ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜେପି ଦେଇଥିଲା ସଚିବାଳୟ ଚଲୋ ଡାକରା
  • ଲୋୟର ପିଏମ୍‌ଜିରେ କ୍ୟାରିକେଡ ଭାଙ୍ଗିଲେ ବିଜେପି କର୍ମୀ
  • ପୋଲିସ ସହ ହେଲା ଧସ୍ତାଧସ୍ତି
  • କୃଷି ଋଣ ଛାଡ ଏବଂ କ୍ଷତିପୂରଣ ଦାବି କଲା ବିଜେପି

ରାଜ୍ୟ ସଚିବାଳୟ ରାସ୍ତାରେ ସଂଘର୍ଷ ଘଟିଛି। ଭୁବନେଶ୍ବର ଲୋୟର ପିଏମ୍‌ଜିରେ ମୁହାଁମୁହିଁ ହୋଇଛନ୍ତି ବିଜେପି କର୍ମୀ-ପୋଲିସ। ବିଜେପି ପ୍ରତିନିଧି ଦଳ ସଚିବାଳୟ ଆଡକୁ ଯିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା।

ଚାଷୀଙ୍କୁ କୃଷି ଋଣ ଛାଡ଼, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ, ବୋନସ୍ ଦାବିରେ ବିଜେପି ଆଜି ସଚିବାଳୟ ଚଲୋ ଡାକରା ଦେଇଥିଲା। ବହୁ ବିଜେପି କର୍ମୀ ଏଥିରେ ସାମିଲ୍ ହୋଇଥିଲେ। ଭୁବନେଶ୍ବର ୟୁନିଟ-୩ ରାଜ୍ୟ କାର୍ଯ୍ୟାଳୟ ପରିସରରୁ ବିଜେପି କର୍ମୀ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ସଚିବାଳୟ ଅଭିମୁଖେ ବାହାରିଥିଲେ।

ପୋଲିସ ପ୍ରତିରୋଧ କରିବାରୁ ତେବେ ପିଏମ୍‌ଜି ନିକଟରେ ବିଜେପି କର୍ମୀ ପୋଲିସ ବ୍ୟାରିକେଡ ଭାଙ୍ଗିଥିଲେ। ଫଳରେ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ମୁହାଁମୁହିଁ ହୋଇଥିଲେ ବିଜେପି କର୍ମୀ ଏବଂ ପୋଲିସ। ପରେ ପୋଲିସ ବିଜେପିର ବହୁ ନେତାଙ୍କୁ ଗିରଫ କରିଥିଲା।

ବିଜେଡି ଆଜି ଚାଷୀ ପ୍ରସଙ୍ଗକୁ ନେଇ ରାଜଭବନ ଆଗରେ ଧାରଣା ଦେଇଥିବା ବେଳେ ବିଜେପି ଚାଷୀଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲା। ଉଭୟ ଦଳର ବିକ୍ଷୋଭ, ରାଲିରେ ରାଜଧାନୀ ରାଜନୀତି ସରଗରମ୍ ହୋଇଯାଇଥିଲା।

 

Comment