ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଯୁବପିଢ଼ିଙ୍କୁ ସବୁଜ ଶକ୍ତି ଓ ସୌର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦକ୍ଷ କରିବା ପାଇଁ ଭୁବନେଶ୍ୱରସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ରଠାରେ ଏକ ଅକ୍ଷୟ ଶକ୍ତି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଓଡ଼ିଶା ଜଳ ବିଦ୍ୟୁତ ନିଗମର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଣ୍ଠିରୁ ପ୍ରାୟ ୧.୪୮ କୋଟି ଟଙ୍କା ବିନିଯୋଗରେ ଏହା କାର୍ଯ୍ୟକାରୀ ହେବ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଏହି ସହଭାଗିତା ନେଇ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

କୌଶଳ ଭବନରେ ପ୍ରାୟ ୩,୦୦ରେ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ହେବାକୁ ଥିବା ଏହି ଆଧୁନିକ କେନ୍ଦ୍ରରେ ରୂଫଟପ୍, ଫ୍ଲୋଟିଂ ସୋଲାର ଏବଂ ସୋଲାର-ଟ୍ରାକର ଭଳି ବ୍ୟବହାରିକ ଡେମୋନଷ୍ଟ୍ରେସନ ୟୁନିଟ୍ ସହ ପିଏଲସି, ସ୍କାଡା, ଆଇଓଟି, ରିମୋଟ ମନିଟରିଂ ଓ ଏନର୍ଜି ମ୍ୟାନେଜମେଣ୍ଟ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟାରେ ପ୍ରଶିକ୍ଷଣ ଦିଆଯିବ।

ପ୍ରତିବର୍ଷ ପ୍ରାୟ ୩୦୦ ଯୁବକଯୁବତୀଙ୍କୁ ସୋଲାର ଟେକ୍ନିସିଆନ୍, ଅପରେସନ ଓ ମେଣ୍ଟେନାନ୍ସ ଟେକ୍ନିସିଆନ୍, ସାଇଟ୍ ସୁପରଭାଇଜର ଏବଂ ଏନର୍ଜି ଅଡିଟର ଭଳି ଉଚ୍ଚ ଚାହିଦା ଥିବା ପଦବୀ ପାଇଁ ପ୍ରଶିକ୍ଷିତ କରାଯିବ। ଏହି କାର୍ଯ୍ୟକ୍ରମ ସମଗ୍ର ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଉନ୍ମୁକ୍ତ ରହିବା ସହ ମହିଳାମାନଙ୍କ ଭାଗୀଦାରି ବୃଦ୍ଧି ଏବଂ ସ୍ଥାନୀୟ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ।

ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ବିଶ୍ଵ ଦକ୍ଷତା କେନ୍ଦ୍ରର ବ୍ୟାପକ ସମ୍ପ୍ରସାରଣ ଘୋଷଣା କରିଛନ୍ତି। ବିଶ୍ୱସ୍ତରୀୟ ତାଲିମର ସୁଯୋଗ ବୃଦ୍ଧି ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ପୂର୍ବରୁ ଦିଆଯାଉଥିବା ସମ୍ପୂର୍ଣ୍ଣ ପ୍ରାୟୋଜିତ ଛାତ୍ର ସଂଖ୍ୟା ୬୦ ରୁ ୧୦୦କୁ ବୃଦ୍ଧି କରିବା ନେଇ ସେ ଘୋଷଣା କରିଛନ୍ତି। ଏଥିପାଇଁ ଆବଶ୍ୟକ ସହାୟତା ଶକ୍ତି ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ।

ବିଶ୍ଵ ଦକ୍ଷତା କେନ୍ଦ୍ରର ଅକ୍ଷୟ ଶକ୍ତି ଉତ୍କର୍ଷ କେନ୍ଦ୍ର କେନ୍ଦ୍ର ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ସ୍ୱଚ୍ଛ ଶକ୍ତି ଓ ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଏହି ଅବସରରେ କହିଥିଲେ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।  

ଏହି ବୁଝାମଣା ପତ୍ର ସ୍ୱାକ୍ଷର ସମାରୋହରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର, ଓଏଚପିସି ନିର୍ଦ୍ଦେଶକ (ମାନବ ସମ୍ବଳ) ସନ୍ଦୀପ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

Tags: #WorldSkillCenter #OHPC #GreenEnergyCenterofExcellence #RenewableEnergy #SkillDevelopment

Comment