ଓଡ଼ିଶାଲାଇଭ୍‍ ବ୍ୟୁରୋ

ଗତ ଦୁଇ ମାସ ମଧ୍ୟରେ ରାମ୍ୟାଙ୍କୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା। ଜଣେ ଲୋକପ୍ରିୟ ଅଭିନେତ୍ରୀରୁ ଦେଶର ଜଣେ ଦକ୍ଷ ଯୁବନେତ୍ରୀ ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି। ବିଶେଷ କରି କଂଗ୍ରେସ ରାଜନୀତିରେ ଏବେ ସେ ନିଜକୁ ଜଣେ ଦକ୍ଷ ରାଜନେତା ଭାବେ ସାବ୍ୟସ୍ତ କରିପାରିଛନ୍ତି। ଜାତୀୟ କଂଗ୍ରେସର ଡିଜିଟାଲ ଓ ସୋସିଆଲ ମିଡିଆ ପ୍ରଚାର ମୁଖ୍ୟ ଭାବେ ଦାୟିତ୍ଵ ନେବା ପରେ କଂଗ୍ରେସ ଓ ଦଳର ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଛବି ବଦଳାଇବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ବିଜେପିଠାରୁ ଡିଜିଟାଲ ମିଡିଆରେ କଂଗ୍ରେସ ବହୁ ପଛରେ ପଡିଯାଇଥିଲା। ୨୦୦୯ରେ ବରିଷ୍ଠ ରାଜନେତା ଭାବେ କେବଳ ଶଶୀ ଥରୁରଙ୍କର ଟ୍ୱିଟର ଆକାଉଣ୍ଟ ଥିଲା। ଏଇଥିପାଇଁ ଶଶୀ ଥରୁରଙ୍କୁ ହାଇଟେକ୍ ନେତା କୁହାଯାଉଥିଲା। ସେତେବେଳେ ତାଙ୍କର ଟ୍ୱିଟର ପେଜର ଫଲୋଅର ଥିଲେ ୬ ହଜାର। ଏବେ ତାହା ୬୦ ଲକ୍ଷରେ ପହଁଚିଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବର୍ତ୍ତମାନ ଫଲୋଅର ସଂଖ୍ୟା ଥରୁରଙ୍କଠାରୁ ୬ ଗୁଣ ଅଧିକ।
ତେବେ ସମୟ ସହ ତାଳ ଦେଇ ବିଜେପି, ନୂଆ ମିଡିଆକୁ ଆପଣେଇବାରେ କଂଗ୍ରେସଠାରୁ ବହୁ ଆଗକୁ ଚାଲିଯାଇଥିଲା। ନରେନ୍ଦ୍ର ମୋଦିଙ୍କ ଛବିକୁ ସୋସିଆଲ ମିଡିଆରେ ଏପରି ପ୍ରୋଜେକ୍ଟ କରାଯାଇଥିଲା ଯେ ତାଙ୍କର ବ୍ୟକ୍ତିତ୍ଵ ଆଗରେ ଫିକା ପଡିଯାଇଥିଲେ ଅନ୍ୟମାନେ। ଏବେ ରାମ୍ୟା, ଏହି କ୍ଷତିର ଭରଣା କରିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି। ଆସନ୍ତୁ ଜାଣିବା ରାମ୍ୟାଙ୍କ ସଂପର୍କରେ।
ରାମ୍ୟାଙ୍କର ପ୍ରକୃତ ନାଁ ହେଉଛି ଦିବ୍ୟା ସ୍ପନ୍ଦନା। ତାଙ୍କର ଫିଲ୍ମ ନାଁ ହେଉଛି ରାମ୍ୟା। ତେବେ ରାମ୍ୟା ନାଁରେ ସେ ବି​‌ଶେଷ ଭାବେ ପରିଚିତ। ୩୫ ବର୍ଷୀୟା ରାମ୍ୟା ହେଉଛନ୍ତି କନ୍ନଡ ଫିଲ୍ମର ଜଣେ ଲୋକପ୍ରିୟ ଅଭିନେତ୍ରୀ। ଅନେକ ତାମିଲ ଓ ତେଲଗୁ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ୨୦୦୩ରେ କନ୍ନଡ ଫିଲ୍ମ ଜଗତରେ ପାଦ ଥାପିଥିଲେ ରାମ୍ୟା। ପ୍ରଥମ ଚଳଚ୍ଚିତ୍ର ଥିଲା ‘ଅଭି’  ତାଙ୍କର ଅଭିନିତ ଅନେକ ଚଳଚ୍ଚିତ୍ର ସୁପର ହିଟ୍ ହୋଇଛି ଦକ୍ଷିଣ ଭାରତରେ। କନ୍ନଡ ଫିଲ୍ମ ପାଇଁ ଦୁଇ ଥର ଶେଷ୍ଠ ଅଭିନେତ୍ରୀ ଭାବେ ଦୁଇଥର ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି। କର୍ଣ୍ଣାଟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ସେ ଜିତିଛନ୍ତି। ୨୦୦୯ରେ ଆଇପିଏଲ ଟିମ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସେ ଥିଲେ ବ୍ରାଣ୍ଡ ଆମ୍ବାସାଡର। ୨୦୧୪ ଓ ୨୦୧୫ରେ ଗୁଗଲ ମୋଷ୍ଟ ସେଲିବ୍ରିଟି ତାଲିକାରେ ସେ ସ୍ଥାନ ପାଇଥିଲେ।
କର୍ଣ୍ଣାଟକର ମାଣ୍ଡ୍ୟା ଅଂଚଳରେ ତାଙ୍କର ପୈତୃକ ଘର। ଅଭିନେତ୍ରୀ ହେବା ସହ କଂଗ୍ରେସ ଦଳ ପ୍ରତି ତାଙ୍କର ପ୍ରଥମରୁ ହିଁ ଆନୁଗତ୍ୟ ଥିଲା। କୁହାଯାଏ, ରାମ୍ୟାଙ୍କ ଦକ୍ଷତା ଉପରେ ରାହୁଲ ଗାନ୍ଧିଙ୍କର ମଧ୍ୟ ଭରସା ରହିଥିଲା। ୨୦୧୨ ମସିହାରେ ଯୁବ କଂଗ୍ରେସରେ ଯୋଗ ଦେଲେ ରାମ୍ୟା। ରାହୁଲଙ୍କ ସହ ଘନିଷ୍ଠତା ଥିବାରୁ ୨୦୧୩ରେ କର୍ଣ୍ଣାଟକର ମାଣ୍ଡ୍ୟା ସଂସଦୀୟ କ୍ଷେତ୍ରରୁ ଉପ-ନିର୍ବାଚନ ଜିତି ସେ ସଂସଦ ଭାବେ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ୨୦୧୪ ସାଧାରଣ ନିର୍ବାଚନରେ ସେହି ମାଣ୍ଡା କ୍ଷେତ୍ରରୁ କଂଗ୍ରେସ ପକ୍ଷରୁ ଲଢି ସେ ମାତ୍ର ୫,୫୦୦ ଭୋଟରେ ପରାଜୟ ବରଣ କରିଥିଲେ।
ଏବେ ସେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଡିଜିଟାଲ ଓ ସୋସିଆଲ ମିଡିଆର ମୁଖ୍ୟ ହେବା ସହ କର୍ଣ୍ଣାଟକ ପ୍ରଦେଶ କମିଟିର କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି। ବର୍ତ୍ତମାନ ଅଭିନୟ ଜଗତ ଛାଡି ସେ ପୂର୍ଣ୍ଣକାଳୀନ ରାଜନୀତି କରିବାକୁ ସ୍ଥିର କରିଛନ୍ତି।
ରାମ୍ୟା ଦାୟିତ୍ଵ ନେବା ପରେ ସୋସିଆଲ ମିଡିଆରେ କଂଗ୍ରେସର ଅଭିମୁଖ୍ୟ ବଦଳିଯାଇଛି। ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ସେ ଏପରି ଶାଣିତ ପ୍ରସଙ୍ଗ ଉଠାଉଛନ୍ତି, ଯାହା ଚିନ୍ତାରେ ପକାଇ ଦେଇଛି ବିଜେପିକୁ। କେବଳ ଏତିକି ନୁହେଁ ଲୋକଙ୍କ ସମସ୍ୟାକୁ ଉଠାଇବାରେ ସେ ମଧ୍ୟ ସଫଳ ହୋଇଛନ୍ତି। ତାଙ୍କରି ଯୋଗୁଁ ଲୋକଙ୍କ ସହ ରାହୁଲ ଗାନ୍ଧି ଅଧିକ ଭଲ ଭାବେ ଯୋଡି ହୋଇପାରିଛନ୍ତି। କୁହାଯାଉଛି, କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବା ପୂର୍ବରୁ ଜନମାନସରେ ରାହୁଲଙ୍କର ସ୍ୱଚ୍ଛ ଓ ନିର୍ମଳ ଛବି ଆଙ୍କିବା ଦାୟିତ୍ଵ ଦିଆଯାଇଛି ରାମ୍ୟାଙ୍କୁ, ଯେଉଥିପାଇଁ ସେ ଦିନ ରାତି ଏକ କରି କାର୍ଯ୍ୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here