ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ନେତା ଗୋଲକଙ୍କୁ ନେଇ ଗୋଳିଆ ହେଉଛି ରାଜ୍ୟ ରାଜନୀତି। ବୁଧବାରର ମାରାଥନ୍ ଜେରା ପରେ ଗୋଲକଙ୍କଠାରୁ ପୋଲିସ ପାଇନି ସନ୍ତୋଷଜନକ ଉତ୍ତର। ଫଳରେ ଗୋଲକଙ୍କୁ ପୁଣି ତଦନ୍ତକାରୀ ଟିମ୍‌ ଜେରା କରିପାରେ।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ନେଇ ରାଜ୍ୟ ରାଜନୀତି ଗୋଳିଆ ହେଉଛି। ଘଟଣା ପଛର ରହସ୍ୟ କଣ ତାହା ପୋଲିସ ଖୋଜି ପାଉନି। ଅଭିଯୁକ୍ତ କୃଷ୍ଣ ନାୟକଙ୍କ ସହ ବିଜେପିର କିଛି ପଲିଟିକାଲ ଲିଙ୍କ୍‌ ଅଛି କି ନାହିଁ ତାର ଟେର୍‌ ପାଉନି ପୋଲିସ। ଏଣୁ ପୁଣି ଛତ୍ରପୁର ପୋଲିସ ଗୋଲକଙ୍କୁ ଜେରା କରିବ। ଏଣିକି ଏକୁଟିଆ ନୁହେଁ, ଅଭିଯୁକ୍ତ କୃଷ୍ଣ ନାୟକ ସହ ସାମ୍ନାସାମ୍ନି ଜେରା କରିପାରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

ଗୋଲକଙ୍କୁ ଗୁରୁବାର ଦୁଇଟି ପର୍ଯ୍ୟାୟରେ ମାରାଥନ୍ ଜେରା କରିଥିଲା ପୋଲିସ। ପ୍ରାୟ ୩ ଘଣ୍ଟାର ଜେରାରେ ପୋଲିସ ଗୋଲକଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲା। ହେଲେ ପୋଲିସ ପଚାରିଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ଗୋଲକ। ଏଣୁ ଗୋଲକଙ୍କୁ ପୁଣି ଜେରା କରିବ ପୋଲିସ।

ଗୁରୁବାର ଦିନ ତମାମ୍‌ ଥାନାରେ ରହିଥିଲେ ଗୋଲକ। ଆଉ ତଦନ୍ତକାରୀ ଅଧିକାରୀ ପ୍ରଶ୍ନବାଣରେ ଘାଇଲା କରିଥିଲେ।

କୃଷ୍ଣ ନାୟକଙ୍କ ସହ ସମ୍ପର୍କ କେବେଠୁ?

କୃଷ୍ଣ ନାୟକଙ୍କୁ ସେ ଜାଣିଲେ କିପରି?

ତାଙ୍କ ସହ କୌଣସି ପଲିଟିକାଲ ଲିଙ୍କ୍‌ ଅଛି କି?

କୃଷ୍ଣ ନାୟକ ଉତ୍ତରାଖଣ୍ଡ ଯିବା ପଛରେ ଆପଣଙ୍କ ହାତ ଅଛି କି?

ଏମିତି ଅନେକ ପ୍ରଶ୍ନରେ ଗୋଲକଙ୍କୁ ଗୋଲକ ଧନ୍ଦାରେ ଛନ୍ଦିଥିଲେ ତଦନ୍ତକାରୀ ଅଧିକାରୀ। ହେଲେ କୌଣସି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପାଇ ନଥିଲା ପୋଲିସ।

ଏଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି, “କଲ୍‌ ରେକର୍ଡକୁ ଆଧାର କରି ତଦନ୍ତ ଜାରି ରହିଛି। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଗୋଲକ ନାୟକଙ୍କୁ ପଚରା ଉଚରା କରାଯାଇଛି। ଆବଶ୍ୟ ହେଲେ ତାଙ୍କୁ ପୁଣି ପୋଲିସ ଜେରା କରିପାରେ।”

ଏପଟେ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ଗୋଲକଙ୍କୁ ନେଇ ଚାଲିଛି ଆରୋପ ପ୍ରତ୍ୟାରୋପ।

ବିଜେଡି ବିଧାୟକ ସମୀର ଦାଶ କହିଛନ୍ତି, “ଥାନା ସମ୍ମୁଖରେ ଶକ୍ତି ପ୍ରଦର୍ଶନ କରି ବିଜେପି ତଦନ୍ତକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡରେ ଧରା ପଡିଥିବା ମୁଖ୍ୟ ଷଡଯନ୍ତ୍ରକାରୀ କୃଷ୍ଣ ନାୟକଙ୍କ ସହ ବିଜେପିର ସମ୍ପର୍କ କ’ଣ ତାହା କାହାକୁ ଅଛପା ନାହିଁ।

ଏପଟେ ବିଜେଡିକୁ ପାଲଟା ଜବାବ ଦେଇଛି ବିଜେପି। ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, ଲକ୍ଷ୍ମୀଦତ୍ତଙ୍କ ମା’ ଯେଉଁ ବ୍ୟକ୍ତିଙ୍କ ନାଁ ନେଇଥିଲେ ତାଙ୍କୁ ପୋଲିସ ଏପର୍ଯ୍ୟନ୍ତ କାହିଁକି ଜେରା କରିନି?

ଡେରାଡୁନ୍‌ରୁ ଗିରଫ ହୋଇଥିବା କୃଷ୍ଣ ନାୟକ ଏବଂ ଦୁର୍ଯ୍ୟୋଧନ ରେଡ୍ଡି ପୋଲିସ ରିମାଣ୍ଡରେ ଅଛନ୍ତି। ଆଜି ଥିଲା ରିମାଣ୍ଡର ତୃତୀୟ ଦିନ। ପୋଲିସ ଏହି ଦୁଇ ଜଣକଠାରୁ ହତ୍ୟାକାଣ୍ଡର ଖିଅ ଖୋଜୁଛି।

 

LEAVE A REPLY

Please enter your comment!
Please enter your name here