ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଜିଲ୍ଲା ଯମନକିରା ଥାନା ପୁକୁଡ଼ା ଗାଁରେ ଶନିବାର ଏକ ଅଘଟଣ ଘଟିଛି। ଏଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବାବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହାସହ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି।
ମୃତକମାନଙ୍କ ନାଁ ଭରତ ରଣା, ବସନ୍ତ ଦେହୁରୀ ଓ ଶ୍ରୀକାନ୍ତ ମୁଣ୍ଡା ହୋଇଥିବା ଜଣାପଡ଼ିଛି। ସେହିପରି ଘଟଣାରେ ଗୁରୁତର ହୋଇଥିବା ସିଦ୍ଧାର୍ଥ ମୁଣ୍ଡାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଶନିବାର ଦିନ ପୁକୁଡ଼ା ଗାଁରେ ଏକ ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳିବା କାମ ଚାଲିଥିଲା। ଏଥିରେ ୪ ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। କିଛି ସମୟ ପରେ ସମସ୍ତେ ଅଣନିଶ୍ୱାସୀ ହୋଇ ଅଚେତ ହୋଇ ପଡ଼ିଥିଲେ।
ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଠାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତ କରାଇବା ସହ ତଦନ୍ତ ଆରମ୍ଭ କରିଥିଲେ।
Tags: # Labours #Death #Suffocation #Sambalpur