ଭାସ୍କର ପରିଚ୍ଛା
ମେ ୩ ତାରିଖ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ଅବସରରେ କାର୍ଯ୍ୟକ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାଧୀନତା ପ୍ରତି ସୃଷ୍ଟି ହୋଇଥିବା ଆହ୍ୱାନ ସମ୍ପର୍କରେ ଏକ ବିଶେଷ ଚିତ୍ର
Reporters without Borders ପକ୍ଷରୁ ନିକଟରେ 2017 ପ୍ରେସ ସ୍ଵାଧୀନତାର ସୂଚକ ଅଙ୍କ ଜାରି କରାଯାଇଛି। ଏଥିରେ ଭାରତର ସ୍ଥାନ 2016 ତୁଳନାରେ ତିନି ପାହାଚ ଖସି ଆସିଛି। ଏ ବର୍ଷ ବିଶ୍ୱ ସୂଚକରେ ଭାରତର ସ୍ଥାନ 136। ସାମ୍ବାଦିକତା ଓ ସାମ୍ବାଦିକମାନଙ୍କ ପାଇଁ ଏହ ଆଦୌ ଭଲ ଖବର ନୁହଁ। ‘ମୁସ୍କିଲ୍ ପରିସ୍ଥିତି’ ଦେଶର ତାଲିକାରେ ଭାରତ ଆସୁଥିବା କାରଣରୁ ଆମ୍ଭମାନଙ୍କର ଚିନ୍ତା ବଢିବା ସ୍ଵାଭାବିକ। ଭାରତ ପାଖାପାଖି ତାଲିକାରେ ଅଛନ୍ତି ପାକିସ୍ତାନ ଓ ଆଫଗାନିସ୍ତାନ।
ଭାରତରେ ପ୍ରେସ ସ୍ଵାଧୀନତା କ୍ଷେତ୍ରରେ ଯେଉଁ ସବୁ ବାଧାବିଘ୍ନ ରହିଛି ସେ ସମ୍ପର୍କରେ ଆଲୋଚନା କରିବାକୁ ଯାଇ Reporters without Borders ଦୁଇଟି କଥା କହିଛି : ହିନ୍ଦୁ ରାଷ୍ଟ୍ରବାଦରେ ବିଶ୍ୱାସ ରଖୁଥିବା ବ୍ୟକ୍ତି ଓ ଦଳଦ୍ୱାରା ଜାତୀୟ ପ୍ରସଙ୍ଗ ଗୁଡ଼ିକରେ ଦଖଲ ଦେବା ଓ ମୁଖ୍ୟ ଧାରାରେ ଥିବା ମିଡିଆରେ self-censorshipର ଦୃତ ଅଗ୍ରଗତି।
ଏହାଛଡ଼ା କଟ୍ଟର ରାଷ୍ଟ୍ରବାଦୀଙ୍କ ଦ୍ୱାରା ସାମ୍ବାଦିକ ମାନଙ୍କ ଉପରେ ଏବଂ ବିଶେଷକରି ଦୁର୍ନୀତି ବିରୋଧରେ on-line ଲଢ଼ୁଥିବା ବ୍ୟକ୍ତିମାନଙ୍କ ଉପରେ ଆକ୍ରମଣ ଓ ଧମକ ଚମକରେ ବୃଦ୍ଧି।
ଏଠି ଉଲ୍ଲେଖ କରାଯାଇପାରେ ଯେ Reporters without Borders ଏକ ଆନ୍ତର୍ଜାତିକ ଅଣ-ଲାଭକାରୀ ସଂସ୍ଥା ଯାହା ପ୍ରେସ ଅଧିକାର ଓ ସୂଚନା ଅଧିକାର କ୍ଷେତ୍ରରେ କାର୍ଯ୍ୟ କରି ଆସିଛି ଓ ଏହାର ମୁଖ୍ୟ କାର୍ଯ୍ୟାଳୟ ପ୍ୟାରିସରେ ରହିଛି।
ଏଥିରେ ଆଦୌ ସନ୍ଦେହ ନାହିଁ ଯେ ଭାରତରେ ପ୍ରେସ ସ୍ଵାଧୀନତା ଘୋର ସଙ୍କଟ ଦେଇ ଗତି କରୁଛି। ସାମ୍ବାଦିକମାନଙ୍କୁ ସରକାରୀ କଳ ପକ୍ଷରୁ କେବଳ ଅସହଯୋଗ କରାଯାଉଛି ତାହା ନୁହେଁ ଅଧିକନ୍ତୁ ସତ କହିବାର ଫଳସ୍ୱରୂପ ସେମାନଙ୍କୁ ଜୀବନ ବି ଦେବାକୁ ପଡୁଛି। ଦକ୍ଷିଣ ଏସିଆ ଦେଶ ମାନଙ୍କରେ ଗଣମାଧ୍ୟମ ଉପରେ କାମ କରୁଥିବା ସଂସ୍ଥା ‘ହୂଟ୍’ 2016ରେ ବିଶ୍ୱ ପ୍ରେସ ସ୍ଵାଧୀନତା ଦିବସ ଅବସରରେ ଜାରି କରିଥିବା ଏକ ରିପୋର୍ଟରେ କିଛି ଚାଞ୍ଚଲ୍ୟକର ତଥ୍ୟ ସଂଗ୍ରହ କରିଥିଲା।
