ନୀଳାମ୍ବର ରଥ
ଦୈନିକ ଇଂଲିଶ ଖବରକାଗଜ ଇକୋନୋମିକ୍ ଟାଇମ୍ସ ପଢିଲାବେଳେ ଗୋଟିଏ ଖବର ଉପରେ ନଜର ଅଟକିଗଲା। ତାହା ହେଉଛି ଆମ ଦେଶରେ କିଭଳି ଫ୍ରିଲାନ୍ସର ବା ମୁକ୍ତବୃତ୍ତ ପେସାଦାରମାନଙ୍କ ସଂଖ୍ୟା ବଢୁଛି। ତା’ ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ। ଜବ୍ ବଜ୍ ନାମକ ଏକ ସଂସ୍ଥା ପକ୍ଷରୁ ନିକଟରେ ୧୨୫୦ ଜଣ ପେସାଦାରଙ୍କ ସାକ୍ଷାତକାର ନିଆଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।
ଏହି ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତି ୧୦ ଜଣ ମୁକ୍ତବୃତ୍ତ ପେସାଦାରଙ୍କ ମଧ୍ୟରେ ୭ ଜଣ ହେଉଛନ୍ତି ମହିଳା। ୧୨୫୦ଟି ସାମ୍ପଲ୍ ବେଶ୍ ଅଧିକ ନୁହେଁ। କିନ୍ତୁ ଏତିକି ସଂଖ୍ୟା ଭିତରୁ ଯେଉଁ ତଥ୍ୟ ଆସୁଛି ତା’ ମଧ୍ୟ ଆଜିର ପରିବର୍ତ୍ତିତ ପୃଥିବୀର ଏକ ଚିତ୍ର ଉପସ୍ଥାପନ କରୁଛି।
ରିପୋର୍ଟ କହୁଛି ଯେ ଦିନକୁ ଦିନ ଏହି ଫ୍ରିଲାନ୍ସରଙ୍କ ଚାହିଦା ବଢୁଛି। ଅନ୍ୟପକ୍ଷରେ ଅନେକ କର୍ମଜୀବି ଦୈନିକ ୮ ଘଣ୍ଟିଆ ଚାକିରି ଅପେକ୍ଷା ମୁକ୍ତ ଭାବରେ ବିଭିନ୍ନ ପେସାଦାର କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ରହିବାକୁ ପସନ୍ଦ କରୁଛନ୍ତି। ଏହା କେବଳ ଭାରତର ଚିତ୍ର ନୁହେଁ, ସମଗ୍ର ପୃଥିବୀରେ ଆଜି ଏ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏ କ୍ଷେତ୍ରରେ ବିକଶିତ ଦେଶଗୁଡ଼ିକ ହୁଏତ ଆଗରେ ରହିବେ।
ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ଆଜି ଯେଉଁ ଯେଉଁ କ୍ଷେତ୍ରରେ ମୁକ୍ତବୃତ୍ତ ପେସାଦାରମାନଙ୍କ ଅଧିକ ନିୟୋଜନ ଦେଖିବାକୁ ମିଳୁଛି, ତା’ ମଧ୍ୟରେ ରହିଛନ୍ତି (ଏକାଧିକ ଚୟନ ସହ) ‘କଣ୍ଟେଣ୍ଟ ରାଇଟର, ଏଡିଟର ଏବଂ ସାମ୍ବାଦିକ’ (୩୫%); ‘ମାର୍କେଟିଂ ଏବଂ ଆଡଭର୍ଟାଇଜିଂ’ (୨୫%); ‘ବିଜ୍ନେସ୍ ଡେଭଲପ୍ମେଣ୍ଟ ଓ କନ୍ସଲଟାଣ୍ଟ’ (୨୦%); ‘ୱେବ୍ ଡେଭଲପର ଓ ଡିଜାଇନର’ (୧୫%); ‘ଟ୍ରାନ୍ସଲେଟର ବା ଅନୁବାଦକ’ (୧୫%); ‘ମାନବ ସମ୍ବଳ ପେସାଦାର’ (୧୦%); ‘ସଫ୍ଟଓୟାର ଡେଭଲପର’ (୧୦%) ଏବଂ ‘ଡାଟାବେସ୍ ମ୍ୟାନେଜ୍ମେଣ୍ଟ ପ୍ରଫେସନାଲ୍’ (୫%)।
