ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ‘ଜନ ସମ୍ପର୍କ ପଦଯାତ୍ରା’ରେ ନାଁ ନନେଇ ବର୍ଷିଲେ ବିଜେଡି ସୁପ୍ରିମୋ
  • ସଂଘୀୟ ବ୍ୟବସ୍ଥାକୁ ଛାରଖାର କରୁଛନ୍ତି ଜାତୀୟ ଦଳ
  • ନବୀନଙ୍କ ପରେ ସିଧାସଳଖ ବିଜେପିକୁ ଟାର୍ଗେଟ କଲେ ପ୍ରସନ୍ନ ଆଚାର୍ଯ୍ୟ
  • ବିଜେପି ଦେଲା କାଉଣ୍ଟର ଜବାବ
ବିଗତ କିଛିଦିନ ଧରି ବିଜେପିର ଟାର୍ଗେଟରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାଲଟା ଜବାବ ଦେଇଛନ୍ତି। ଓଡ଼ିଶାର ଦାରିଦ୍ର୍ୟ ଓ ଏହାର ସ୍ୱାର୍ଥକୁ ଜାତୀୟ ଦଳଗୁଡ଼ିକ କ୍ରମାଗତ ଭାବରେ ଅବହେଳିତ କରି ଆସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଋବିବାର ମଧ୍ୟାହ୍ନରେ ଭୁବନେଶ୍ୱର ସାଲିଆସାହିସ୍ଥିତ ବାଜପେୟୀ ନଗରରେ ‘ଜନ ସମ୍ପର୍କ ପଦଯାତ୍ରା’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଜାତୀୟ ଦଳ ଗୁଡ଼ିକ ସଂଘୀୟ ବ୍ୟବସ୍ଥାକୁ ଛାରଖାର କରିବା ପାଇଁ ଲାଗିପଡ଼ିଛନ୍ତି। ଏହି ଦଳମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ନିଜର ସ୍ୱାର୍ଥ ସାଧନ। ମୁଖ୍ୟମନ୍ତ୍ରୀ ଅବଶ୍ୟ ବିଜେପିର ନାଁ ନେଇ ନଥିଲେ, କିନ୍ତୁ ତାଙ୍କର କଟାକ୍ଷ ବିଜେପି ପାଇଁ ହିଁ ଉଦ୍ଦିଷ୍ଟ ଥିଲା।
ମିଥ୍ୟା ପ୍ରତିଶ୍ରୁତି ଓ ମିଛ କଥା କହି ଜାତୀୟ ଦଳମାନେ ଓଡ଼ିଶାର ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, “ଏହି ଦଳମାନେ ମିଛ ବିକାଶର ଚିତ୍ର ଦେଖାଇ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛନ୍ତି। ଏହିଭଳି ଦଳକୁ ଓଡ଼ିଶାର ଲୋକେ କେବେ ଗ୍ରହଣ କରି ନାହାନ୍ତି ଓ ଭବିଷ୍ୟତରେ ମଧ୍ୟ ଗ୍ରହଣ କରିବେ ନାହିଁ ଏହା ସୁନିଶ୍ଚିତ ।”
ସାଲିଆ ସାହି ଜନ ସମ୍ପର୍କ ଯାତ୍ରାର ଅଷ୍ଟମ ଦିନରେ ମୁଖ୍ୟମନ୍ତ୍ରୀ ତାଙ୍କ ସରକାରର ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ କଥା କହିଥିଲେ। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଏହି ପଦଯାତ୍ରା ଚାଲିବ।
ନବୀନ ଏକଥାକୁ ଦୋହରାଇଲେ ଯେ, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଆଦର୍ଶକୁ ପରିପାଳନ କରିବା ପାଇଁ ବିଜେଡି ଗଠିତ ହୋଇଛି ଏବଂ ଓଡ଼ିଶାର ସାଢେ଼ ୪ କୋଟି ଲୋକଙ୍କ ବିକାଶ ପାଇଁ ଦଳ ପ୍ରତିଶ୍ରୁତିବଦ୍ଧ। ଆମ ସରକାରର ଅନେକ ଜନହିତର କାର୍ଯ୍ୟକ୍ରମକୁ ଅନ୍ୟ ରାଜ୍ୟ ଗ୍ରହଣ କରିଛନ୍ତି ବୋଲି ସେ ଉଦବୋଧନ ଦେଇଥିଲେ ।