ରିପୋର୍ଟ ଅନୁସାରେ ଗତ ବର୍ଷ ପ୍ରଥମ ତିନି ମାସ ଭିତରେ ସମଗ୍ର ଦେଶରେ ଦଶ ଜଣ ସାମ୍ବାଦିକଙ୍କ ନାମରେ ମାନହାନି ମୋକଦ୍ଦମା ଠୁଙ୍କି ଦିଆ ଯାଇଛି।
ଆହୁରି ମଧ୍ୟ ଦୁଇଜଣ ସାମ୍ବାଦିକଙ୍କୁ ଓକିଲ ନୋଟିସ ପଠା ଯାଇଥିବା ବେଳେ ଆଉ ଚାରି ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରଯାଇଥିଲା। ଛଅ ଜଣ ସାମ୍ବାଦିକଙ୍କ ବିରୁଦ୍ଧରେ ପୋଲିସ ମିଥ୍ୟା ମୋକଦ୍ଦମା ଚଳାଇ ଥିବା ବେଳେ ଜଣେ ସାମ୍ବାଦିକଙ୍କୁ ପ୍ରାଣ ଦେବାକୁ ପଡ଼ିଥିଲା । ଏଥିସହିତ ଅନେକ ସାମ୍ବାଦିକଙ୍କୁ ଜୀବନରେ ମାରି ଦେବାର ଧମକ ମଧ୍ୟ ଆସିଥିଲା।ମାତ୍ର ଚାରି ମାସର ହିସାବ ଏହା। ଏସବୁ ଘଟଣା ଘଟିବା ପଛରେ କାରଣ ହେଉଛି କ୍ଷମତା ଯେଉଁମାନେ ପାଇଛନ୍ତି ସେମାନେ ଚାହାଁନ୍ତି ନାହିଁ ସାମ୍ବାଦିକମାନେ ସେମାନଙ୍କ କାର୍ଯ୍ୟ କରିଚାଲନ୍ତୁ ଓ ଜନସାଧାରଣଙ୍କୁ ସବୁ ଖବର ଓ ସୂଚନା ଠିକଣା ଢଂଗରେ ଦିଅନ୍ତୁ।
ହୁଏତ ଓଡ଼ିଶାରେ ପ୍ରେସ ସ୍ଵାଧୀନତା ଏତେ ବିପର୍ଯ୍ୟସ୍ତ ନୁହେଁ ଏବଂ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଘଟଣା ଏତେଟା ସଂଗୀନ ନୁହେଁ, କିନ୍ତୁ ଛତିଶଗଡ଼, ଉତ୍ତର ପ୍ରଦେଶ ଓ ତାମିଲନାଡୁରେ ସ୍ଥିତି ଗମ୍ଭୀର। ଏହିସବୁ ରାଜ୍ୟରେ କଥାକଥାକେ ସାମ୍ବାଦିକଙ୍କ ବିରୁଦ୍ଧରେ ମାନହାନି ଏକ ସଧାରଣ ଘଟଣା। ‘ହୂଟ’ ରିପୋର୍ଟ ଅନୁସାରେ ବିଗତ 5 ବର୍ଷ ଭିତରେ ପ୍ରେସ ଅଧିକରୁ ଅଧିକ ଅକ୍ରୋଶର ଶିକାର ହୋଇଛି। ବିଶେଷକରି ଛୋଟ ଛୋଟ ସହରରେ ଓ ଗ୍ରାମାଞ୍ଚଳରେ ରହୁଥିବା ସାମ୍ବାଦିକମାନେ ନିଜର ଦାୟିତ୍ଵ ତୁଲାଇବା ବେଳେ ଭୟ ଓ ଆଶଙ୍କା ଦେଇ ଗତି କରୁଛନ୍ତି।
ସାମ୍ବାଦିକ ମାନେ ଦୁର୍ନୀତିର ପର୍ଦାଫାସ୍ ପାଇଁ ସୂଚନା ଅଧିକାର ଆଇନକୁ ବ୍ୟବହାର କରିବା ଘଟଣାରେ ସରକାରୀ କଳ କ୍ଷୁବ୍ଧ। ଆଉ ଏହି କାରଣରୁ ସାମ୍ବାଦିକମାନଙ୍କ ଉପରେ ସମସ୍ତଙ୍କର ଅଶୁଭ ଦୃଷ୍ଟି।
