ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଢ଼େଇ ବର୍ଷ ପରେ ସୁରବାବା ଜେଲରୁ ମୁକୁଳିବା ପରେ ଝିଣ୍ଟି ଆଶ୍ରମ ପୁଣି ହୋଇ ଉଠିଛି ଚଳଚଞ୍ଚଳ। ଆଶ୍ରମମୁହାଁ ହୋଇଛନ୍ତି ଶ୍ରଦ୍ଧାଳୁ। ପୁଣିଥରେ ସୁର ସାମ୍ରାଜ୍ୟରେ ବିଶ୍ୱାସର ବେପାର ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଅଢ଼େଇ ବର୍ଷ ପରେ ଜେଲ୍‌ରୁ ମୁକୁଳିଛନ୍ତି ସୁରବାବା। ବାବାଙ୍କ ମୁକୁଳିବା ଖବର ପ୍ରଚାରିତ ହେବା ପରେ ସମର୍ଥକମାନେ ଖୁସି ପ୍ରକାଶ କରିଛନ୍ତି। ଝିଣ୍ଟି ଆଶ୍ରମରେ ବି ସମର୍ଥକଙ୍କି ଭିଡ଼ ଜମିଛି। ତେବେ ସୁରବାବା ଜେଲରୁ ଆସିବା ପରେ ଝିଣ୍ଟି ଆଶ୍ରମରେ ପୁଣି ବିଶ୍ବାସର ବେପାର ଚାଲିବ କି ବୋଲି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୨୦୧୫ରେ ବିବାଦକୁ ଆସିଥିଲା ଭୁବନେଶ୍ବର ଉପକଣ୍ଠ ଝିଣ୍ଟି ଶାସନରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମ। ଜମି ଦୁର୍ନୀତି, ନିର୍ଯାତନା, ଠକେଇ, ମହିଳା ଭକ୍ତଙ୍କୁ ଯୌନ ନିର୍ଯାତନା ଭଳି ସଙ୍ଗୀନ ମାମଲାରେ ସୁରବାବା ହୋଇଥିଲେ ଗିରଫ। ଆଶ୍ରମରେ ଅନିୟମିତା ଚାଲିଥିବା ଅଭିଯୋଗରେ ସ୍ଥାନୀୟ ଲୋକେ ଆଶ୍ରମ ପରିସରରେ କରିଥିଲେ ଭଙ୍ଗାରୁଜା। ଫଳରେ ୨୦୧୫ ଅଗଷ୍ଟ ୩୧ରେ ସୁରବାବା ଏବଂ ତାଙ୍କ ଦୁଇ ପୁଅଙ୍କୁ ଗିରଫ କରିଥିଲା ପୋଲିସ। କ୍ରାଇମବ୍ରାଞ୍ଚ କରିଥିଲା ଘଟଣାର ତଦନ୍ତ।

ସୁରବାବା ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ। ହାଇକୋର୍ଟରେ ଜାମିନ୍ ଆବେଦନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟରୁ ସୁରବାବା ପାଇଛନ୍ତି ଜାମିନ। ସୁରବାବା ଝିଣ୍ଟି ଆଶ୍ରମକୁ ଫେରିବା ପରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ହରିବୋଲ, ହୁଳହୁଳିରେ ଆଶ୍ରମ ପରିସର କମ୍ପୁଛି। ଆଶ୍ରମରେ ତିନି ଥାକିଆ ବ୍ୟବସ୍ଥା କରାଯାଇଛି। ବାବାଙ୍କୁ ଜଗି ରହିଛନ୍ତି ସମର୍ଥକ।

 

Comment