ସେହିପରି ପେସାଦାର ବୃତ୍ତିରେ ଅଧିକ ସକ୍ରିୟ କିଏ ବୋଲି ଯଦି ପ୍ରଶ୍ନ ପଚରାଯାଏ, ତେବେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ନାଁ ଆଗରେ ଆସୁଛି। ଏ କ୍ଷେତ୍ରରେ ୩୦ ଭାଗ ପୁରୁଷ ଥିବାବେଳେ ମହିଳାଙ୍କ ସଂଖ୍ୟା ୭୦। ଆମ ଦେଶର ଅର୍ଥନୀତିରେ ମହିଳାଙ୍କ ଯୋଗଦାନ କେତେ ବେଶୀ, ତାହା ସହଜରେ ଏହି ସଂଖ୍ୟାରୁ ବୁଝିହେବ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ଅନେକ ପେସାଦାର ଘରୁ କାମ କରିବାକୁ ପସନ୍ଦ କରୁଛନ୍ତି। ଅର୍ଥାତ୍ ସେମାନଙ୍କ ଅଫିସ୍ ହେଉଛି ନିଜ ଘର। ଅନେକ ପେସାଦାର ତ ଆଜି ନିଜ କାର୍କୁ ଦ୍ୱିତୀୟ ଅଫିସ୍ ଭାବେ ବାଛି ନେଉଛନ୍ତି। ସେହିପରି କୌଣସି କାମ ପାଇଁ କୌଣସି ଗ୍ରାହକଙ୍କ ପାଇଁ ମିଟିଂର ଆବଶ୍ୟକତା ପଡ଼ିଲେ ସମ୍ପୃକ୍ତ ଗ୍ରାହକଙ୍କ ଅଫିସ୍ କିମ୍ବା କୌଣସି ରାସ୍ତାକଡ଼ର କଫିସପ୍କୁ ବାଛିନେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଦିନେ ମୁଖ୍ୟତଃ ତରୁଣ ପିଢିଙ୍କ ଦମ୍ରେ ଚାଲୁଥିବା କଫିସପ୍ଗୁଡ଼ିକରେ ଆଜି ମଧ୍ୟ ବୟସ୍କ ପେସାଦାରମାନଙ୍କ ଭିଡ଼ ଦେଖିଲେ ମନେହେବ କଫି ଗରମ ହେଉ କି ଥଣ୍ଡା କିନ୍ତୁ ପ୍ରଥମ ଟାର୍ଗେଟ୍ ହେଉଛି ବିଜ୍ନେସ୍।
କେଉଁ କାରଣରୁ ପେସାଦାରମାନେ ଚାକିରୀ ନକରି ମୁକ୍ତବୃତ୍ତ କାର୍ଯ୍ୟକୁ ଆପଣେଇ ନେଉଛନ୍ତି? ଏହାର ଉତ୍ତର ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଜବ୍ ବଜ୍ କରିଥିବା ସର୍ଭେ କହୁଛି ଯେ ୩୫ ପ୍ରତିଶତ ପେସାଦାର ନିଜ ପସନ୍ଦର କାମ କରିବା ପାଇଁ ମୁକ୍ତ ବୃତ୍ତିକୁ ଆଦରି ନେଉଛନ୍ତି। ସେହିପରି ଆଜିର ପ୍ରତିଯୋଗିତାମୂଳକ ଦୁନିଆରେ କର୍ମକ୍ଷେତ୍ରରେ ସଫଳତାର