ମିନତି ମିଶ୍ର

ବିବାଦୀୟ ମୋଡ଼ ନେଉଛି ଭରତପୁର ଘଟଣା। ମାମଲାକୁ ନେଇ ଦିନକୁ ଦିନ ବଢୁଛି ରାଜନୈତିକ ତୁମ୍ଭିତୋଫାନ। ଘଟଣାକୁ ନେଇ ବିରୋଧୀ ବିଜେଡି-କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏପଟେ ବିଜେପି ବି ବିରୋଧୀଙ୍କ ବିଭିନ୍ନ ସମାଲୋଚନାର ଦୃଢ଼ ଜବାବ ଦେଉଛି।

ବିଚାର ବିଭଗୀୟ ତଦନ୍ତ ନିର୍ଦ୍ଦେଶ

ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସ୍ଥିତି ବିଗୁଡୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ତିନି ଦିନିଆ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ କାଣ୍ଟଛାଣ୍ଟ କରି ରବିବାର କେନ୍ଦୁଝରରୁ ଫେରି ଆସିଥିଲେ। ଏହାପରେ ସେ ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। 

ଅବସରପ୍ରାପ୍ତ ଜଷ୍ଟିସ ଚିତ୍ତରଂଜନ ଦାସ ଘଟଣାର ତଦନ୍ତ କରିବେ ଏବଂ ୨ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।  

୬ ଘଣ୍ଟିଆ ବନ୍ଦ ଆହ୍ୱାନକୁ ପ୍ରତ୍ୟାହାର କଲା ବିଜେଡି

ଭରତପୁର ଥାନା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରୁଥିଲା ବିଜେଡି। ନାୟିକ ତଦନ୍ତ ଦାବିରେ ବିଜେଡି ମଙ୍ଗଳବାର ୬ ଘଣ୍ଟିଆ ବନ୍ଦ ଡାକରା ଆହ୍ୱାନ ଦେଇଥିଲେ। ତେବେ ରାଜ୍ୟ ସରକାର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବିଜେଡି ନିଜ ବନ୍ଦ ଡାକରାକୁ ପ୍ରତ୍ୟାହାର କରିଥିଲା।  

ପୀଡ଼ିତାଙ୍କ ନାଁ ପ୍ରକାଶ ନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭରତପୁର କାଣ୍ଡକୁ ନେଇ ଓଡ଼ିଶା ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ଶୁଣାଣିବେଳେ ଘଟଣା ଦିନ ଭରତପୁର ଥାନାରେ ସିସିଟିଭି କ୍ୟାମେରା ନ ଥିବାରୁ ଉଦବେଗ ପ୍ରକାଶ କରିଥିଲେ ହାଇକୋର୍ଟ। ଏହି ମାମଲାରେ ପୀଡିତାଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ। ଏଥିସହିତ ରାଜ୍ୟର ସମସ୍ତ ଥାନାର ସିସିଟିଭି ଲଗାଇବାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି।

କ’ଣ ଥିଲା ଘଟଣା?

ସେପ୍ଟେମ୍ବର ୧୪ ତାରିଖ ରାତିରେ ଭାରତୀୟ ସେନାର ମେଜର ଏବଂ ତାଙ୍କ ବାନ୍ଧବୀ କାରରେ ଘରକୁ ଫେରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଗାଡ଼ିକୁ ଅଟକାଇ ଦୁର୍ବ୍ୟବହାର କରିଥିଲେ। ଏହାକୁ ନେଇ ମେଜର ଓ ତାଙ୍କ ବାନ୍ଧବୀ ଅଭିଯୋଗ କରିବାକୁ ଭରତପୁର ଥାନାକୁ ଯାଇଥିଲେ। ତେବେ ସେଠାରେ ପୋଲିସ କଥା ଶୁଣିବା ବଦଳରେ ଉଭୟଙ୍କୁ ଦୁର୍ବ୍ୟବହାର ଓ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।

କଥା ସେତିକିରେ ସରି ନଥିଲା। ପୋଲିସ ବିରୋଧରେ ପାଲଟା ମାମଲା ରୁଜୁ କରିଥିଲା। ପୀଡିତା ମହିଳା ଲହୁଲୁହାଣ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ତଳ କୋର୍ଟ ତାଙ୍କ ଜାମିନ ଆବେଦନକୁ ବି ଖାରଜ କରିଦେଇଥିଲେ।

