ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କ ଉତ୍ସବ ମଞ୍ଚରେ ଖ୍ୟାତିସମ୍ପନ୍ନ କଳାକାରଙ୍କ ନୃତ୍ୟରେ ତିନି ଦିନ ହେଲା ବିଭୋର ହେଉଥିବା ଦର୍ଶକ ଚତୁର୍ଥ ସନ୍ଧ୍ୟାରେ ବି ମଜିଛନ୍ତି। ବିମ୍ବାବତୀ ଦେବୀଙ୍କ ମଣିପୁରୀ ଏବଂ ଦକ୍ଷ ମଶ୍ରୁୱାଲାଙ୍କ ଓଡ଼ିଶୀ ନୃତ୍ୟ କୋଣାର୍କ ଉତ୍ସବ ମଞ୍ଚକୁ କରିଥିଲା ଆହୁରି ରୁଦ୍ଧିମନ୍ତ। ଏହି ଖ୍ୟାତିସମ୍ପନ୍ନ କଳାକାରଙ୍କ ନୃତ୍ୟରେ ମତୁଆଲା ହୋଇଥିଲେ ଦର୍ଶକ।
ରଙ୍ଗିନ୍ ଆଲୋକମାଳାରେ ଝଲସି ଉଠିଥିଲା କୋଣାର୍କ ମୁକ୍ତାକାଶ ମଞ୍ଚ। ଓଡ଼ିଶୀ ଓ ମଣିପୁରୀ ନୃତ୍ୟରେ ମତୁଆଲା ହୋଇଥିଲେ ଦର୍ଶକ। ଅବସର ଥିଲା କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା। କୋଲକାତାରୁ ଆସିଥିବା ବିମ୍ବାବତୀ ଦେବୀ ଏବଂ ମଣିପୁରୀ ନର୍ତ୍ତନାଳୟର କଳାକାରମାନେ ପରିବେଷଣ କରିଥିଲେ ମଣିପୁରୀ ନୃତ୍ୟ। ଏହାପରେ ଦକ୍ଷ ମଶ୍ରୁୱାଲା ଏବଂ ସାଥୀ କଳାକାରମାନେ ପରିବେଷଣ କରିଥିବା ଓଡ଼ିଶୀ ନୃତ୍ୟରେ ଦର୍ଶକ ଝୁମି ଯାଇଥିଲେ।
ମଣିପୁରୀ ନୃତ୍ୟର ଆଦ୍ୟ ସ୍ତବକ କଥୋକଚବାକୁ ନେଇ ଆସିଥିଲେ ବିମ୍ବାବତୀ ଦେବୀ ଏବଂ ତାଙ୍କ ସାଥୀ। ରସରାଜ କୃଷ୍ଣଙ୍କ ମଧୁର ନର୍ତ୍ତନକୁ କଳାକାରମାନେ ନିଖୁଣ ଭାବେ ପରିବେଷଣ କରିଥିଲେ। ମଣିପୁରୀର ପରବର୍ତ୍ତୀ ଅର୍ଘ୍ୟ ଥିଲା ମହାଶକ୍ତି। ଏହା ଆଦ୍ୟଶକ୍ତି ଜଗଦ୍ଧାତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ପରେ ନୃତ୍ୟ ବସନ୍ତକୁ ମଞ୍ଚାୟିତ କରିଥିଲେ ଶିଳ୍ପୀଗଣ। ଋତୁରାଜ ବସନ୍ତର ଶୋଭାକୁ ବଖାଣିଥିଲେ ଏହି ନୃତ୍ୟ ମାଧ୍ୟମରେ। ଜୟଦେବଙ୍କ ଶ୍ରୀଗୀତ ଗୋବିନ୍ଦକୁ ନେଇ ଶିଳ୍ପୀମାନେ ଅନ୍ତିମ ପରିବେଷଣ କରିଥିଲେ।
ମଣିପୁରୀ ପରେ ଓଡ଼ିଶୀ ନୃତ୍ୟ ଦର୍ଶକକଙ୍କୁ କରିଥିଲା ମନ୍ତ୍ରମୁଗ୍ଧ। ମୁମ୍ବାଇର ଦକ୍ଷ ମଶ୍ରୁୱାଲା ଓ ସାଥୀମାନଙ୍କ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ମଙ୍ଗଳାଚରଣରେ ନବଗ୍ରହ ବନ୍ଦନା, ପଲ୍ଲବୀରେ ଶୁଦ୍ଧ ନୃତ୍ୟ ଓ ଅଭିନୟରେ ଭକ୍ତକବି ସାଲବେଗଙ୍କ ରଚିତ ଜଣାଣ ‘ଆହେ ନୀଳ ଶଇଳର ଉପସ୍ଥାପନା ଏକ ରସସିକ୍ତ ପରିବେଶ ସୃଷ୍ଟି କରିଥିଲା। ଅନ୍ତିମ ଚରଣରେ ଦକ୍ଷ ମଶ୍ରୁୱାଲା ତୋଳି ଦେଇଥିଲେ ବସନ୍ତର କମନୀୟ ଶୋଭା ଓ ମନୋରମ ଦୃଶ୍ୟପଟ୍ଟର ମଞ୍ଜୁଳ ଛବି।
