ଓଡ଼ିଶାଲାଇଭ୍ ବ୍ୟୁରୋ
ମହଙ୍ଗା ପଡ଼ିଛି ‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ମନ୍ତବ୍ୟ। ବିବାଦୀୟ ହୋଇପଡିଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ବିଜେପି ମହିଳା ମୋର୍ଚ୍ଚା ଦାମଙ୍କ ବାସଭବନ ଘେରାଉ ଉଦ୍ୟମ କରିଥିବାବେଳେ ନିଜ ଦଳର ନେତା ବି ଦାମଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି।
- ପୋଲିସ-ମହିଳାମୋର୍ଚ୍ଚା କର୍ମୀ ଧସ୍ତାଧସ୍ତି
- ଦାମଙ୍କ ବାସଭବନ ଆଗରେ ପୋଲିସ ଛାଉଣି
- ଶିଶୁଭବନ-କ୍ୟାପିଟାଲ ହସ୍ପିଟାଲ ରାସ୍ତାରେ ବ୍ୟାରିକେଡ
- ସୂର୍ଯ୍ୟ କହିଲେ ନେତା ଲକ୍ଷ୍ମଣରେଖା ଭିତରେ ରହିବା ଉଚିତ୍
- ସୂର୍ଯ୍ୟଙ୍କୁ ଦାମ ଦେଲେ ପାଲଟା ଜବାବ
‘ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି’ ମନ୍ତବ୍ୟକୁ ନେଇ ଅଡ଼ୁଆରେ ପଡ଼ିଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ଏହି ମନ୍ତବ୍ୟ ପାଇଁ ଦାମ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଥିବା ବେଳେ ବିଜେଡିର ବରିଷ୍ଠ ନେତା ଏହି ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି। ଦାମଙ୍କ ପଛରେ ଛିଡ଼ା ହୋଇ ସମର୍ଥନ ଦେବା ବଦଳରେ ବରିଷ୍ଠ ନେତାମାନେ ହାତ ଖସାଇ ଦେଇଛନ୍ତି। ଦାମଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ବିଜେଡି ନେତାମାନେ କହିବା ପରେ ଏହି ବରିଷ୍ଠ ନେତାଙ୍କୁ ସୁରକ୍ଷା ଦେବା ପୋଲିସ ଆଗେଇ ଆସିଛି।
ଏପଟେ ଦାମଙ୍କ ମନ୍ତବ୍ୟକୁ ନେଇ ଅଙ୍ଗନବାଡ଼ି ସଂଘ ତାତିଛି। ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ ଓ୍ବାକର୍ସ ସଂଘ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଆପତ୍ତିଜନକ ମନ୍ତବ୍ୟ ପାଇଁ ଡାକ୍ତର ରାଉତ କ୍ଷମା ମାଗନ୍ତୁ ବୋଲି ସଂଘ ଦାବି କରିଛି।
ବିଜେପି ମହିଳା ମୋର୍ଚ୍ଚାର ଧମକ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭକୁ ଦୃଷ୍ଟିରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ଦାମଙ୍କ ବାସଭବନ ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି। ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ ପର୍ଯ୍ୟନ୍ତ ୫ ପ୍ଲାଟୁନ୍ ଫୋର୍ସ ଜଗି ରହିଛନ୍ତି। ଏହାସହ ପୋଲିସ ସୁରକ୍ଷା ଦୃଷ୍ଟିରୁ ଏହି ରାସ୍ତାରେ ବ୍ୟାରିକେଡ ନିର୍ମାଣ କରିଛି।
କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଆଜି ସନ୍ଧ୍ୟାରେ ଡାକ୍ତର ରାଉତଙ୍କ ବାସଭବନ ନିକଟକୁ ଆସିଥିଲେ। ଡାକ୍ତର ରାଉତଙ୍କ ବିରୋଧରେ ସ୍ଲୋଗାନ୍ ଦେବା ସହ ଇସ୍ତଫା ଦାବି କରିଥିଲେ। ଦାମଙ୍କ ଘର ଘେରାଉ କରିବା ପାଇଁ ମହିଳା କର୍ମୀମାନେ ଉଦ୍ୟମ କରିଥିଲେ। ପୋଲିସ ବାଧା ଦେବାକୁ ମହିଳା ମୋର୍ଚ୍ଚା କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଶେଷରେ ପୋଲିସ ଏକାଧିକ ମହିଳା ମୋର୍ଚ୍ଚା କର୍ମୀଙ୍କୁ ଅଟକ ରଖିଛି।
ଖାଲି ସେତିକି ନୁହେଁ, ଏହି ବିବାଦୀୟ ମନ୍ତବ୍ୟ ପାଇଁ ଦାମ ନିଜ ଦଳରେ ହଟହଟା ହୋଇଛନ୍ତି। ନିଜ ଦଳର ନେତା ଦାମଙ୍କୁ ସମାଲୋଚନା କରିଛନ୍ତି।
ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, “ରାଜନେତାମାନେ ଲକ୍ଷ୍ମଣରେଖା ଭିତରେ ରହିବା ଉଚିତ୍। ଯଦି ଡାକ୍ତର ରାଉତ କୌଣସି ଆପତ୍ତିଜନକ ମନ୍ତବ୍ୟ ଦେଇଥିବେ ତାହାଲେ ଏହା ନିନ୍ଦନୀୟ। ଦାମଙ୍କ ମନ୍ତବ୍ୟକୁ ମୁଁ ଠିକ୍ ଭାବେ ଶୁଣି ନଥିବାରୁ ଆଉ କିଛି କହିବାକୁ ଉଚିତ୍ ମନେ କରୁନି।“
ସେହିପରି ଦଳର ଆଉ ଦୁଇ ଜଣ ବରିଷ୍ଠ ନେତା ତଥା ମନ୍ତ୍ରୀ ମହେଶ୍ବର ମହାନ୍ତି ଏବଂ ଅନନ୍ତ ଦାସ ସମାଲୋଚନା କରିଛନ୍ତି।
ମହେଶ୍ବର ମହାନ୍ତି କହିଛନ୍ତି, “ଦାମବାବୁ ଜଣେ ବରିଷ୍ଠ ନେତା। ବିଜେପି ନେତ୍ରୀଙ୍କ ଉପରେ ଏଭଳି ଟିପ୍ପଣୀ ଦେବା ଠିକ୍ ନୁହେଁ।“
ଏପଟେ ଡାକ୍ତର ରାଉତ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ମନ୍ତବ୍ୟର ଜବାବ ଦେଇଛନ୍ତି। କହିଛନ୍ତି, ଶ୍ରୀ ପାତ୍ର ରାମରେଖା ଭିତରେ ରହିଛନ୍ତି। ନବୀନ ପଟ୍ଟନାୟକଙ୍କୁ ଧ୍ରୁତରାଷ୍ଟ୍ର ଏବଂ ମୋତେ ଶିଖଣ୍ଡୀ କହିବା ବେଳେ ଶ୍ରୀ ପାତ୍ର କୁଆଡ଼େ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି।