ଓଡ଼ିଶାଲାଇଭ୍ ବ୍ୟୁରୋ

- ମୁକୁନ୍ଦ ଦେବଙ୍କ ଶାସନଠାରୁ ବିଜେପୁର ଉପ-ନିର୍ବାଚନ ପର୍ଯ୍ୟନ୍ତ
- ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପଛର ସଂଗ୍ରାମ କାହାଣୀ
- ଓଡ଼ିଶା ରାଜନୀତିର ଅନେକ ଗୋପନ କଥା
- ଓଡ଼ିଶା ରାଜନୀତି ଉପରେ ଏକ ‘ରେଫରେନ୍ସ’ ପୁସ୍ତକ
ଓଡ଼ିଶା ରାଜନୀତି ଜଗତକୁ ଆଉ ଏକ ପୁସ୍ତକ ଭେଟି ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ବସନ୍ତ ଦାସ। ପୂର୍ବରୁ ଶ୍ରୀ ଦାସ ଓଡ଼ିଶା ରାଜନୀତି ସମ୍ପର୍କୀତ ଦୁଇଟି ପୁସ୍ତକ ‘ରାଜନୀତିର ଗୋପନ କଥା’ ଏବଂ ଇଂରାଜୀ ପୁସ୍ତକ ‘ଫୁଟ୍ ପ୍ରିଣ୍ଟ୍ସ୍ ଅଫ୍ ଇଭେଣ୍ଟଫୁଲ୍ ଡେଜ୍’ ରଚନା କରି ରାଜନୀତି ଦୁନିଆକୁ ସମୃଦ୍ଧ କରିଥିଲେ। ଏହି ଦୁଇଟି ପୁସ୍ତକ ବିଭିନ୍ନ ମହଲରେ ଆଦୃତ ହେବା ପରେ ଶ୍ରୀ ଦାସ ‘ଓଡ଼ିଶା ରାଜନୀତି’ ପୁସ୍ତକ ରଚନା କରିଛନ୍ତି।
ମିଡିଆ ଏକାଡେମୀ ତରଫରୁ ଏହି ପୁସ୍ତକ ବୁଧବାର ସନ୍ଧ୍ୟାରେ ରାଜ୍ୟ ଅଭିଲେଖାଗାରଠାରେ ଲୋକାର୍ପଣ କରାଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବକୁ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଉଦଘାଟନ କରିଥିଲେ।
ମୋଟ ୪୩୨ ପୃଷ୍ଠା ସମ୍ବଳିତ ପୁସ୍ତକରେ ଓଡ଼ିଶା ରାଜନୀତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ମୁକୁନ୍ଦ ଦେବଙ୍କ ଶାସନ ପରଠାରୁ ବିଜେପୁର ଉପ-ନିର୍ବାଚନ ପର୍ଯ୍ୟନ୍ତ ଓଡ଼ିଶା ରାଜନୀତିରେ ଯାହା ଘଟିଛି ତାହା ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି। ଓଡ଼ିଶା ରାଜନୀତିର ବହୁ ରୋଚକ ତଥ୍ୟ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି।
ଏହି ପୁସ୍ତକର ମୂଲ୍ୟ ୪୦୦ ଟଙ୍କା ରଖାଯାଇଛି। ଆଗ୍ରହୀ ପାଠକମାନଙ୍କ ପାଇଁ ୨୫ ପ୍ରତିଶତ ଡିସ୍କାଉଣ୍ଟ ମଧ୍ୟ ରଖାଯାଇଛି। ପାଠକମାନେ ଏହି ପୁସ୍ତକ ଭୁବନେଶ୍ବର ୟୁନିଟ୍-୪ସ୍ଥିତ କର କ୍ଲିନିକ୍ ପଛପାଖ ଏ-୧୭ ପ୍ଲଟରୁ ସଂଗ୍ରହ କରିପାରିବେ। ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ଛାତ୍ରଛାତ୍ରୀ, ଗବେଷକ ଏବଂ ସାମ୍ବାଦିକମାନଙ୍କ ପାଇଁ ସ୍ବତନ୍ତ୍ର ରିହାତି ରହିଥିବା ଲେଖକ ବସନ୍ତ ଦାସ କହିଛନ୍ତି।
ଶଶୀଭୂଷଣ ବେହେରା କହିଛନ୍ତି, “ସାମ୍ବାଦିକତା ଏବଂ ସାହିତ୍ୟିକ ଜଗତରେ ବସନ୍ତ ଦାସ ଜଣେ ଜଣାଶୁଣା ନାଁ। ସେ ଏହା ପୂର୍ବରୁ ଅନେକ ପୁସ୍ତକ ରଚନା କରିଛନ୍ତି। ଆଜି ଲୋକାର୍ପିତ ହୋଇଥିବା ‘ଓଡ଼ିଶା ରାଜନୀତି’ ପୁସ୍ତକ ପାଠକ ମହଲରେ ଆଦୃତ ହେବ। ବସନ୍ତବାବୁଙ୍କ ଏହି ପ୍ରୟାସକୁ ମୁଁ ସ୍ବାଗତ କରୁଛି।”
ଉତ୍ସବରେ ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ବରଞ୍ଜନ ପୁସ୍ତକ ସମୀକ୍ଷା କରିଥିବା ବେଳେ ବିରୋଧୀ ଦଳର ନେତା ନରସିଂହ ମିଶ୍ର, ସମ୍ବାଦର ସଂପାଦକ ସୌମ୍ୟରଞନ ପଟ୍ଟନାୟକ ଏବଂ ବୈଷ୍ଣବ ଚରଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ବସନ୍ତ ଦାସଙ୍କ ପୁସ୍ତକ ସଂକଳନ
୧୯୬୫ ମସିହାରେ ଓଡ଼ିଶାରୁ ପ୍ରକାଶିତ ଏକମାତ୍ର ଇଂରାଜୀ ଦୈନିକ ‘ଇଷ୍ଟର୍ଣ୍ଣ ଟାଇମ୍ସ’ରୁ ସାମ୍ବାଦିକତା ଆରମ୍ଭ କରିଥିଲେ ବସନ୍ତ ଦାସ। ପରେ ୧୯୯୬ରେ ଅମୃତ ବଜାର ପତ୍ରିକାର ‘ଓଡ଼ିଶା ବ୍ୟୁରୋ ଚିଫ୍’ ଭାବରେ ବୃତ୍ତିଗତ ଜୀବନରୁ ଅବସର ନେଇଥିଲେ। ଅବସର ପରେ ତାଙ୍କ କଲମ ଥକି ଯାଇ ନଥିଲା। ସେ ପୁସ୍ତକ ପରେ ପୁସ୍ତକ ରଚନା କରି ଚାଲିଲେ।
ଇତିମଧ୍ୟରେ ସେ ୧୬ ଖଣ୍ଡ ପୁସ୍ତକ ରଚନା କରିଛନ୍ତି। ଏହାସହ ସେ ବିଶ୍ବର ୨୦ଟି ରାଷ୍ଟ୍ର ଭ୍ରମଣ କରି ‘ଯେ ଦେଶ ଯାଇ, ସେ ଫଳ ଖାଇ’ ଭ୍ରମଣ କାହାଣୀ ପୁସ୍ତକ ରଚନା କରିଛନ୍ତି। ଏହି ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି।


















