ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ ଚିକିତ୍ସାରେ ଆଶାର କିରଣ ଦେଖାଇଛି ପ୍ଲାଜ୍ମା ଥେରାପି। କରୋନା ଚିକିତ୍ସାରେ ପ୍ଲାଜ୍ମା ଥେରାପି କିପରି ସାହାଯ୍ୟ କରୁଛି ସେନେଇ ବିସ୍ତୃତ ଭାବେ କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।
ସାରାବିଶ୍ୱ ଏବେ କରୋନା ମହାମାରୀର ସାମ୍ନା କରୁଥିବା ବେଳେ କୋଭିଡ ଚିକିତ୍ସା କ୍ଷେତ୍ରରେ ପ୍ଲାଜ୍ମା ଥେରାପି ଆଶାର କିରଣ ଦେଖାଇଛି। ଓଡ଼ିଶାରେ ଏହା ଏକ ସଫଳ ଚିକିତ୍ସା ପଦ୍ଧତି ଭାବେ ବିଶ୍ୱାସ ସୃଷ୍ଟି କରିପାରିଛି। ତେଣୁ ଯେଉଁମାନେ କୋଭିଡରୁ ସୁସ୍ଥ ହେଉଛନ୍ତି ସେମାନେ ପ୍ଲାଜ୍ମା ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଅପିଲ୍ କରିଛନ୍ତି।
‘‘କୋଭିଡ ପ୍ରଥମ ଲହରରେ ଓଡ଼ିଶା, ଦିଲ୍ଲୀ, ମହାରାଷ୍ଟ୍ରରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା। ଆମର ପ୍ରଥମ ପ୍ଲାଜ୍ମା ବ୍ୟାଙ୍କ ୨୦୨୦ ଜୁଲାଇ ୧୫ରେ ଏସ୍ସିବି ମେଡିକାଲ କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ତା’ପରେ ପର୍ଯ୍ୟାୟ କ୍ରମେ ରାଜ୍ୟର ୬ଟି ସ୍ଥାନରେ ପ୍ଲାଜ୍ମା ବ୍ୟାଙ୍କ ଖୋଲା ଯାଇଥିଲା। ପ୍ରଥମ ଲହରରେ ଯଥେଷ୍ଟ ପ୍ଲାଜମା ସଂଗ୍ରହ ହୋଇଯାଇଥିବାରୁ ଏସ୍ସିବିକୁ ଛାଡ଼ିଦେଲେ ଅନ୍ୟ ୫ଟି ସ୍ଥାନରେ ପ୍ଲାଜ୍ମା ସଂଗ୍ରହକୁ ବନ୍ଦ କରି ଦିଆଯାଇଥିଲା। ଏବେ ଦ୍ୱିତୀୟ ଲହରରେ ପୁଣି ପ୍ଲାଜମାର ଆବଶ୍ୟକତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ ସମସ୍ତ ପ୍ଲାଜ୍ମା ବ୍ୟାଙ୍କରେ ପ୍ଲାଜ୍ମା ସଂଗ୍ରହ ଆରମ୍ଭ ହୋଇଛି’’, କହିଛନ୍ତି ପ୍ରଦୀପ୍ତ କୁମାର ମହାପାତ୍ର।
ସେ ଆହୁରି ମଧ୍ୟ କହିଛନ୍ତି,‘‘ ଦ୍ୱିତୀୟ ଲହରରେ ସମସ୍ତ ପ୍ଲାଜ୍ମା ବ୍ୟାଙ୍କକୁ ନୂଆ ମେସିନ୍ ମଧ୍ୟ ଯୋଗାଇ ଦିଆଯାଇଛି, ତେଣୁ ଏବେ ପ୍ଲାଜ୍ମା ସଂଗ୍ରହ ବେଳେ ଆଉ କୌଣସି ଯାନ୍ତ୍ରିକ ସମସ୍ୟା ରହିବ ନାହିଁ। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରଥମ ଲହରରେ ଯେତିକି କରୋନା ରୋଗୀଙ୍କୁ ପ୍ଲାଜ୍ମା ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ଲୋକ ପ୍ଲାଜ୍ମା ନେଇ ସୁସ୍ଥ ହୋଇଛନ୍ତି’’।
ପ୍ଲାଜ୍ମା ଦାନକୁ କିଭଳି ପ୍ରୋତ୍ସାହିତ କରୁଛନ୍ତି ସରକାର?
ପ୍ରଥମ ଲହରରେ ପୋଲିସ, ଅଗ୍ନିଶମ କର୍ମଚାରୀମାନେ ପ୍ଲାଜ୍ମା ଦାନ କରିବାକୁ ବହୁତ ସଂଖ୍ୟାରେ ଆଗେଇ ଆସିଥିଲେ। ଏବେ ମଧ୍ୟ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ପ୍ଲାଜ୍ମା ଦେବାକୁ ଇଚ୍ଛୁକ ଅଛନ୍ତି। ସେମାନଙ୍କ ଏହି ପଦକ୍ଷେପ ଅନେକଙ୍କ ଜୀବନ ବଞ୍ଚାଇପାରୁଛି ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର। ତେଣୁ ଅଧିକରୁ ଅଧିକ ଲୋକ କିଭଳି ପ୍ଲାଜ୍ମା ଦେବେ ସେଥିପାଇଁ ରାଜ୍ୟ ସରକାର ଆହ୍ୱାନ ଦେଉଛନ୍ତି।
ରାଜ୍ୟରେ ପ୍ଲାଜ୍ମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଆଣ୍ଡ ଫ୍ୟାମିଲି ଓ୍ୱେଲ ଫେୟାର (ଏସ୍ଆଇଏଚ୍ଏଫ୍ଡବ୍ଲ୍ୟୁ) ଏକ ସ୍ୱତନ୍ତ୍ର ବିଜ୍ଞାପନ କରିଛି। ସେହି ବିଜ୍ଞାପନ ଜରିଆରେ ସବୁ ଲୋକଙ୍କୁ ପ୍ଲାଜ୍ମା ଦାନ କରିବାକୁ ଆହ୍ୱାନ ଦିଆଯାଉଛି। ଏହାସହିତ ଜିଲ୍ଲାପାଳଙ୍କ ଜରିଆରେ ମଧ୍ୟ ଜନସାଧାରଣଙ୍କୁ ଏଥିପାଇଁ ଆହ୍ୱାନ ଦିଆଯାଉଛି।
ପ୍ଲାଜ୍ମା ଦାତାଙ୍କ ଯିବା ଆସିବା ଆଦିର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ଏହାବ୍ୟତୀତ ଜଣେ ପ୍ଲାଜମା ଦାତାଙ୍କର ରହିବା ଓ ତାଙ୍କର ସମସ୍ତ ଟେଷ୍ଟ ପାଇଁ ବନ୍ଦୋବସ୍ତ କରାଯାଉଛି। ସେହିପରି ଅନ୍ୟ ଜିଲ୍ଲାରୁ ଆସିଥିବା ବ୍ୟକ୍ତିଙ୍କୁ ନେବା ଆଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।
ରାଜ୍ୟରେ ପ୍ଲାଜ୍ମାର ଅଭାବ ନାହିଁ
ପ୍ରଥମ ପର୍ଯ୍ୟାୟରେ ସଂଗୃହୀତ ହୋଇଥିବା ପ୍ଲାଜ୍ମା ବ୍ୟବହାର ହେଲା ପରେ ବି ଆହୁରି ୧୪ ଶହ ୟୁନିଟ ପ୍ଲାଜ୍ମା ଥିଲା। ଦ୍ୱିତୀୟ ଲହରରେ ଏବେ ପୁଣିଥରେ ପ୍ଲାଜ୍ମା ସଂଗ୍ରହ ଆରମ୍ଭ ହୋଇଛି। ତେଣୁ ରାଜ୍ୟରେ ପ୍ଲାଜ୍ମାର ଅଭାବ ହେବ ନାହିଁ ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର।
କେଉଁମାନେ ପ୍ଲାଜ୍ମା ଦାନ କରିପାରିବେ?
