ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨୮ରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଓଡ଼ିଶାରେ ସତର୍କତା ବଢ଼ିଛି। ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଉଥିବା ବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ଏହାସହିତ ଝଡ଼ ପବନ ଏବଂ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବା ଆଶଙ୍କା ରହିଛି।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ‘ଅର୍ଣ୍ଣବ’ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳର ବାପଟଲା ଏବଂ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ବର୍ତ୍ତମାନ ବାତ୍ୟାଟି ବଙ୍ଗୋପସାଗରରେ ବିଶାଖାପାଟଣାଠାରୁ ପ୍ରାୟ ୨୫୨ କିଲୋମିଟର ଦକ୍ଷିଣ-ପୂର୍ବରେ ରହିଥିବାବେଳେ ଏହା ୧୯ କିଲୋମିଟର ବେଗରେ ଆଗକୁ ବଢୁଛି। ବାତ୍ୟାଟି ଅତି ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିବା ଆକଳନ କରାଯାଇଛି।

୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ବାତ୍ୟା ପ୍ରଭାବରେ ମଙ୍ଗଳବାରରୁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। ୨୮ ତାରିଖରେ ଏହିସବୁ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଦକ୍ଷିଣ ଓଡ଼ିଶାର ଉପକୂଳ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଝଡ଼ ପବନ ସହ ବର୍ଷାର ସମ୍ଭାବନା ଥିବାରୁ ପ୍ରଶାସନକୁ ସଜାଗ ରଖାଯାଇଛି। ପାଣିପାଗ ସ୍ଥିତି ଅନୁଯାୟୀ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।

୫ ଜିଲ୍ଲାରେ ସ୍କୁଲ, କଲେଜ ବନ୍ଦ

ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅକ୍ଟୋବର ୨୭ରୁ ୨୯ ତାରିଖରେ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ଏହାସହିତ ଖୋର୍ଦ୍ଧା, ଜଗତସିଂହପୁର, ପୁରୀ ସମେତ ଅନ୍ୟ କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବାନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।

ଉଦ୍ଧାରକାରୀ ଦଳ ମୁତୟନ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୦ଟି ଓଡ୍ରାଫ୍ ଟିମ୍, ୧୭ଟି ଏନଡିଆରଏଫ୍ ଟିମ୍ ଏବଂ ଅଗ୍ନିଶମ ବାହିନୀର ୨୦୦ରୁ ଅଧିକ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି। ବିପଦପ୍ରବଣ ଅଞ୍ଚଳର ଲୋକଙ୍କୁ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା, ରିଲିଫ୍ ସାମଗ୍ରୀ ଯୋଗାଣ ଏବଂ ଜରୁରିକାଳୀନ ସ୍ୱାସ୍ଥ୍ୟସେବା ନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।ଜିଲ୍ଲାସ୍ତରରେ ନିୟନ୍ତ୍ରଣ କକ୍ଷଗୁଡ଼ିକୁ ସକ୍ରିୟ ରଖାଯାଇଛି। ବର୍ଷା ଓ ପବନ ଯୋଗୁଁ ରାସ୍ତା ଅବରୋଧ, ବିଦ୍ୟୁତ୍ ବିଭ୍ରାଟ ଏବଂ ପାନୀୟ ଜଳ ଯୋଗାଣରେ ବାଧା ଉପୁଜିଲେ ତୁରନ୍ତ ପୁନରୁଦ୍ଧାର ପାଇଁ ସମ୍ପୃକ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି। ଚାଷୀମାନଙ୍କୁ ମଧ୍ୟ ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ଟ୍ରେନ୍ ଚଳାଚଳ ପ୍ରଭାବିତ

ବାତ୍ୟା ‘ଅର୍ଣ୍ଣବ’ ପାଇଁ ପ୍ରଭାବିତ ହୋଇଛି ଟ୍ରେନ୍ ସେବା। ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ଏବେ ସୁଦ୍ଧା ୫୦ରୁ ଅଧିକ ଟ୍ରେନ୍ ବାତିଲ ସହ ଅନେକ ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି। ଆଗକୁ ବାତ୍ୟା ଘନୀଭୂତ ହେଲା ଆହୁରି ଟ୍ରେନ୍ ଚଳାଚଳ ବନ୍ଦ ହେବାର ସମ୍ଭାବନା ରହିଛି।

Tags: #CycloneArnab #OdishaWeather #OdishaNews #CycloneAlert #IMD

Comment