ଶୀର୍ଷ ଛୁଇଁବା ପାଇଁ ଏଭଳି ନିଜ ବସ୍ଙ୍କ ଭଳି ସଫଳ ଓ ରୋଜଗାରକ୍ଷମ ହେବା ପାଇଁ ଅନେକ ଲୋକ (୨୫ ପ୍ରତିଶତ) ଫୁଲ୍ ଟାଇମ୍ ଚାକିରି ନକରି ବା ଚାକିରି ଛାଡ଼ି ଫ୍ରିଲାନ୍ସର ଭାବେ କାମ କରିବାକୁ ନିଷ୍ପତ୍ତି ନେଉଛନ୍ତି। ଏହି ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦ ପ୍ରତିଶତ ବ୍ୟକ୍ତି ଅଧିକ ସ୍ୱାଧୀନତା ଓ କାର୍ଯ୍ୟକ୍ଷେତ୍ରରେ ନମନୀୟତା (ଫ୍ଲେକ୍ଜିବିଲିଟି) ପାଇଁ ମୁକ୍ତବୃତ୍ତକୁ ବାଛି ନେଉଥିବା ବେଳେ ୧୫ ପ୍ରତିଶତ ଅଧିକ ରୋଜଗାର ପାଇଁ ଏହି ରାସ୍ତା ଧରୁଛନ୍ତି। ୧୦୦ର ହିସାବ ଦେଖିଲେ ୫ ପ୍ରତିଶତ ଚାକିରି ହରାଇବା ଫଳରେ ପୁଣି ଚାକିରିର ଅନିଶ୍ଚତାକୁ ନଯାଇ ବା ଚାକିରି ନପାଇବା କାରଣରୁ ମୁକ୍ତବୃତ୍ତ ପେସାଦାର ଭାବେ ଜୀବିକା ନିର୍ବାହ କରିବାକୁ ଚାହୁଁଛନ୍ତି।
ଅର୍ଥନୀତିର ଉଦାରୀକରଣ ସହିତ ବିଶ୍ୱ ବଜାରରେ ବିଭିନ୍ନ ପ୍ରକାର ନୂଆ ନୂଆ କାମ ଏବଂ ତା’ ପାଇଁ ବିଭିନ୍ନ ପ୍ରକାର କ୍ଷମତା ବା ସ୍କିଲ୍ର ଆବଶ୍ୟକତା ଆଜି ଚାକିରି ବଜାରରେ ବଡ଼ ଭୂମିକା ଗ୍ରହଣ କରିଛି। ବିଶେଷକରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଏବଂ ବିଭିନ୍ନ ବୃତ୍ତିରେ ଆଇଟିର ପ୍ରଭାବ ମଧ୍ୟ ଚାକିରି ବଜାରକୁ ଏକ ନୂଆ ରୂପ ଦେଇଛି। ଆଜିର ପରିବର୍ତ୍ତିତ ପୃଥିବୀରେ କେବଳ ସାମାଜିକ ସ୍ଥିତି ଏବଂ ଦରମା ଜଣେ ନୂଆପିଢିର ପେସାଦାରଙ୍କ ଏକମାତ୍ର ଲକ୍ଷ୍ୟ ନୁହେଁ। ବେଳେବେଳେ ଏହି ଦୁଇଟି କଥା ଅପେକ୍ଷା ’ପସନ୍ଦର କାମ’ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଲୋକେ ନିଜ ମନ ମୁତାବକ ଏବଂ ସ୍ୱାଧୀନ ଭାବେ କାମ କରିବାକୁ ପସନ୍ଦ କରୁଛନ୍ତି।
