ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ଶାସନରେ ଓଡିଶାର ମହିଳାମାନେ ଅସୁରକ୍ଷିତ। ଏହାର ପ୍ରତିବାଦରେ ବିଜେପି ମହିଳା ମୋର୍ଚ୍ଚା ଆଜି ମାଷ୍ଟର କ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ବରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଥିଲେ।

ପ୍ରଭାତି ପରିଡ଼ା କହିଛନ୍ତି, “ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ(ଏନସିଆରବି)ର ତଥ୍ୟ ଅନୁସାରେ ଓଡିଶା ମହିଳା ବିରୋଧୀ ହିଂସାରେ ତୃତୀୟ ସ୍ଥାନରେ ରହିଛି। ବିଜେଡି ଶାସନରେ ମହିଳାମାନେ ଅସୁରକ୍ଷିତ ହୋଇ ପଡିଥିବା ପ୍ରମାଣିତ ହୋଇଛି। କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ, ବରଗଡଠାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ବ୍ରହ୍ମପୁରଠାରେ ଯୁବତୀଙ୍କ ଉପରକୁ ଏସିଡ୍ ମାଡ, ଅନୁଗୁଳଠାରେ ଚଳନ୍ତା ଆମ୍ବୁଲାନ୍ସ ଭିତରେ ମହିଳାକୁ ଦୁଷ୍କର୍ମ ଆଦି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ଲଜ୍ଜିତ କରିଛି।”

ମହିଳା ବିରୋଧୀ ହିଂସାକୁ ରୋକିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି ବୋଲି ସେୁ ଅଭିଯୋଗ କରିଛନ୍ତି।

ଏନସିଆରବିର ତଥ୍ୟ ଅନୁସାରେ ରାଜ୍ୟରେ ୧୯୮୪ ଜଣଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ୩୯୭ଟି  ଯୌତୁକଜନିତ ମୃତ୍ୟୁ ଘଟଣା ସାମନାକୁ ଆସିଛି। ୨୪୪୨ ଜଣଙ୍କର ଅପହରଣ ଓ ୮୨୬୯ ଜଣ ଶାରିରୀକ ହିଂସାର ଶିକାର ହୋଇଛନ୍ତି। ସବୁଠାରୁ ଉଦବେଗଜନକ କଥା ହେଲା ଯେ, ରାଜ୍ୟରେ ମହିଳା ହିଂସା ମାମଲାରେ ମାତ୍ର ୬.୨ ପ୍ରତିଶତ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଉଛନ୍ତି।

Comment