ଚତୁର୍ଥ ସନ୍ଧ୍ୟାରେ ଉତ୍ସବକୁ ଉଦଘାଟନ କରିଥିଲେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର, ନୃତ୍ୟ ସମୀକ୍ଷକ ଲୀଲା ଭେଙ୍କଟରମଣ, ତପତି ଚୌଧୁରୀ, ମଞ୍ଜରୀ ସିହ୍ନା, ପର୍ଯ୍ୟଟନ ନିର୍ଦ୍ଦେଶକ ଡକ୍ଟର ନିତୀନ ଭାନୁଦାସ ଜାୱାଲେ ଏବଂ ଉପ ନିର୍ଦ୍ଦେଶକ ଉତ୍ପଳ କୁମାର ପତି।
ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଡକ୍ଟର ସାଧନା ଶ୍ରୀବାସ୍ତବ ମଞ୍ଚ ପରିଚାଳନା କରିଥିଲେ। ସଂଗୀତ ନାଟକ ଏକାଡେମୀ ସଚିବ ପ୍ରଦୀପ କୁମାର ମିଶ୍ର, ଡ଼କ୍ଟର ସଂଗୀତା ଗୋସାଇଁ, ଉପ-ନିର୍ଦ୍ଦେଶକ ଉତ୍ପଳ ପତି, ରତିକାନ୍ତ ପଟ୍ଟନାୟକ, ପି କେ ଚାନ୍ଦ, ସୁଶାନ୍ତ ପାଣିଗ୍ରାହୀ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ବାଲିରେ ପୁରାତନ ଐତିହ୍ୟ
ଚନ୍ଦ୍ରଭାଗା ବେଳାଭୁମିରେ ଚାଲିଥିବା ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ସ୍ଥାନୀୟ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପ୍ରତିଦିନ ନୂଆ ନୂଆ ଥିମ୍କୁ ନେଇ ପ୍ରସ୍ତୁତ କରାଯାଉଥିବା ବାଲୁକା କଳାକୁ ଦର୍ଶକ ଉପଭୋଗ କରୁଛନ୍ତି। ଚତୁର୍ଥ ଦିନରେ ବାଲିରେ ପୁରାତନ ଐତିହ୍ୟ ସୁନ୍ଦର କଳାକୃତି ଦେଖିବାକୁ ମିଳିଥିଲା। କୋଣାର୍କ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ୫ ଦିନରେ ୫ଟି ଥିମ ରଖାଯାଇଛି। ଚଳିତବର୍ଷ ଏହି ବିଷୟଗୁଡିକ ମଧ୍ୟରେ ପ୍ରଥମ ଦିନ- Save the Sea, ଦ୍ୱିତୀୟ ଦିନ- Buddhist Heritage, ତୃତୀୟ ଦିନ- Eco Tourism, ଚତୁର୍ଥ ଦିନ- Ethnic Heritage ପ୍ରଦର୍ଶିତ ହୋଇଛି। ମଙ୍ଗଳବାର ପଞ୍ଚମ ଦିନରେ World Heritage ବିଷୟ ରହିଛି।








କୋଣାର୍କ ଉତ୍ସବ ମଞ୍ଚରେ ଖ୍ୟାତିସମ୍ପନ୍ନ କଳାକାରଙ୍କ ନୃତ୍ୟରେ ତିନି ଦିନ ହେଲା ବିଭୋର ହେଉଥିବା ଦର୍ଶକ ଚତୁର୍ଥ ସନ୍ଧ୍ୟାରେ ବି ମଜିଛନ୍ତି। ବିମ୍ବାବତୀ ଦେବୀଙ୍କ ମଣିପୁରୀ ଏବଂ ଦକ୍ଷ ମଶ୍ରୁୱାଲାଙ୍କ ଓଡ଼ିଶୀ ନୃତ୍ୟ କୋଣାର୍କ ଉତ୍ସବ ମଞ୍ଚକୁ କରିଥିଲା ଆହୁରି ରୁଦ୍ଧିମନ୍ତ। ଏହି ଖ୍ୟାତିସମ୍ପନ୍ନ କଳାକାରଙ୍କ ନୃତ୍ୟରେ ମତୁଆଲା ହୋଇଥିଲେ ଦର୍ଶକ।