ସନ୍ଦେହରେ ପୋଲିସର ଭୂମିକା

ପୋଲିସ ଆରମ୍ଭରୁ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ପରେ ପୀଡିତାଙ୍କ ପରିବାର ଲୋକେ ଜାମିନ ପାଇଁ ହାଇକୋର୍ଟକୁ ଯିବାପରେ ତାଙ୍କୁ ଜାମିନ ମିଳିଥିଲା। ଏହା ପରେ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ମାମଲାକୁ ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ଜଣଙ୍କୁ ନିଲମ୍ବିତ କରାଯାଇଥିଲା। ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଅନ୍ୟପଟେ ଯେଉଁ ୭ ଜଣ ଦୁର୍ବୃତ୍ତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଅଟକାଇ ହଇରାଣ କରିଥିବା ଅଭିଯୋଗ ହୋଇଥିଲା, ସେମାନଙ୍କୁ ୬ ଦିନ ପରେ ଗିରଫ କରାଯାଇଥିଲା। ହେଲେ ଗିରଫର ମାତ୍ର ୪ ଘଣ୍ଟା ପରେ ଜାମିନରେ ଛାଡି ଦିଆଯାଇଥିଲା।  

ତାତିଲା ରାଜନୀତି

ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଥିଲା। ଘଟଣାର ପ୍ରତିବାଦ କରିବାକୁ ଯାଇ ଯୁବ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। ଏହି ସମୟରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ଏପରିକି ମାମଲାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ସୋସିଆଲ ମିଡିଆ ମୁଖ୍ୟ ସୁପ୍ରିୟା ଶ୍ରୀନେତ୍ର ପ୍ରମୁଖ ବିଜେପିକୁ କଡ଼ା ସମାଲୋଚନା କରିଥିଲେ ।

ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଘଟଣାର କଡ଼ା ନିନ୍ଦା କରିବା ସହ ଏହାର ନ୍ୟାୟିକ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ। ଅନ୍ୟପକ୍ଷେ ଭରତପୁର ଥାନା ଘଟଣାକୁ ନେଇ ରାଜଭବନ ସାମ୍ନାରେ ବିଜେଡି ମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲା। ଏପରିକି ଖୋଦ ବିଜେପିର ସଦସ୍ୟ ଥିବା ପୂର୍ବତନ ସେନା ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ମଧ୍ୟ ଏହାକୁ ନେଇ ଓଡ଼ିଶା ପୋଲିସକୁ ସମାଲୋଚନା କରିଥିଲେ।

ନିଜ ନିଜ ବିଭାଗ ପାଇଁ ମୁହାଁମୁହିଁ ପୋଲିସ ଓ ସେନା

ମାମଲାକୁ ନେଇ ନିଜ ନିଜ ବିଭାଗର ଅଧିକାରୀଙ୍କ ପାଇଁ ସାମ୍ନାକୁ ଆସିଲେ ପୋଲିସ ଓ ସେନା। ସେପ୍ଟେମ୍ବର ୨୧ ତାରିଖ ଭୁବନେଶ୍ୱରର ରିଜର୍ଭ ପଡ଼ିଆଠାରେ ଏକଜୁଟ ହୋଇ ନିଜ ଫୋର୍ସର ମୁଖ୍ୟ (ପୋଲିସ ଡିଜି)ଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ କମିଶନରେଟ ପୁଲିସର ଶତାଧିକ ପୋଲିସ ଅଧିକାରୀ।

ଅନ୍ୟପଟେ ମେଜରଙ୍କୁ ସମର୍ଥନ କରିବାକୁ ଯାଇ ଭାରତୀୟ ସେନା ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ନିଜଆଡ଼ୁ ମାମଲା ରୁଜୁ ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅନୁରୋଧ କରିଥିଲା। ଏହାସହିତ ପୋଲିସ ଡିଜିଙ୍କୁ ମଧ୍ୟ ଚିଠି ଲେଖି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ଭାରତୀୟ ସେନା। ଜାତୀୟ ମହିଳା କମିଶନ ମଧ୍ୟ ଭରତପୁର ଥାନା ମାମଲାକୁ ନେଇ ପୋଲିସ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି। 

Tags: #BharatpurPoliceStationCase #ArmyOfficer #Assault #OdishaPolice #JudicialEnquiry #Politics #Odisha

   

LEAVE A REPLY

Please enter your comment!
Please enter your name here