ସବୁ ପ୍ରଦର୍ଶନୀରେ ଇଂରେଜ ମାନଙ୍କ ଅତ୍ୟାଚାର ବିରୋଧରେ ଆଦିବାସୀ ସମ୍ପ୍ରଦାୟଙ୍କ ସଂଘର୍ଷ ପ୍ରଦର୍ଶିତ ହୋଇଛି ।

ଏହି ସଂଗ୍ରହାଳୟରେ ଅଷ୍ଟାଦଶ ତଥା ଉନବିଂଶ ଶତାବ୍ଦୀରେ ଛତିଶଗଡ଼ରେ  ହାଲବା କ୍ରାନ୍ତି, ସରଗୁଜା କ୍ରାନ୍ତି, ପାରାଲକୋଟ କ୍ରାନ୍ତି, ଭୋପାଳପଟ୍ଟନମ୍ କ୍ରାନ୍ତି, ମୁରିଆ କ୍ରାନ୍ତି ଏବଂ ଭୂମକାଲ କ୍ରାନ୍ତି ସମେତ ଅନେକ ପ୍ରମୁଖ ଆଦିବାସୀ ଆନ୍ଦୋଳନର ଇତିହାସ ପ୍ରଦର୍ଶିତ ହୋଇଛି। ଛତିଶଗଡ଼ର ଜଣେ ପ୍ରମୁଖ ଆଦିବାସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଶହୀଦ ବୀର ନାରାୟଣ ସିଂହଙ୍କ ଜୀବନୀ ଓ ବଳିଦାନ ମଧ୍ୟ ଏହି ସଂଗ୍ରହାଳୟର ବିଷୟବସ୍ତୁରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି।

ଗଣମାଧ୍ୟମ ପ୍ରତିନିଧି ଦଳ ସଂଗ୍ରହାଳୟ ପରିଦର୍ଶନ କରିବା ସମୟରେ ଝଣ୍ଡା ସତ୍ୟାଗ୍ରହ ଏବଂ ଜଙ୍ଗଲ ସତ୍ୟାଗ୍ରହ ସମେତ ବ୍ୟାପକ ସ୍ୱାଧୀନତା ଆନ୍ଦୋଳନରେ ଆଦିବାସୀ ସମ୍ପ୍ରଦାୟର ଅଂଶଗ୍ରହଣ ବିଷୟରେ ଜାଣିବାକୁ ପାଇଥିଲେ।

ଛତିଶଗଡ଼ର ଆଦିବାସୀ ସମ୍ପ୍ରଦାୟ ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନର ସହକାରୀ ନିର୍ଦ୍ଦେଶକ ଡକ୍ଟର ଅନିଲ୍ ବିରୁଲକର ଏହି ପରିଦର୍ଶନ ସମୟରେ ସାମ୍ବାଦିକମାନଙ୍କୁ ପ୍ରଦର୍ଶିତ ଐତିହାସିକ ଘଟଣାବଳୀ ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଐତିହ୍ୟକୁ ସଂରକ୍ଷଣ କରିବାର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ।

ଏହି ପରିଦର୍ଶନ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପାରମ୍ପାରିକ ଧାରଣା ବାହାରକୁ ଯାଇ ଛତିଶଗଡ଼ର ଆଦିବାସୀ ସଂସ୍କୃତି ଓ ଐତିହ୍ୟ, ସେମାନଙ୍କବିପ୍ଳବର ଇତିହାସ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଗଭୀର ଜ୍ଞାନ ହାସଲ କରିବାର ସୁଯୋଗ ପ୍ରଦାନ କରିଥିଲା।

Tags: #OdishaMediaDeligation #ChhattisgarhTour #TribalFreedomFighters #PIBOdisha

Comment