ପ୍ରାଚୀତାରା
ଇଂରେଜମାନଙ୍କ କବଳରୁ ନିଜକୁ ମୁକ୍ତ କରି ଭାରତ ସ୍ୱାଧୀନତା ହାସଲ କରିବାର ସାତଟି ଦଶନ୍ଧି ପୂରିଯାଇଛି। ପ୍ରତିବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ପୁନରାବୃତ୍ତି କରନ୍ତି ରାଜନେତା। ଏହି ଦିନର ତାତ୍ପର୍ଯ୍ୟ ପିଲାମାନଙ୍କ ମଧ୍ୟରେ ଯେ କାଣିଚାଏ ବି ନାହିଁ, ତାହା ଆମେ ସମସ୍ତେ ହୃଦୟଙ୍ଗମ କରୁଛୁ। ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଲାଗିଯାଏ ବଡ଼ ବଡ଼ ମଲ୍ମାନଙ୍କରେ ବିଭିନ୍ନ ଧରଣର ସେଲ୍, ଯାହାକି ସ୍ୱାଧୀନତା ଦିବସର ଆଧୁନିକୀକରଣ କହିଲେ ଅତ୍ୟୁକ୍ତି ହେବ ନାହିଁ।
ପିଲାମାନଙ୍କ ମନରେ ଜାତୀୟତା ଭାବ ତଥା ଦେଶପ୍ରୀତିର ଯେଉଁ ଅଭାବ ପରିଲକ୍ଷିତ ହେଉଛି, ସେଥିପାଇଁ ବଦଳୁଥିବା ସମାଜ ଓ ଶିକ୍ଷା ବ୍ୟବସ୍ଥା ହିଁ ଦାୟୀ। ସ୍ୱାଧୀନତା ସଂଗ୍ରାମର ସଙ୍ଗୀତର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବଙ୍କିମଚନ୍ଦ୍ରଙ୍କ ‘ବନ୍ଦେ ମାତରମ୍’ ହେଉ ଅଥବା ମହମ୍ମଦ ଇକ୍ବଲଙ୍କ ‘ସାରେ ଜହାଁ ସେ ଅଚ୍ଛା’, ସବୁର ସ୍ୱର ଓ ଶବ୍ଦ ସଂଯୋଜନା ଧମନୀରେ ଦେଶପ୍ରେମବୋଧକୁ ସ୍ୱତଃ ଜାଗ୍ରତ କରାଏ।
ଦିନ ଥିଲା ସ୍କୁଲମାନଙ୍କରେ ଦେଶାତ୍ମବୋଧକ ଗୀତଗୁଡ଼ିକ ବୋଲାଯାଉଥିଲା। ଏହି ଅବସରରେ କେବଳ କନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ନୁହେଁ, ବରଂ ଅନ୍ୟାନ୍ୟ ଭାଷାର ଦେଶାତ୍ମବୋଧକ ଗୀତ ଗାଇବାର ତଥା ଶୁଣିବାର ସୁଯୋଗ ଉପଲବ୍ଧ ହେଉଥିଲା। ସ୍କୁଲ୍ ପିଲାମାନେ କେବଳ ଜାତୀୟ ସଙ୍ଗୀତ ନୁହେଁ, ବରଂ ପ୍ରତ୍ୟେକ ରାଜ୍ୟର ଦେଶାତ୍ମବୋଧ ଭାବର ଗୀତ ମଧ୍ୟ ଶିଖି ଗାଉଥିଲେ। ଏପରିକି ଜାତୀୟ ସଙ୍ଗୀତ ବୋଲିବା ପ୍ରତିଯୋଗିତା ମଧ୍ୟ ହେଉଥିଲା, ଯାହାସ୍ୱାରା ପିଲାମାନେ ଏହାର ସଠିକ୍ ଉଚ୍ଚାରଣ, ସ୍ୱର ଓ ସମୟସୀମା (୫୨ ସେକେଣ୍ଡ) ବିଷୟରେ ଅବଗତ ହେଉଥିଲେ।
ଆମ ଦେଶର ମହାନତା ବିଷୟରେ ବର୍ଣ୍ଣନା କରାଯାଇ ଯେଉଁସବୁ ଗୀତ ଲେଖାଯାଇଛି, ପିଲାବେଳେ ସେସବୁ ଗୀତ ଆମ ସମସ୍ତଙ୍କୁ ସମୟ ସମୟରେ ଉଦ୍ବୁଦ୍ଧ କରିଛି। ‘ହିନ୍ଦ୍ ଦେଶକେ ନିବାସୀ ସଭି ଜନ୍ ଏକ ହେଁ’, ‘ଜୟ ଜନ ଭାରତ ଜନ ମନ ଅଭିମତ’,‘ସର୍ବେଷାଂ ନୋ ଜନନୀ ଭାରତ’, ‘ଧନଧାନ୍ୟେ ପୁଷ୍ପେ ଭରା’ ଭାରତର ମହାନ୍ କବିମାନେ ଲେଖିଥିବା ଏହିସବୁ ଗୀତ ବୋଧହୁଏ ପିଲାମାନେ ଆଉ ଜାଣିବାର ସୁଯୋଗ ପାଇବେ ନାହିଁ।
“ସରକାରୀ ବିଦ୍ୟାଳୟରେ ପ୍ରତିଦିନ ସକାଳ ପ୍ରାର୍ଥନା ପରେ ଜାତୀୟ ସଙ୍ଗୀତ ବୋଲାହୁଏ। ଏହାଛଡ଼ା ବନ୍ଦେ ଉତ୍କଳ ଜନନୀ ମଧ୍ୟ ବୋଲାହୁଏ। ଅନ୍ୟସବୁ ଗୀତଗୁଡ଼ିକ ବୋଲାହେବାର କୌଣସି ସମୟ ମଧ୍ୟ ନାହିଁ”, କହିଛନ୍ତି ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲର ପ୍ରଧାନଶିକ୍ଷକ ସୋନାମିକା ରାୟ।
ପିଲାମାନେ ଦେଶପ୍ରୀତି ଭାବ ଅନୁଭବ କରିବାର ଆଉ କୌଣସି ମାଧ୍ୟମ ବି ନାହିଁ। ଘରେ ଘରେ ଶହ ଶହ ଚ୍ୟାନେଲ୍ ଆମକୁ ଆକ୍ରାନ୍ତ କରୁଥିବା ବେଳେ ଗୋଟିଏ ବି ଚ୍ୟାନେଲ୍ ଏହି ଗୀତଗୁଡ଼ିକର ପୁନରାବୃତ୍ତି କରିବାର ଦେଖାଯାଉନାହିଁ।
Tags: Independence Day, Sonamika Ray, Prachitara, Patriotic Songs, Independence, Freedom Fighters