(ଓଡ଼ିଶାଲାଇଭ୍‌ ବ୍ୟୁରୋ)

ନବସର୍ଜନ ଯାତ୍ରାର ତୃତୀୟ ଦିନରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାର ଉପରେ ପୁଣି ବର୍ଷିଛନ୍ତି। ମୋଦି ସରକାରଙ୍କୁ କୌରବ ସେନା ଆଖ୍ୟା ଦେଇ ଗୁଜୁରାଟ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି ରାହୁଲ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ପୁଣିଥରେ ବିଜେପି ଉପରେ ଜମେଇକି ବର୍ଷିଛନ୍ତି। ଗୁଜୁରାଟର ବଲ୍‌ସାଡର ଏକ ରାଲିରେ ଉଦ୍‌ବୋଧନ ଦେଇ ରାହୁଲ୍‌ ମୋଦି ସରକାରଙ୍କୁ କୌରବ ସେନା ସହ ତୁଳନା କରିଛନ୍ତି। ଆଉ କଂଗ୍ରେସକୁ ପାଣ୍ଡବ କହିଛନ୍ତି।

ରାହୁଲ କହିଛନ୍ତି, “ମହାଭାରତରେ କୌରବ ଓ ପାଣ୍ଡବଙ୍କ ଭିତରେ ଲଢ଼େଇ ଚାଲିଥିଲା। ସତ୍ୟ ଏବଂ ଅସତ୍ୟ ଉପରେ ଯୁଦ୍ଧ ଲାଗିଥିଲା। ଏବେ ଗୁଜୁରାଟ ଭୋଟ ପାଇଁ କଂଗ୍ରେସ ଏବଂ ବିଜେପି ଭିତରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବିଜେପି ପାଖରେ କୌରବ ସେନା ରହିଥିବା ବେଳେ କଂଗ୍ରେସ ପାଖରେ କେବଳ ସତ୍ୟ ରହିଛି। ଆଉ ସତ୍ୟର ହିଁ ବିଜୟ ହେବ।”

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦିଙ୍କ ପାଖରେ ପୋଲିସ ସେନା ରହିଛି। ଗୁଜୁରାଟ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୋଆ ଆଦି ରାଜ୍ୟରେ ସରକାର ରହିଛି। କିନ୍ତୁ ଆମ ପାଖରେ କିଛିନାହିଁ, କେବଳ ସତ୍ୟ ରହିଛି। ଏହାକୁ ଆଧାର କରି କଂଗ୍ରେସ ନିର୍ବାଚନ ଲଢ଼ୁଛି।

ଏହି ଅବସରରେ ରାହୁଲ ଗାନ୍ଧି ଗୁଜୁରାଟର ଧରମପୁର ଏବଂ ଆଙ୍ଗନବାଡ଼ି କର୍ମକର୍ତ୍ତାଙ୍କୁ ଭେଟିଛନ୍ତି। ସେମାନଙ୍କ ସହ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହ କିଛି ଯୁବପିଢ଼ିଙ୍କ ସହ ସେ ସେଲ୍‌ଫି ମଧ୍ୟ ନେଇଥିଲେ।

୩ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି ରାହୁଲ୍‌। ଏହି ଅବସରରେ ସେ ନବସର୍ଜନ ଯାତ୍ରା କରି ମୋଦିଙ୍କ ଉପରେ ବର୍ଷୁଛନ୍ତି। ଯାତ୍ରାର ଦୁଇଦିନ ବେରୋଜଗାର, ଜିଏସ୍‌ଟି ଏବଂ ଦେଶର ଅର୍ଥନୀତି ବ୍ୟବସ୍ଥାକୁ ନେଇ ବିଜେପି ସରକାରକୁ ସମାଲୋଚନା କରିଥିବା ରାହୁଲ୍‌ ଆଜି ପୁଣି ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

Comment