ଓଡ଼ିଶାଲାଇଭ୍ ବ୍ୟୁରୋ

ମୁକ୍ତେଶ୍ୱର ପ୍ରାଙ୍ଗଣରେ ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ଓଡ଼ିଶାରେ ‘ସେବା ସଂକଳ୍ପ ଅଭିଯାନ–୨୦୨୬’ ଅନ୍ତର୍ଗତ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଗୁରୁବାର ଏହି ଅବସରରେ ରାଜ୍ୟର ୩୦ଟି ଜିଲ୍ଲାରେ ୧ କୋଟିରୁ ଅଧିକ ଦୀପ ପ୍ରଜ୍ୱଳିତ କରାଯାଇଛି।

ଭୁବନେଶ୍ୱରର ଐତିହାସିକ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୧ ହଜାରରୁ ଅଧିକ ଦୀପ ପ୍ରଜ୍ୱଳନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଦୀପ ପ୍ରଜ୍ୱଳନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ, ଏକାମ୍ର ବିଧାୟକ ବାବୁ ସିଂ ଓ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ସମେତ ଅନ୍ୟ ନେତାମାନେ ଯୋଗ ଦେଇଥିଲେ। ହଜାର ହଜାର ମହିଳା ଓ ଯୁବକ-ଯୁବତୀ ଏଥିରେ ସାମିଲ ହୋଇ ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଯୁବବର୍ଗ ଓ ମହିଳାମାନଙ୍କ ସହ ଭାବବିନିମୟ କରିଥିଲେ। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, “ଏହି ପବିତ୍ର ଦୀପର ଶିଖା ମୋଦୀଜୀଙ୍କ ପ୍ରତି ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ହୃଦୟରୁ ନିସୃତ ଆଶୀର୍ବାଦର ପ୍ରତୀକ। ଭାରତ ନିଶ୍ଚୟ ବିଶ୍ୱଗୁରୁ ହେବ, ମୋଦୀଜୀଙ୍କ ସ୍ୱପ୍ନ ସାକାର କରିବାକୁ ଆମେ ନିରନ୍ତର ଉଦ୍ୟମ ଜାରି ରଖିବୁ।”

କାର୍ଯ୍ୟକ୍ରମରେ ଓଡ଼ିଆ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହାସହ ସନ୍ଧ୍ୟା ଆରତି ଓ ଶଙ୍ଖଧ୍ୱନିରେ ମୁକ୍ତେଶ୍ୱର ମନ୍ଦିର ପରିସର ମୁଖରିତ ହୋଇଥିଲା।

ସରକାରଙ୍କ ସୂଚନା ଅନୁଯାୟୀ, ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ରାଜ୍ୟର ପରିବାର, ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଆୟୋଜିତ ହୋଇଛି। ବିଭିନ୍ନ ଦେବାଳୟରେ ସାମୂହିକ ଭାବେ ଦୀପ ପ୍ରଜ୍ୱଳନ ସହ ଝୋଟି ଚିତା ମଧ୍ୟ କରାଯାଇଥିଲା।

ଏହି ଅଭିଯାନରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ସୁଭଦ୍ରା ଯୋଜନାର ହିତାଧିକାରୀ, ସ୍ଥାନୀୟ ଜନସାଧାରଣ ଓ ଜନପ୍ରତିନିଧିମାନେ ସାମିଲ ହୋଇଥିଲେ।

Tags: #SevaSankalpAbhiyan #AshirbadaraDeepa #NarendraModi #MohanCharanMajhi #Odisha

Comment