ଓଡ଼ିଶାରେ ବିଜେଡି ସରକାର ବିକାଶର ଏକ ନୂଆ ଯୁଗ ସୃଷ୍ଟି କରିଛି ବୋଲି କହିବା ସହିତ ଦଳର ନେତା ଓ କର୍ମୀମାନଙ୍କୁ ଲୋକଙ୍କ ସହିତ ମିଶିବା ପାଇଁ ଆହ୍ୱାନ ଦେଇଥିଲେ।
ନବୀନ ପଟ୍ଟନାୟକ ପରୋକ୍ଷ ଭାବରେ ବିଜେପିକୁ ଟାର୍ଗେଟ କରିବାର କିଛି ଘଣ୍ଟା ପରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ବିଜେପି ନେତୃତ୍ୱରେ ଚାଲିଥିବା ଏନଡିଏ ସରକାର ଉପରେ ବର୍ଷିଥିଲେ। ବିରୋଧୀ ଦଳର ମୁହଁ ବନ୍ଦ କରିବା ପାଇଁ ମୋଦି ସରକାର ସିବିଆଇକୁ ବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କର ମନ୍ତବ୍ୟକୁ ଶ୍ରୀ ଆଚାର୍ଯ୍ୟ ସମାଲୋଚନା କରିଥିଲେ। ଜାବଡେକର କହିଥିଲେ ଯେ, ଚିଟଫଣ୍ଡ ସ୍କାମରେ ଜଡ଼ିତ ଆଉ କିଛି ନେତାଙ୍କୁ ସିବିଆଇ ଖୁବଶୀଘ୍ର ବାନ୍ଧିବ।
ଶ୍ରୀ ଆଚାର୍ଯ୍ୟ କହିଛନ୍ତି, “ବିଜେଡିର ସାଂସଦ ଓ ବିଧାୟକ ଗିରଫ ହେବା କଥା ମନ୍ତ୍ରୀ କେମିତି ଜାଣିଲେ? ସିବିଆଇ କ’ଣ ତାଙ୍କ ମନ୍ତ୍ରାଳୟର ଅଧୀନରେ ରହିଛି ନା ସିବିଆଇର ସେ ମୁଖପାତ୍ର? ଆଇନଗତ ଭାବରେ ଜଣେ କେନ୍ଦ୍ର ମନ୍ତ୍ରୀ ଏହିଭଳି କଥା କହିବା ଉଚିତ୍ କି?”
କେନ୍ଦ୍ର ମନ୍ତ୍ରୀଙ୍କର ଏହି ମନ୍ତବ୍ୟରୁ ବିଜେପି ଓ ସିବିଆଇର ସମ୍ପର୍କ ସ୍ପଷ୍ଟ ହୋଇଯାଇଛି ଓ ସରକାରଙ୍କର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି। ବିଜେପିର ହାତବାରିସି ହୋଇ ସିବିଆଇ କରୁଛି ଏହା ସ୍ପଷ୍ଟ ହୋଇଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।
ଶ୍ରୀ ଆଚାର୍ଯ୍ୟଙ୍କ ମନ୍ତବ୍ୟର ଉତ୍ତର ଦେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଜାବଡେକର କାହାର ନାଁ ନେଇ ନଥିବା ବେଳେ ବିଜେଡି ନେତାମାନେ କାହିଁକି ଏତେ ଭୟଭୀତ ହୋଇଯାଇଛନ୍ତ?
କେନ୍ଦ୍ର ଅବହେଳା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି ତା’ର ଜବାବ ଦେବାକୁ ଯାଇ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ବିଜେଡିର ଏସବୁ ଭିତ୍ତିହୀନ ଅଭିଯୋଗକୁ କେହି କର୍ଣ୍ଣପାତ କରିବେ ନାହିଁ। ଏନଡିଏ ସରକାର କ୍ଷମତାକୁ ଆସିବା ପରଠୁ ଓଡ଼ିଶାକୁ ସର୍ବାଧିକ ଆର୍ଥିକ ସାହାଯ୍ୟ ମିଳିଛି ବୋଲି ଶ୍ରୀ ଶର୍ମା ଦୃଢ଼ତାର ସହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here