ଆପଣ ଭାବୁଛନ୍ତି କି ଯେ ଜଣେ ମୁକ୍ତବୃତ୍ତ ପେସାଦାର ଭାବେ କାମ କରିବା ଗୋଟିଏ ଚାକିରିଆ ଜୀବନଠାରୁ ବେଶ୍ ଭଲ। ଏ ପ୍ରଶ୍ନର ଉତ୍ତରରେ ୨୦ ପ୍ରତିଶତ ଲୋକ ହଁ ମାରିବା ସହିତ କହିଛନ୍ତି ଯେ ସେମାନେ ଆଉ ଜୀବନରେ ଚାକିରି କରିବାକୁ ଚାହାନ୍ତି ନାହିଁ। ଅନ୍ୟପକ୍ଷରେ ୪୦ ପ୍ରତିଶତ ବ୍ୟକ୍ତି ଚାକିରି ଅପେକ୍ଷା ଫ୍ରିଲାନ୍ସର ଜୀବନକୁ ପସନ୍ଦ କରିବା ବେଳେ କହିଛନ୍ତି ଯେ ଯଦି ଭବିଷ୍ୟତରେ ମନ ମୁତାବକ ଚାକିରି ମିଳେ, ତେବେ ତାହା ଆଦରିନେବାରେ କୌଣସି ଅସୁବିଧା ନାହିଁ। ସେହିପରି ୨୫ ପ୍ରତିଶତ କହିଛନ୍ତି ଯେ ଫ୍ରିଲାନ୍ସର ଜୀବନ ଭଲ, କିନ୍ତୁ ଏ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବାକୁ ବେଶ୍ ସମୟ ଲାଗେ ଓ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼େ। ଏହି ବର୍ଗରେ ୧୫ ପ୍ରତିଶତ କିନ୍ତୁ ଚାକିରି ଜୀବନକୁ ନେଇ ବେଶ୍ ସନ୍ତୁଷ୍ଟ। ସେମାନେ ପେସାଦାର ମୁକ୍ତବୃତ୍ତ ଜୀବନର ଅନିଶ୍ଚିତତା ଓ ଢେଉ ଭିତରକୁ ଯିବାକୁ ଚାହାନ୍ତି ନାହିଁ।
ବର୍ତ୍ତମାନ ସାରା ପୃଥିବୀରେ ଗୋଟିଏ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି ଯାହାର ନାଁ ହେଉଛି ଷ୍ଟାର୍ଟଅପ୍। କଲେଜ ପଢୁଆ ହୁଅନ୍ତୁ ବା ବିଭିନ୍ନ କମ୍ପାନିରେ କିଛି ବର୍ଷ କାମ କରି ଅଭିଜ୍ଞତା ହାସଲ କରିଥିବା ପେସାଦାର, ଆଜି ଅନେକ ଚାହୁଁଛନ୍ତି ନିଜର ଆଗ୍ରହ ଓ ଦକ୍ଷତାକୁ ବ୍ୟବହାର କରି କିଛି ନୂଆ କରି ଦେଖାଇବା। ଏହି କ୍ରମରେ ସ୍ୱାଧୀନ ଭାବେ ଶହ ଶହ ଷ୍ଟାର୍ଟଅପ ଅନୁଷ୍ଠାନ ଆମ ଦେଶରେ ମଧ୍ୟ ଗଢିଉଠିଛି। ତେଣୁ ଅନେକ ସମୟରେ ଫ୍ରିଲାନ୍ସ ପ୍ରୋଫେସନାଲ୍ମାନେ ଆନୁଷ୍ଠାନିକ ଭାବେ ହେଉ ବା ନହେଉ ବିଭିନ୍ନ କ୍ଷେତ୍ରରେ ନୂଆ ନୂଆ ସର୍ଭିସ୍ ବା ସଲ୍ୟୁସନ୍ ପ୍ରତିଷ୍ଠା କରି ଉଦ୍ୟୋଗ ବିକାଶ ଦିଗରେ ନୂଆ ରାହା ସୃଷ୍ଟି କରୁଛନ୍ତି।
ମୁକ୍ତବୃତ୍ତ ପେସାଦାରମାନଙ୍କୁ ନେଇ ଏବେ ଆଉ ଗୋଟିଏ କନ୍ସେପ୍ଟ ’ପ୍ରଫେସ୍ନାଲ୍ ପୁଲ୍’ ନଜରକୁ ଆସୁଛି। ଅର୍ଥାତ୍ କୌଣସି କ୍ଷେତ୍ରରେ କାମ ଆସି ପହଞ୍ଚିଲେ ସ୍ୱାଧୀନ ଭାବେ କାମ କରୁଥିବା ଏକାଧିକ ପ୍ରଫେସ୍ନାଲ୍ ଯୋଡ଼ି ହୋଇ ବା ସ୍ୱତନ୍ତ୍ର ଭାବେ କାମ କରି