ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତୀକ୍ଷାର ଅନ୍ତ ଘଟିଛି। ଆଉ ଅଳ୍ପ କେତେଟା ସମୟ ପରେ ଭୁବନେଶ୍ବରର ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ହେବ ହକି ମହାସମର। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ଏହି ମହାସମର ଆରମ୍ଭ ହେଉଛି। ଉଦ୍‌ଘାଟନୀ ସମାରୋହକୁ କ୍ରୀଡ଼ା ପ୍ରେମୀ ଅପେକ୍ଷା କରିଛନ୍ତି।

ଶୁକ୍ରବାର ଅପରାହ୍ନ ୪ଟା୪୫ରେ ବିଶ୍ବ ହକି ଲିଗ୍‌ର ହେବ ପ୍ରଥମ ମ୍ୟାଚ। ପଡ଼ିଆରେ ମୁହାଁମୁହିଁ ହେବେ ଜର୍ମାନୀ ଏବଂ ଇଂଲଣ୍ଡ। ସେହିପରି ଦ୍ବିତୀୟ ମ୍ୟାଚରେ ଆୟୋଜକ ଭାରତ ଭେଟିବ ଅଷ୍ଟ୍ରେଲିଆ ଟିମ୍‌କୁ। ଦ୍ବିତୀୟ ମ୍ୟାଚ ଖେଳାଯିବ ସନ୍ଧ୍ୟା ସାଢ଼େ ୭ଟାରେ। ମ୍ୟାଚ ପୂର୍ବରୁ ଉଦ୍‌ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟନ ହେବ ଏହି ମହାସମର। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଡ଼ିଶାର ସଂସ୍କୃତି ଏବଂ ଐତିହ୍ୟର ଝଲକ ଦେଖିବାକୁ ମିଳିବ। ହକି ମହାସମର ପାଇଁ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି କଡ଼ାକଡ଼ି। ଗୁରୁବାର ଅପରାହ୍ନରେ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଷ୍ଟାଡିୟମରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।

କେମିତି କରିବେ ଗାଡ଼ି ପାର୍କିଂ

ଯାନବାହନ ପାସ୍‌ ନଥିବା କୌଣସି ଗାଡ଼ିକୁ ଷ୍ଟାଡିୟମ ଭିତରକୁ ଛଡ଼ାଯିବ ନାହିଁ। ସେବା ପ୍ରଦାନ କରୁଥିବା ଗାଡ଼ିଗୁଡ଼ିକୁ ପ୍ରଶାସନ ତରଫରୁ ପାସ୍‌ ମିଳିଛି। ଏହି ଗାଡ଼ିଗୁଡ଼ିକ ଗେଟ୍ ନମ୍ବର-୨ ଏବଂ ଗଣମାଧ୍ୟମ ଗାଡ଼ିଗୁଡିକ ଗେଟ୍ ନମ୍ବର-୯ରେ ପ୍ରବେଶ କରିବେ। ସେହିପରି ଗାଡ଼ି ପାସ୍‌ ରଖିଥିବା ଦର୍ଶକମାନେ ଗେଟ୍ ନମ୍ବର-୯ରେ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଦୁଇଚକିଆ ଗାଡ଼ିଗୁଡିକ ବେହେରା ସାହି ନିକଟରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା ଆଞ୍ଚଳିକ ଶିକ୍ଷାନୁଷ୍ଠାନ ପଡ଼ିଆ, ନୟାପଲ୍ଲୀ ଦୁର୍ଗାପୂଜା ପଡ଼ିଆ ଏବଂ ନିକୋ ପାର୍କ ରୋଡରେ ଗାଡ଼ି ପାର୍କିଂର ବ୍ୟବସ୍ଥା ହୋଇଛି। ନନ୍ଦନକାନନ ପଟୁ ଆସୁଥିବା ଦର୍ଶକ ବେହେରା ସାହି ପାର୍କିଂ ସ୍ଥଳରେ ଗାଡ଼ି ରଖି ପାରିବେ। ସେହିପରି ଖଣ୍ଡଗିରି ଏବଂ କଟକ ପଟୁ ଆସୁଥିବା କ୍ରୀଡ଼ାପ୍ରେମୀମାନେ ଆଞ୍ଚଳିକ ଶିକ୍ଷାନୁଷ୍ଠାନ ପଡ଼ିଆରେ ଗାଡ଼ି ରଖି ଆଚାର୍ଯ୍ୟବିହାର ଦେଇ ଷ୍ଟାଡିୟମକୁ ଯାଇ ପାରିବେ।

ମଇଦାନକୁ ଓହ୍ଲାଇବେ ୮ଟି ଟିମ୍‌

ହକି ମହାସମର ପାଇଁ ପ୍ରସ୍ତୁତ ହୋଇ ରହିଛି କଳିଙ୍ଗ ଷ୍ଟାଡିୟମ୍‌। ଏହି ମହାସମରରେ ସାମିଲ୍ ହୋଇଛନ୍ତି ବିଶ୍ବର ଟପ୍‌ ୮ଟି ଟିମ୍‌। ୮ଟି ଦେଶର ଜାତୀୟ ପତାକା ସହ ଷ୍ଟାର ଖେଳାଳିମାନଙ୍କୁ ନେଇ ଷ୍ଟାଡିୟମରେ ବ୍ରାଣ୍ଡିଂ କରାଯାଇଛି। ୧୦ ଦିନରେ ୨୨ଟି ମ୍ୟାଚ ଖେଳାଯିବ। ପ୍ରତି ଦଳ ୩ଟି ଲେଖାଏଁ ଲିଗ୍‌ ମ୍ୟାଚ ଖେଳିବେ। ଲିଗ୍‌ରେ ହାରିଲେ କିମ୍ବା ଜିତିଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏହାପରେ ସବୁ ଟିମ୍ ଖେଳିବେ କ୍ବାର୍ଟର ଫାଇନାଲ। କ୍ବାର୍ଟର ଫାଇନାଲ ସବୁ ଦଳ ପାଇଁ ଗୁରୁତ୍ବ ବହନ କରୁଛି। ବିଭିନ୍ନ ଟିମ୍‌ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି।

LEAVE A REPLY

Please enter your comment!
Please enter your name here