ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୁବରାଜ ରାହୁଲଙ୍କର ରାଜ୍ୟାଭିଷେକ ହେବ। ଅର୍ଥାତ୍ ଖୁବଶୀଘ୍ର ଭାରତୀୟ ଜାତୀୟ କଂଗ୍ରେସର ଉପ-ସଭାପତି ରାହୁଲ ଗାନ୍ଧି ନୂଆ ସଭାପତି ହୋଇପାରନ୍ତି। ଦୀପାବଳି ପରେ କଂଗ୍ରେସର ନୂଆ ମୁଖିଆ ଭାବେ ରାହୁଲ ଏହି ଦାୟିତ୍ଵ ନେବେ ବୋଲି କହିଛନ୍ତି ରାହୁଲଙ୍କ ଏକାନ୍ତ ଅନୁଗତ ସହଯୋଗୀ ତଥା କଂଗ୍ରେସ ସାଂସଦ ସଚିନ ପାଇଲଟ।
ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସଚିନ କହିଛନ୍ତି, “କଂଗ୍ରେସ କର୍ମୀ ଚାହୁଁଛନ୍ତି, ଖୁବଶୀଘ୍ର ରାହୁଲ ସଭାପତି ଭାବେ ଦଳକୁ ସମ୍ମୁଖ ଭାଗରୁ ନେତୃତ୍ଵ ଦିଅନ୍ତୁ।”
ସେ କହିଛନ୍ତି, “କଂଗ୍ରେସର ସାଂଗଠନିକ ନିର୍ବାଚନ ଚାଲିଛି, ଦୀପାବଳି ପରେ ପରେ ନୂଆ ସଭାପତି ଦଳର ଦାୟିତ୍ଵ ନେବେ।“ ଅକ୍ଟୋବରରେ ରାହୁଲ, କଂଗ୍ରେସର ମଙ୍ଗ ଧରିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ସଚିନ ପାଇଲଟଙ୍କ ମନ୍ତବ୍ୟ ଏହାକୁ ଦୃଢ କରିଛି।
ନିକଟରେ ଆମେରିକା ଗସ୍ତରେ ଥିବା ବେଳେ ରାହୁଲ ଗାନ୍ଧି ଦଳର ମୁଖ୍ୟ ଭାବେ ଦାୟିତ୍ଵ ନେବା ପାଇଁ ଇଚ୍ଛାପ୍ରକାଶ କରିଥିଲେ। ଏପରିକି ୨୦୧୯ ନିର୍ବାଚନରେ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ବୋଲି ସେ କହିଥିଲେ।
କଂଗ୍ରେସରେ ବଂଶବାଦ ରାଜନୀତି ଚାଲିଥିବା ନେଇ ଏକ ପ୍ରଶ୍ନର ଉତ୍ତର ଦେଇ ଆମେରିକାରେ ରାହୁଲ କହିଥିଲେ, “କେବଳ ରାଜନୀତିରେ ବଂଶବାଦ ନୁହେଁ, ଭାରତରେ ବିଭିନ୍ନ କ୍ଷେତ୍ରରେ ବଂଶବାଦ ରହିଛି।”
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ, ଶିଳ୍ପପତି ଧୀରୁଭାଇ ଅମ୍ବାନୀଙ୍କ ପୁଅ ମୁକେଶ ଅମ୍ବାନୀ ଏବଂ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପୁଅ ଅଖିଳେଶ ଯାଦବଙ୍କ ଉଦାହରଣ ଦେଇଥିଲେ ରାହୁଲ ଗାନ୍ଧି।
ତେବେ ସାଂସଦ ସଚିନ ପାଇଲଟ୍ କହିଛନ୍ତି, “ବଂଶବାଦ ଆଧାରରେ ନୁହେଁ, ଯୋଗ୍ୟତା ଆଧାରରେ ରାହୁଲ କଂଗ୍ରେସର ମୁଖ୍ୟ ଭାବେ ଦାୟିତ୍ଵ ନେବାକୁ ଯାଉଛନ୍ତି।”
ସେ କହିଛନ୍ତି, “ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ଜଣଙ୍କୁ ରାଜନୀତି କରିବା ପାଇଁ ଅଯୋଗ୍ୟ ଘୋଷଣା କରିପାରବନି। ଯଦି ସେ ଯୋଗ୍ୟ, ଲୋକଙ୍କ ଭରସା ଓ ବିଶ୍ୱାସ ଜିତିବାକୁ ସକ୍ଷମ, ତେବେ ​‌କେଉଁ ପରିବାରୁ ଆସିଛି, ତାହା ଆଦୌ ଗୁରୁତ୍ଵ ରଖେନାହିଁ। ଯେଉଁ ବିଜେପି ନେତା କଂଗେସରେ ବଂଶବାଦର ଅଭିଯୋଗ ଆଣୁଛନ୍ତି, ସେମାନେ ମଧ୍ୟ ଆତ୍ମନିରୀକ୍ଷଣ କରିବା ଉଚିତ। ବିଜେପିରେ ମଧ୍ୟ ରାଜନୈତିକ ପରିବାରବାଦ ରହିଛି।”
ସେହିପରି ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସର ଗୁରୁତ୍ଵପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ଵ ନେବା ଲାଗି ଆହ୍ୱାନ ଦେଇଛନ୍ତି ସଚିନ ପାଇଲଟ୍। ତେବେ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତି ଉପରେ ନିର୍ଭର କରେ ବୋଲି କହିଛନ୍ତି ସଚିନ।
କଂଗ୍ରେସ ଦଳର ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଏବେ ଜୋରଦାର ଚର୍ଚ୍ଚା ହେଉଛି। ତାହା ହେଉଛି, ରାହୁଲ ସଭାପତି ହେଲେ ବି କଂଗ୍ରେସ ଅଧ୍ୟକ୍ଷା ପଦରେ ରହିବେ ସୋନିଆ ଗାନ୍ଧି। ତେବେ ସେ କେବଳ ବିରୋଧୀ ଦଳକୁ ଏକାଠି କରିବା ନେଇ କାର୍ଯ୍ୟ କରିବେ। ବୟସ ଦୃଷ୍ଟିରୁ ଏହି ଦାୟିତ୍ଵ ସେ ନିଜ ହାତରେ ରଖିବାକୁ ସ୍ଥିର କରିଛନ୍ତି। ୨୦୧୯ ନିର୍ବାଚନରେ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଦଳକୁ ଏକାଠି କରିବା ଜରୁରି ବୋଲି କଂଗ୍ରେସ ଅନୁଭବ କରୁଛି।
ସେପଟେ ରାହୁଲ ଗାନ୍ଧି ଦଳର ସଭାପତି ହେଲେ, ସେ ସମସ୍ତ ଦଳୀୟ ନିଷ୍ପତି ନେବେ। ସେଥିରେ ସୋନିଆ ଗାନ୍ଧି ବା ଅନ୍ୟ କେହି ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ଥିର କରାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here