ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ଅତ୍ୟାଧୁନିକ ଦକ୍ଷତା ବିକାଶ ତାଲିମ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ସେପ୍ଟେମ୍ବର ୩୦ ଶେଷ ତାରିଖ ରହିଛି। ବିଭିନ୍ନ ଶିଳ୍ପ ଉପଯୋଗୀ ତାଲିମ ପାଠ୍ୟକ୍ରମ ପାଇଁ ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଅଧୀନରେ ପରିଚାଳିତ ବିଶ୍ୱ ଦକ୍ଷତା କେନ୍ଦ୍ରର ଭୁବନେଶ୍ୱର କ୍ୟାମ୍ପସରେ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ, ସ୍କୁଲ୍ ଅଫ୍ ସର୍ଭିସେସ୍ ଏବଂ ସ୍କୁଲ୍ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲୋଜି ଅଧୀନରେ ବିଭିନ୍ନ ପାଠ୍ୟକ୍ରମ ପ୍ରଦାନ କରାଯାଉଛି। ସେହିପରି ଚଳିତ ଶିକ୍ଷାବର୍ଷରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସମ୍ବଲପୁର କ୍ୟାମ୍ପସରେ ମଧ୍ୟ ବିଭିନ୍ନ ବିଷୟରେ ପାଠପଢ଼ା ଆରମ୍ଭ ହେବ।

ଭୁବନେଶ୍ୱର ଓ ସମ୍ବଲପୁର କ୍ୟାମ୍ପସରେ ଏକବର୍ଷୀୟ ପାଠ୍ୟକ୍ରମ ଏବଂ ଭୁବନେଶ୍ୱର କ୍ୟାମ୍ପସର ସ୍କୁଲ୍ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲୋଜିରେ ୬ ମାସିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ମେସିନ୍ ଲର୍ଣ୍ଣିଂ ପାଠ୍ୟକ୍ରମ ପ୍ରଦାନ କରାଯାଉଛି।

ଭୁବନେଶ୍ୱରସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ରରେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ବିଭାଗ ଅଧୀନରେ ମେକାନିକାଲ୍ ଆଣ୍ଡ ଇଲେକ୍ଟ୍ରିକାଲ୍ ସର୍ଭିସେସ୍, ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ୍ ଟେକ୍ନୋଲୋଜି, ଏୟାର କଣ୍ଡିସନିଂ ଆଣ୍ଡ ରେଫ୍ରିଜରେସନ, ଭର୍ଟିକାଲ ଟ୍ରାନ୍ସପୋର୍ଟେସନ, ପ୍ରିସିସନ ଇଞ୍ଜିନିୟରିଂ, ଡିଜିଟାଲ୍ ଆନିମେସନ୍ ଏବଂ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ ଭଳି ବିଷୟ ରହିଛି। ଏଥିପାଇଁ ପ୍ରାର୍ଥୀମାନେ ଯେକୌଣସି ସରକାରୀ ବା ଘରୋଇ ଶିଳ୍ପ ତାଲିମ କିମ୍ବା ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ/୩ ବର୍ଷିଆ ଡିପ୍ଲୋମା କରିଥିବା ଆବଶ୍ୟକ।

ସେହିପରି ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ଅତ୍ୟାଧୁନିକ ‘ବ୍ୟୁଟି ଆଣ୍ଡ ୱେଲନେସ୍’ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏଥିପାଇଁ ପ୍ରାର୍ଥୀ ଯୁକ୍ତ ୨ କିମ୍ବା ସଂପୃକ୍ତ ବିଷୟରେ ଆଇଟିଆଇ ଓ କୌଣସି ବିଷୟରେ ଡିପ୍ଲୋମା କରିଥିବା ଆବଶ୍ୟକ।

୬ ମାସିଆ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ମେସିନ୍ ଲର୍ଣ୍ଣିଂ ପାଠ୍ୟକ୍ରମ ପାଇଁ ପ୍ରାର୍ଥୀମାନେ ବି.ଇ./ବି.ଟେକ୍ କିମ୍ବା ଏମ୍.ସି.ଏ. ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।ସେହିପରି ସମ୍ବଲପୁର କ୍ୟାମ୍ପସରେ ବ୍ୟୁଟି ଆଣ୍ଡ ୱେଲନେସ୍, ହସ୍ପିଟାଲିଟି ଆଣ୍ଡ ହୋଟେଲ୍ ଅପରେସନ୍ସ ଏବଂ ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟରେ ଏକବର୍ଷୀୟ କୋର୍ସ ପ୍ରଦାନ କରାଯାଉଛି।

ଚଳିତ ବ୍ୟାଚରୁ ଓଡ଼ିଶା ସହିତ ଅନ୍ୟ ରାଜ୍ୟର ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅନ୍ୟ ରାଜ୍ୟର ପ୍ରାର୍ଥୀମାନଙ୍କ ପାଇଁ ୧୦ ପ୍ରତିଶତ ପର୍ଯ୍ୟନ୍ତ ସିଟ୍ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।

ଚଳିତ ୨୦୨୫–୨୬ ଶିକ୍ଷାବର୍ଷରେ ବିଶ୍ୱ ଦକ୍ଷତା କେନ୍ଦ୍ରର ୯୯ ପ୍ରତିଶତ ନିଯୁକ୍ତି ହାର ରହିଥିବାବେଳେ ୨୯୫ ଜଣ ପ୍ରାର୍ଥୀ ବିଶ୍ୱସ୍ତରୀୟ ନିଯୁକ୍ତି ସୁଯୋଗ ପାଇଥିଲେ। ରାଜ୍ୟ ସରକାରଙ୍କ ସମାବେଶୀ ଓ ସୁଲଭ ଦକ୍ଷତା ବିକାଶ ପ୍ରତିବଦ୍ଧତାର ଅଂଶ ଭାବେ, ଯୋଗ୍ୟ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ବର୍ଗର ପ୍ରାର୍ଥୀମାନେ ଏକବର୍ଷୀୟ ପାଠ୍ୟକ୍ରମ ନିଃଶୁଳ୍କରେ କରିପାରିବେ।

ଆଗ୍ରହୀ ପ୍ରାର୍ଥୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.org ରେ ପ୍ରଥମେ ପଞ୍ଜୀକରଣ କରି ନାମଲେଖା ପାଇଁ ଆବେଦନ କରିପାରିବେ। ନାମଲେଖା ବିଷୟରେ ଅଧିକ ଜାଣିବା ପାଇଁ ପ୍ରାର୍ଥୀମାନେ ୦୬୭୪-୨୫୮୦୦୭୯, ଟୋଲ ଫ୍ରି ନମ୍ବର ୧୮୦୦ ୨୬୬ ୬୦୦୨ କିମ୍ବା admissions@worldskillcenter.org ରେ ଯୋଗାଯୋଗ କରିପାରିବେ।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାଞ୍ଚାର ପାଠ୍ୟକ୍ରମ ସହ ଆବଶ୍ୟକ ଭିତ୍ତିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଏବଂ ବିଶ୍ୱସ୍ତରୀୟ ଯନ୍ତ୍ରପାତି ରହିଛି। ସିଙ୍ଗାପୁରସ୍ଥିତ ‘ଆଇଟିଇ ଏଜୁକେସନ ସର୍ଭିସେସ’ର ବୈଷୟିକ ସହଯୋଗରେ ଏହି କେନ୍ଦ୍ରରେ ଫିନିସିଙ୍ଗ ସ୍କୁଲ ଢାଞ୍ଚାରେ ଯୁବକ ଯୁବତୀମାନଙ୍କୁ ଆବଶ୍ୟକ ଶିକ୍ଷା ଓ ତାଲିମ ଦିଆଯାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପ ଓ ସେବା କ୍ଷେତ୍ର ଲାଗି ପ୍ରସ୍ତୁତ କରାଯାଉଛି।

ଛାତ୍ରଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ମାଗଣାରେ ଦିଆଯାଉଛି। ଶିକ୍ଷା ଓ ତାଲିମ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ କିପରି ଦେଶ ବିଦେଶର ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥିପାଇଁ ‘ପ୍ଲେସମେଣ୍ଟ’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

Tags: #WorldSkillCenter #WSCAdmission2026-27 #SkillDevelopment #OdishaSkillDevelopment #Odisha

Comment