ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିକ ବିଧାନସଭା ଗୃହ କମିଟି। ଏନେଇ ବାଚସ୍ପତି ଆଜି ପୁଣି ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଲେଖିଛନ୍ତି ଚିଠି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବ ବିଧାନସଭା ଗୃହ କମିଟି। ଏନେଇ ବାଚସ୍ପତି ପ୍ରଦୀପ କୁମାର ଅମାତ ଆଜି ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ଚିଠି ଲେଖିଛନ୍ତି। ବିଧାନସଭାର ଶିତକାଳୀନ ଅଧିବେଶନ ପୂର୍ବରୁ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କରେ ଆଲୋଚନା କରିବ ବୋଲି ନିଷ୍ପତ୍ତି ହୋଇଛି।

ଆଜି ବିଧାନସଭା ଗୃହ କମିଟିର ବୈଠକ ବସିଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ବାଚସ୍ପତି ପ୍ରଦୀପ କୁମାର ଅମାତ। କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ସମେତ ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ଓଡ଼ିଶାର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ହୋଇଥିଲା ଆଲୋଚନା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ ମରୁଡ଼ି ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାସହ ଧାନ ବିକ୍ରି ନେଇ ଚାଷୀ ଭୋଗୁଥିବା ସମସ୍ୟା ଉପରେ କମିଟି ଫୋକସ୍ କରିଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ବୈଠକରେ ସଦସ୍ୟମାନେ ଦାବି କରିଥିଲେ। ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ବୈଠକ ଶେଷ ହେବା ପରେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, “ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଓଡ଼ିଶା ଦାବି କରି ଆସୁଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି। ହେଲେ ପ୍ରଧାନମନ୍ତ୍ରୀ ଶୁଣୁ ନାହାନ୍ତି। ଓଡ଼ିଶାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖାଯାଇଛି।”

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏନେଇ ୨୦୧୭ ମାର୍ଚ୍ଚ ୨୫ରେ ବିଧାନସଭାରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୧,୪୭୦ ଟଙ୍କାରୁ ୨,୯୩୦ ଟଙ୍କା କରିବାକୁ ଦାବି କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ଦପ୍ତରକୁ ବାଚସ୍ପତି ଚିଠି ଲେଖିଥିଲେ। ବିଧାନସଭାର ଗୃହ କମିଟିକୁ ସମୟ ଦେବା ପାଇଁ ନିବେଦନ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ଚାଷୀଙ୍କ ସମସ୍ୟା ଆଲୋଚନା କରିବାକୁ ସମୟ ଦେଲେ ନାହିଁ। ଫଳରେ ଏହାକୁ ନେଇ ଓଡ଼ିଶାରେ ଉଦ୍‌ବେଗ ପ୍ରକାଶ ପାଇଥିଲା।

ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ପ୍ରଧାନମନ୍ତ୍ରୀ ଗୃହ କମିଟିକୁ ସମୟ ଦେଇ ନଥିଲେ। ଆଜି ପୁଣି ଚିଠି ଲେଖାଯାଇଛି। ଯଦି ଏଥର ସମୟ ନଦିଅନ୍ତି ତାହାଲେ ଆମେ ପିଏମ୍‌ଓ ଅଫିସ ଆଗରେ ଧାରଣା ଦେବୁ।”

 

LEAVE A REPLY

Please enter your comment!
Please enter your name here