- ୧୮ରୁ ୬୫ ବର୍ଷ ବୟସ ହୋଇଥିବ।
- ଓଜନ ୫୦ କେଜିରୁ ଅଧିକ ହୋଇଥିବ।
- କୋଭିଡରୁ ସୁସ୍ଥ ହେବାର ୧୪ ଦିନ ହୋଇଥିବ।
- ଯଦି ଟିକା ନେଇଥିବେ, ତାହେଲେ ଦ୍ୱିତୀୟ ଡୋଜ୍ ଟିକା ନେବାର ୨୮ ଦିନ ହୋଇଥିବ।
‘‘କୋଭିଡ ନିୟମ ପାଳନ କରନ୍ତୁ’’
ଦ୍ୱିତୀୟ ଲହର ସଂକ୍ରମଣ ସାରାଦେଶରେ ମାଡ଼ି ଚାଲିଛି। ୨୦୨୦, ୨୫ ସେପ୍ଟେମ୍ବରରେ ପ୍ରଥମ ଲହର ବେଳେ ଓଡ଼ିଶାରେ ଦୈନିକ ସଂକ୍ରମଣ ୪ ହଜାର ପାର୍ କରିଥିଲା। ଏବେ କିନ୍ତୁ ମେ’ ମାସରୁ ଦୈନିକ ସଂକ୍ରମଣ ୧୦ ହଜାର ପାର୍ କରିଛି। ଜାତୀୟ ସ୍ତରରେ ଦୈନିକ ସଂକ୍ରମଣ ୪ ଲକ୍ଷ ପାର୍ କରିଛି। ଆଗକୁ ଆହୁରି ସଂକ୍ରମଣ ବଢ଼ିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଏହାକୁ ଆଖି ଆଗରେ ରଖି ପ୍ରତିଟି ଲୋକ କୋଭିଡ୍କୁ ନେଇ ସଚେତନ ରହିବା ଦରକାର। ସରକାର ଯାହା ଯାହା ଗାଇଡଲାଇନ ଦେଇଛନ୍ତି ତାକୁ ମାନିବା ଦରକାର। ତେଣୁ ସବୁବେଳେ ମାସ୍କ, ପିନ୍ଧନ୍ତୁ, ଶାରୀରିକ ଦୂରତା ରକ୍ଷା କରନ୍ତୁ, ଗହିଳି ସ୍ଥାନକୁ ଯାଆନ୍ତୁ ନାହିଁ, ଲକ୍ଷଣ ଥିଲେ ଟେଷ୍ଟ କରାନ୍ତୁ, ନିଜ ପାଳି ଆସିଲେ ଟିକା ନିଅନ୍ତୁ।
ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ
‘‘ରାଜ୍ୟରେ ଏବେ ୭ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ଅପେକ୍ଷା କରିଛନ୍ତି। ତେଣୁ ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇନାହାନ୍ତି, ସେମାନେ ଅପେକ୍ଷା ଟିକଏ କରନ୍ତୁ। ଯେଉଁମାନଙ୍କର ଦ୍ୱିତୀୟ ଡୋଜ୍ ଟିକା ନେବାର ସମୟ ଆସିଲାଣି ସେମାନଙ୍କୁ ପ୍ରାଥମିକତା ଦେବା। ନହେଲେ ସେମାନେ ଯେଉଁ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ସେମାନଙ୍କୁ ତା’ର ଲାଭ ମିଳିବ ନାହିଁ’’, କହିଛନ୍ତି ପ୍ରଦୀପ୍ତ କୁମାର ମହାପାତ୍ର।
ପଜିଟିଭ୍ ବାହାରିଲେ ଡରନ୍ତୁ ନାହିଁ
କାହାଠାରେ କୋଭିଡର ସାମାନ୍ୟ ଲକ୍ଷଣ ଦେଖାଗଲେ ଡରନ୍ତୁ ନାହିଁ। ହୋମ୍ ଆଇସୋଲେସନରେ ନିଜର ଚିକିତ୍ସା କରନ୍ତୁ। ଏହାସହିତ ନିଜ ଜିଲ୍ଲାର କୋଭିଡ୍ ହେଲ୍ପ ଲାଇନ୍ ସେଣ୍ଟରକୁ ଯୋଗାଯୋଗ କରନ୍ତୁ। ନିଜର ଲକ୍ଷଣ ସମ୍ପର୍କରେ କହି ଫୋନ୍ ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହିପରି ରାପିଡ୍ ରେସପନ୍ସ ଟିମ୍ (ଆର୍ଆର୍ଟି) ଦ୍ୱାରା ଦିଆଯାଉଥିବା ହୋମ୍ ଆଇସୋଲେସନ କିଟ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଦୀପ୍ତ କୁମାର ମହାପାତ୍ର।