ପରିତାପର ବିଷୟ ହେଉଛି ଜାତୀୟ ସ୍ତରରେ ଏଭଳି କୌଣସି ପ୍ରେସର ଗ୍ରୁପ ନାହିଁ ଯାହାକି ପ୍ରେସ ସ୍ଵାଧୀନତା ଉଲ୍ଲଙ୍ଘନ ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇ ପାରିବ। Editors Guildର ତ ଏହି ସବୁ ମାମଲାରେ କିଛି ବି କରେ ନାହିଁ।ପ୍ରେସ କାଉନସିଲ ଅବଶ୍ୟ ଏହି ସବୁ ଘଟଣାର ତଦନ୍ତ କରିଥାଏ ତେବେ ଏହାର କୌଣସି ପ୍ରଭାବ ନଥାଏ । ମିଡିଆକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଛି ସତ ହେଲେ ସତ କଥା ହେଉଛି ରାଜନୈତିକ ନେତୃତ୍ୱ ଗଣମାଧ୍ୟମକୁ ସବୁବେଳେ ଦୁର୍ବଳ କରିବାକୁ ଉଦ୍ୟମ କରିଥାଏ।
ବିଗତ କିଛି ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଇଚ୍ଛା ମୁତାବକ ମିଡିଆକୁ ବ୍ୟବହାର କରି ଆସିଛନ୍ତି। ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ମିଡିଆ ହାଉସକୁ ପ୍ରୋତ୍ସାହନ ଦିଆ ଯାଉଛି ତ କିଛି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କୁ ହାତରେ ରଖାଯାଉଛି। କ୍ଷମତାରେ ଥିବା ସରକାର ଏକତରଫା ଭାବରେ ସ୍ଥିର କରିଥାନ୍ତି କେଉଁ ମିଡିଆ ଗ୍ରୁପ ସହିତ ସମ୍ପର୍କ ରଖାଯିବ ଓ କେଉଁ ସାମ୍ବାଦିକଙ୍କୁ ଅଗ୍ରାଧିକାର ଦିଆଯିବ। ଫଳ ଏହା ହୋଇଛି ଯେ ଆଜି ଭାରତର ଗଣ ମାଧ୍ୟମର ଏକ ଗୋଷ୍ଠୀ ସରକାରଙ୍କ ଭାଷାରେ କଥା କହିବା ନିଜ କର୍ତ୍ତବ୍ୟ ବୋଲି ଧରି ନେଇଛନ୍ତି। ଖାସ ଏହି କାରଣରୁ ଉତ୍ତରଦାୟିତ୍ୱର ଖାତିରିରେ ନିଜ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡୁଛି।
ଆହୁରି ମଧ୍ୟ ରାଜନୈତିକ ଶକ୍ତିର କବଳରେ ଆସି ଧାର୍ମିକ ନେତାମାନେ ମଧ୍ୟ ଗଣମାଧ୍ୟମକୁ ହାତବାରିସି କରିବାକୁ ଚାହୁଁଛନ୍ତି। ଆଉ ଏକ ବାସ୍ତବତା ହେଉଛି ମାଫିଆ ବିଲଡର ଓ ଧର୍ମଗୁରୁ ସାମ୍ବାଦିକମାନଙ୍କୁ ଆଖି ଦେଖାଉଛନ୍ତି। ସାମ୍ବାଦିକ ଓ ସାମ୍ବାଦିକତା ପ୍ରତି ଯେଉଁ ବିପଦ ଏବେ ସୃଷ୍ଟି ହୋଇଛି ତାହାର ସମାଧାନ ନହେଲେ ଗଣତନ୍ତ୍ର ବିପର୍ଯ୍ୟୟରେ ପଡ଼ିବା ସୁନିଶ୍ଚିତ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡିଶା ଲାଇଭର ପରାମର୍ଶଦାତା ସମ୍ପାଦକ)