ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧୋଇ ହୋଇଗଲା ଶୀତ ଅଧିବେଶନର ଦ୍ୱିତୀୟ ଦିନ। ଚାଷୀ ସମସ୍ୟା ଆଲୋଚନା ଦାବିରେ ଗୃହ ହେଲା ଅଚଳ। ବିରୋଧୀ କଂଗ୍ରେସ ଏବଂ ବିଜେପି ସଭ୍ୟ କକ୍ଷତ୍ୟାଗ କରିଥିବା ବେଳେ ବିଜେଡି ଧାନର ଏମ୍‌ଏସ୍‌ପି ବୃଦ୍ଧି କରିବାକୁ ଦାବି କରିଛି।

  • ଦ୍ୱିତୀୟ ଦିନରେ ବି ଚାଷୀ ଝଡ଼
  • ଚାଷୀ ସମସ୍ୟା ଆଲୋଚନା କରିବାକୁ କଂଗ୍ରେସ ଆଣିଲା ମୁଲତବି ପ୍ରସ୍ତାବ
  • ବାଚସ୍ପତି କଲେ ଅଗ୍ରାହ୍ୟ
  • ଗୃହ ମଝିଭାଗକୁ ଚାଲି ଆସିଲେ କଂଗ୍ରେସ ଓ ବିଜେପି ସଭ୍ୟ
  • କକ୍ଷ ତ୍ୟାଗ କଲେ ବିରୋଧୀ
  • ଅପରାହ୍ନରେ ବିନା ବିରୋଧୀରେ ଗୃହ ଚାଲିଲା ୨୫ ମିନିଟ
  • ଏମ୍‌ଏସପି ବୃଦ୍ଧି ଦାବିରେ ରାଜଭବନ ଗଲା ବିଜେଡି

ଚାଷୀ ପ୍ରସଙ୍ଗକୁ ନେଇ ପୁଣି ଗୃହ ଅଚଳ। ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନ ବି ବିରୋଧୀଙ୍କ ହଙ୍ଗାମାରେ ଧୋଇଗଲା। କୌଣସି ପ୍ରସଙ୍ଗ ଆଲୋଚନା ହୋଇପାରିଲା ନାହିଁ। ଶେଷରେ ବାଚସ୍ପତି ବାଧ୍ୟ ହୋଇ ବୁଧବାର ପର୍ଯ୍ୟନ୍ତ ଗୃହ ମୁଲତବି ରଖିଛନ୍ତି।

ବୁଧବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚାଷୀ ସମସ୍ୟା ଆଲୋଚନା କରିବାକୁ ମୁଲତବି ପ୍ରସ୍ତାବ ଦେଇଥିଲେ। ହେଲେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିଦେବାରୁ କଂଗ୍ରେସ ସଭ୍ୟ ଗୃହର ମଝି ଭାଗକୁ ଚାଲି ଆସିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ୍ ନିକଟରେ ସରକାର ବିରୋଧୀ ସ୍ଲୋଗାନ୍ ଦେଇ ଚାଷୀ ସମସ୍ୟା ଆଲୋଚନା କରିବାକୁ ଦାବି କରିଥିଲେ। ବିଜେପି ସଭ୍ୟ କୀଟନାଶକ ବୋତଲ ଧରି ହୋ-ହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଥିଲେ।

ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, “କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ ୭୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ। ଏଥିପାଇଁ ଧାନର ଏମଏସପି ୨୯୩୦ ଟଙ୍କାକୁ ବୃଦ୍ଧି କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି।”

ଏପଟେ ବିଜେଡି ବିଧାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ବିରୋଧ ପ୍ରଦର୍ଶନ କରିଛନ୍ତି। ବିଧାନସଭାରୁ ଏକ ଶୋଭାଯାତ୍ରାରେ ରାଜଭବନ ପର୍ଯ୍ୟନ୍ତ ଯାଇ ପ୍ରତିବାଦ କରିଛନ୍ତି। ରାଷ୍ଟ୍ରପତି ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି।

ଅପରାହ୍ନ ୩ଟା ପରେ ଅଧିବେଶନ ଆରମ୍ଭ ହୋଇଥିଲା। ହେଲେ ପୁଣି ଗୃହରେ ଚାଷୀ ଝଡ଼ ଦେଖିବାକୁ ମିଳିଥିଲା। ଚାଷୀ ସମସ୍ୟା ଆଲୋଚନା କରିବାକୁ ଗୃହରେ ବିରୋଧୀ ଦଳ ନେତା ଦାବି କରିଥିଲେ। ବାଚସ୍ପତି ଏହାକୁ ଗ୍ରହଣ ନକରିବାରୁ ବିରୋଧୀ କଂଗ୍ରେସ ଏବଂ ବିଜେପି ସଭ୍ୟ କକ୍ଷତ୍ୟାଗ କରିଥିଲେ। ବିରୋଧୀ ଦଳଙ୍କ ଅନୁପସ୍ଥିତିରେ ବିଧାନସଭା ୨୫ ମିନିଟ ଧରି ଚାଲିଲା। ୨୫ ମିନିଟ ପରେ ବୁଧବାର ପର୍ଯ୍ୟନ୍ତ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଚାଷୀ ସମସ୍ୟା ଆଲୋଚନା କରିବାକୁ ଆମେ ଚାହୁଁଥିଲୁ। ହେଲେ ବାଚସ୍ପତି ଏହାକୁ ଗ୍ରହଣ କଲେନାହିଁ। ଚାଷୀମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର କେତେ ଆନ୍ତରିକତା ରହିଛି ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, “ଗୃହରେ ଚାଷୀ ସମସ୍ୟା ଆଲୋଚନା କରିବାକୁ କଂଗ୍ରେସ ତରଫରୁ ମୁଲତବି ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ବାଚସ୍ପତି ଶୁଣିଲେ ନାହିଁ। ଆମେ ଏହାର ପ୍ରତିବାଦ କରୁଛୁ।”

 

Comment