ଲକ୍ଷ୍ୟ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏହାଫଳରେ ଅନେକ ବଡ଼ ବଡ଼ କାମ ଆଉଟ୍ସୋର୍ସିଂ ମଡେଲ୍ରେ ନିର୍ଦ୍ଦିଷ୍ଟ ବଜେଟ୍ ଓ ସମୟସୀମା ମଧ୍ୟରେ ଶେଷ କରିବା ସମ୍ଭବ ହୋଇପାରୁଛି। ଗୋଟିଏ କମ୍ପାନି ସବୁବେଳେ ବିଭିନ୍ନ ଦକ୍ଷତାର ଯଥେଷ୍ଟ ପେସାଦାରଙ୍କୁ ଫୁଲ୍ଟାଇମ୍ ଚାକିରିଆ ଭାବେ ରଖିବା ସମ୍ଭବ ହୋଇନପାରେ। କିନ୍ତୁ ଆଜି ଆବଶ୍ୟକ ବେଳେ ମିଳୁଥିବା ଦକ୍ଷତାସମ୍ପନ୍ନ ତଥା ସ୍ୱାଧୀନଭାବେ କାର୍ଯ୍ୟ କରୁଥିବା ପେସାଦାରମାନଙ୍କ ପାଇଁ ଯେ କୌଣସି ବଡ଼ ଏବଂ ଅସମ୍ଭବ କାମ ସମ୍ଭବ ହୋଇପାରୁଛି।
ଚାକିରି ଜୀବନ ଭଲ ନା ଫ୍ରିଲାନ୍ସର? ଯଦି ଆପଣ ଏହି ଲେଖାଟି ଏ ପର୍ଯ୍ୟନ୍ତ ପଢି ଆସିଛନ୍ତି ତେବେ ଏ ପାରାଗ୍ରାଫ୍ଟି ନିଶ୍ଚିତ ପଢିବା ଦରକାର। ଏ ପ୍ରଶ୍ନର ଉତ୍ତର ହେଉଛି ମୁକ୍ତବୃତ୍ତ ପେସାଦାର ଜୀବନ ଫୁଲର ସଡ଼କ ନୁହେଁ, କାରଣ ଏ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ପାଇଁ ବାସ୍ତବରେ ସମୟ ଓ ସାଧନାର ଆବଶ୍ୟକତା ରହିଛି। ଏବେ ଶୁଣି ନିଅନ୍ତୁ ଜବ୍ ବଜ୍କୁ ସାକ୍ଷାତକାର ଦେଇଥିବା ଲୋକେ ମୁକ୍ତବୃତ୍ତ କ୍ଷେତ୍ରରେ ରହିଥିବା ସମସ୍ୟା ସମ୍ପର୍କରେ କ’ଣ କହିଛନ୍ତି।
୩୦%: ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା
୨୦%: ଠିକଣା ସମୟରେ ପଇସା ମିଳିବା
୨୦%: ଏକାଧିକ କାର୍ଯ୍ୟ ଜାଣିଥିବା ଦରକାର
୧୫%: ଉତ୍ପାଦକତା ବା କାମରେ ସଫଳତାର ସ୍ତର ବଜାୟ ରଖିବା
୧୦%: ଗ୍ରାହକ ଖୋଜିପାଇବା
୫%: କାମ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ଭାରସାମ୍ୟ ରକ୍ଷା କରିବା
ସବୁ ପିଢିର ପେସାଦାରମାନଙ୍କ ପାଇଁ ନିଶ୍ଚିତ ଭାବରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଧନ୍ୟବାଦ ଜବ୍ ବଜ୍। ଧନ୍ୟବାଦ ଇକୋନୋମିକ୍ସ ଟାଇମ୍ସ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍ର ସମ୍ପାଦକ।)