ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାକିରି ମାଗି ଲହୁଲୁହାଣ ହୋଇଛନ୍ତି ସିଟି-ବିଏଡ୍ ତାଲିମପ୍ରାପ୍ତ ଯୁବକ ଯୁବତୀ। ଏହି ଅଭାବନୀୟ ଘଟଣା ରାଜଧାନୀ ଭୁବନେଶ୍ବରର ଲୋୟର ପିଏମଜିରେ ଘଟିଛି।

ଚାକିରି ଦାବିରେ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରୁଥିଲେ ସିଟି-ବିଏଡ୍ ଡିଗ୍ରୀଧାରୀ ଯୁବକଯୁବତୀ। ହେଲେ ଏହି ଯୁବକ ଯୁବତୀଙ୍କୁ ଆଜି ଲାଠି ପାହାର ଦେଇ ପୋଲିସ ଲହୁଲୁହାଣ କରିଛି। ଆନ୍ଦୋଳନରତ ଯୁବକଯୁବତୀଙ୍କ ପାଲଟା ଢେଲାମାଡ଼ରେ କ୍ୟାପିଟାଲ ଥାନା ଅଧିକାରୀ ମାନସ ଗଡ଼ନାୟକ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଲୋୟର ପିଏମଜି ରଣକ୍ଷେତ୍ର ପାଲଟି ଯାଇଥିଲା।

ରାଜ୍ୟରେ ପ୍ରାୟ ୨୫ ହଜାରରୁ ଅଧିକ ତାଲିମପ୍ରାପ୍ତ ସିଟି, ବିଏଡ ଯୁବକଯୁବତୀ ଅଛନ୍ତି। ସେମାନଙ୍କୁ ଶିକ୍ଷା ସହାୟକ ଚାକିରିରେ ନିଯୁକ୍ତି ଦେବା ଦାବିରେ ଚାଲିଥିଲା ଆନ୍ଦୋଳନ। କିଛିଦିନ ଧରି ଧାରଣାରେ ବସିବା ପରେ ସୋମବାର ସଂଘର ଏକ ପ୍ରତିନିଧି ଦଳ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିବା ପାଇଁ ବାହାରିଥିଲେ। ଆଉ ଏତିକି ବେଳେ ଦେଖାଦେଇଥିଲା ବିଶୃଙ୍ଖଳା। ପ୍ରତିନିଧି ଦଳକୁ ପୋଲିସ ଅଟକାଇଥିଲା। ଏହାକୁ ନେଇ ମୁହାଁମୁହିଁ ହୋଇଥିଲେ ସଂଘ ସଦସ୍ୟ ଏବଂ ପୋଲିସ।

ପୋଲିସ ଉପରକୁ ପ୍ରଥମେ ଆକ୍ରମଣ ହେବାରୁ ପୋଲିସ ଲାଠି ମାଡ଼ କରିଥିଲା। ଆନ୍ଦୋଳନରତ ସିଟି-ବିଏଡ ତାଲିମପ୍ରାପ୍ତ ଯୁବକଯୁବତୀ ଛତ୍ରଭଙ୍ଗ ଦେଇଥିଲେ। ୨୦ରୁ ଅଧିକ ଆନ୍ଦୋଳନରତ ଯୁବକଙ୍କୁ ପୋଲିସ ଗିରଫ କରିଛି।

ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି, “କୋର୍ଟରେ ମାମଲା ଚାଲିଛି। ଏଣୁ ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହେଉଛି। ସେମାନେ ପୁଣି ଆବେଦନ କଲେ ନିଯୁକ୍ତି ସମ୍ପର୍କରେ ବିଚାର କରାଯିବ।”

ଏହା ପୂର୍ବରୁ ଗ୍ରାମ ରୋଜଗାର ସେବକଙ୍କୁ ମଧ୍ୟ ପୋଲିସ ଲାଠି ପାହାର କରିଥିଲା। ଗ୍ରାମ ରୋଜଗାର ସେବକମାନେ ବିଜେପି ଶିବିରର ଆଶ୍ରୟ ନେବା ପରେ ସେମାନଙ୍କ ଦରମା ବୃଦ୍ଧି କରିଥିଲେ ରାଜ୍ୟ ସରକାର।

 

Comment