ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉଠାଇ ବିରୋଧୀ ଅଚଳ କରୁଛନ୍ତି ବିଧାନସଭା। ଗୁରୁବାର ମହାନଦୀ ପ୍ରସଙ୍ଗରେ ଗୃହ ଅଚଳ ହୋଇଥିବା ବେଳେ ଶୁକ୍ରବାର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି ଦେଖିବାକୁ ମିଳିଛି।

ମହାନଦୀ ତାତିରେ ବିଧାନସଭା ଅଚଳ ହେବା ପରେ ଆଜି ଚାଷୀ ପ୍ରସଙ୍ଗକୁ ନେଇ ଗୃହ ଅଚଳ ହୋଇଛି। ଶୁକ୍ରବାର ଚାଷୀ ଆତ୍ମହତ୍ୟାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଚାଷୀ ଆତ୍ମହତ୍ୟାକୁ ସରକାର କାହିଁକି ସ୍ବୀକାର କରୁ ନାହାନ୍ତି ବୋଲି ବିଜେପି ସଭ୍ୟ ପ୍ରଶ୍ନ କରିଛନ୍ତି। ଏହାସହ କୃଷି ଋଣ ଛାଡ଼ କରିବାକୁ ବିଜେପି ଦାବି କରିଛି।

ଏ ପ୍ରସଙ୍ଗରେ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, “ଛୋଟ ଛୋଟ କଥାକୁ କେନ୍ଦ୍ର କରି ବିରୋଧୀ ହୋ-ହଲ୍ଲା କରୁଛନ୍ତି। ଯଦି କୃଷି ସମସ୍ୟାର ସମାଧାନ ପାଇଁ ବିଧାନସଭାରେ ଆଲୋଚନା କରା ଯାଆନ୍ତା ତାହାଲେ କିଛି ନିଷ୍କର୍ସ ବାହାରି ପାରନ୍ତା।”

ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ପ୍ରତିକ୍ରିୟାର ଜବାବ ଦେଇଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ। ସେ କହିଛନ୍ତି ଯେ, ବୃନ୍ଦା ସାହୁଙ୍କ ଆତ୍ମହତ୍ୟାକୁ ସେତେବେଳେ କୃଷିମନ୍ତ୍ରୀ ମାନିଲେ ନାହିଁ କାହିଁକି? କେନ୍ଦ୍ର କୃଷିମନ୍ତ୍ରୀ ବୃନ୍ଦା ସାହୁଙ୍କ ପରିବାରକୁ ଭେଟିବା ପାଇଁ ଆସିବା ବେଳେ ଓଡ଼ିଶା କୃଷିମନ୍ତ୍ରୀ ବୃନ୍ଦା ସାହୁ ପରିବାରକୁ ବିଜେପି ବୋଲି କହିଥିଲେ। ତେବେ କୃଷିମନ୍ତ୍ରୀ ସ୍ପଷ୍ଟ କରନ୍ତୁ ସେ ବିଜେଡିର ନା ଓଡ଼ିଶାବାସୀଙ୍କ ମନ୍ତ୍ରୀ?”

ପ୍ରଥମାର୍ଦ୍ଧରେ ବାରମ୍ବାର ଗୃହ ମୁଲତବି ହେବାରୁ କଂଗ୍ରେସ ଉଭୟ ବିଜେଡି ଏବଂ ବିଜେପିକୁ ସମାଲୋଚନା କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ ବିଜେପି ଓ ବିଜେଡି ଗୃହକୁ ଚଲାଇ ଦେଉ ନାହାନ୍ତି।

ଗୁରୁବାର ମହାନଦୀ ପ୍ରସଙ୍ଗରେ ବିଧାନସଭା ଅଧିବେଶନ ଧୋଇ ହୋଇଯାଇଥିଲା। ଶେଷରେ ସର୍ବଦଳୀୟ ବୈଠକ ପରେ ସ୍ବାଭାବିକ ଅବସ୍ଥା ଫେରିଥିଲା।

Comment