ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଭାରତର ଫାଇନାଲ ଆଶା ଧୂଳିସାତ୍
  • ୦-୧ ଗୋଲରେ ପରାସ୍ତ ହେଲା ଭାରତ
  • ଲିଗ୍‌ ମ୍ୟାଚରେ ବି ଖରାପ ପ୍ରଦର୍ଶନ କରିଥିଲା ଭାରତ
  • ଡିସେମ୍ବର ୧୦ରେ ଫାଇନାଲ

ସେମି ଫାଇନାଲରେ ଭାରତୀୟ ହକି ଟିମ୍‌କୁ ଲାଗିଛି ଜୋରଦାର ଝଟକା। ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଛି ଭାରତ। ଫଳରେ ଭାରତର ଫାଇନାଲ ଆଶା ଧୂଳିସାତ ହୋଇଯାଇଛି।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଶୁକ୍ରବାର ଖେଳା ଯାଇଥିଲା ହକି ବିଶ୍ୱ ଲିଗ୍‌ ଫାଇନାଲର ପ୍ରଥମ ସେମିଫାଇନାଲ୍। ଏଥିରେ ଭାରତକୁ ପରାସ୍ତ ହେବାକୁ ପଡ଼ିଛି। ଆର୍ଜେଣ୍ଟିନା ଟିମ୍ ଭାରତକୁ ୦-୧ ଗୋଲରେ ପରାଜିତ କରିଛି। ଆର୍ଜେଣ୍ଟିନାର ପେଇଲଟ ଗୋଞ୍ଜଲୋ ୧୭ ମିନିଟରେ ଭାରତ ବିପକ୍ଷରେ ଗୋଲ୍‌ ଦେଇଥିଲେ।

ଭାରତକୁ ହରାଇ ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଛି। ଡିସେମ୍ବର ୧୦ରେ ଆର୍ଜେଣ୍ଟିନା ଫାଇନାଲ ମ୍ୟାଚ ଖେଳିବ। ଡିସେମ୍ବର ୯ରେ ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏଥିରେ ଯେଉଁ ଟିମ୍ ଜିତିବ ତାକୁ ଆର୍ଜେଣ୍ଟିନା ମୁକାବିଲା କରିବ। ବର୍ଷା ଜାରି ରହିଥିବା ସତ୍ତ୍ବେ ବହୁ ଦର୍ଶକ ଆଜିର ସେମି ଫାଇନାଲ ମ୍ୟାଚ ଦେଖିଥିଲେ। ହେଲେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।

ଆର୍ଜେଣ୍ଟିନା ଗୁରୁବାର ଇଂଲଣ୍ଡକୁ ୩-୨ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ଏପଟେ ଭାରତୀୟ ହକି ଟିମ୍ ଶକ୍ତିଶାଳୀ ବେଲଜିୟମକୁ ହରାଇ ସେମି ଫାଇନାଲକୁ ଯାଇଥିଲା। ଲିଗ୍‌ ମ୍ୟାଚରେ ଭାରତ ଖରାପ ପ୍ରଦର୍ଶନ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଡ୍ର ରହିଥିବା ବେଳେ ଇଂଲଣ୍ଡ ଓ ଜର୍ମାନୀ ବିପକ୍ଷ ମ୍ୟାଚ ନୈରାଶ୍ୟଜନକ ରହିଥିଲା।

Comment