ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ରାହୁଲ୍‌
  • ରାହୁଲ୍‌ କହିଲେ, “ବିଜେପି ଯୋଗୁ ଦେଶରେ ନିଆଁ ଲାଗିଛି”
  • କଂଗ୍ରେସ ହିଁ ହିଂସାକୁ ରୋକି ପାରିବ
  • କଂଗ୍ରେସମୁକ୍ତ ଭାରତ ସ୍ଲୋଗାନକୁ ସମାଲୋଚନା କଲେ ରାହୁଲ୍
  • ଭାରତକୁ ସ୍ନେହ ଓ ଭାଇଚାରାର ଦେଶ ଭାବେ ପ୍ରତିଷ୍ଠା କରିବାକୁ ଆହ୍ୱାନ

“ବିଜେପି ଯୋଗୁ ସମଗ୍ର ଦେଶରେ ଆଜି ନିଆଁ ଲାଗିଛି। ଦେଶ ହିଂସାର ବାତାବରଣ ଦେଇ ଗତି କରୁଛି। ବିଜେପି ଦ୍ୱାରା ଅସହିଷ୍ଣୁତାର ବୀଜ ବୁଣା ଯାଉଛି।ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ପୂରା ପଛକୁ ନେଇ ଯାଇଛନ୍ତି”, ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ରାହୁଲ ଗାନ୍ଧି ଏଭଳି କଡ଼ା ଭାଷାରେ ବିଜେପିକୁ ଟାର୍ଗେଟ କରିଛନ୍ତି।

ରାହୁଲ ଗାନ୍ଧି ଶନିବାର ଦିନ ଆନୁଷ୍ଠାନିକ ଭାବେ କଂଗ୍ରେସର ସଭାପତି ଦାୟିତ୍ବ ନେଇଛନ୍ତି। ଡିସେମ୍ବର ୧୧ ତାରିଖରେ ସେ ସଭାପତି ନିର୍ବାଚିତ ହୋଇଥିଲେ। ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପସ୍ଥିତିରେ ରାହୁଲ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ବାହାରେ କର୍ମକର୍ତ୍ତାଙ୍କ ଅସମ୍ଭବ ଭିଡ଼ ହୋଇଥିଲା।କର୍ମକର୍ତ୍ତା ମାନେ ଜମାଣିଆ ଡ୍ୟାନ୍ସ କରିଥିଲେ। ଅଧ୍ୟକ୍ଷ ହେବା କ୍ଷଣି ରାହୁଲ ବିଜେପି ଉପରେ ବର୍ଷିଥିଲେ।

ରାହୁଲ କହିଥିଲେ ଯେ, ଦେଶରେ ଥରେ ନିଆଁ ଲାଗିଗଲା ପରେ ତାକୁ ଲିଭାଇବା କଷ୍ଟ। ଏଇ କଥା ହିଁ ଆମେ ବିଜେପିର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛୁ। ଯଦି ଥରେ ନିଆଁ ଲଗେଇଲ ଜାଣ ତାହାକୁ ଲିଭାଇବା ପାଇଁ ବହୁତ କଷ୍ଟ କରିବାକୁ ହେବ। ଆଜି ପୂରା ଦେଶରେ ହିଂସା ଖେଳାଇ ଦିଆଯାଇଛି। ପୂରା ଦେଶରେ କେବଳ କଂଗ୍ରେସ ହିଁ ଗୋଟିଏ ଶକ୍ତି ଯାହା ଏହି ହିଂସାକୁ ରୋକି ପାରିବ। ସେମାନେ ଭାଙ୍ଗୁ ଛନ୍ତି, ଆମେ ଯୋଡ଼ିବୁ। ସେମାନେ କ୍ରୋଧ ଆଚରଣ କରୁଛନ୍ତି, ଆମେ ଲୋକଙ୍କୁ ସ୍ନେହର ଡୋରରେ ବାନ୍ଧିବୁ।

ଏହି ଅବସରରେ ରାହୁଲ ବିଜେପିର କଂଗ୍ରେସମୁକ୍ତ ଭାରତ ସ୍ଲୋଗାନକୁ ସମାଲୋଚନା କରିଥିଲେ।

“ଆମେ ବିଜେପିର ଲୋକଙ୍କୁବି ଭାଇ ଭଉଣୀ ବୋଲି ମାନୁଛୁ। ହେଲେ ସେମାନେ ଚାହୁଁଛନ୍ତି ଆମକୁ ଶେଷ କରିଦେବା ପାଇଁ। ମାତ୍ର ଆମେ ତାଙ୍କ ଭଳି କଦାପି ଭାବୁ ନାହୁଁ। ଘୃଣାର ମୁକାବିଲା ଆମେ ଘୃଣାରେ କରିବାକୁ ଚାହୁଁନାହୁଁ। ପ୍ରେମର ସହ ମୁକାବିଲା କରିବା ଆମର ଇଚ୍ଛା”, କହିଛନ୍ତି ରାହୁଲ ଗାନ୍ଧି।

ରାହୁଲ କଂଗ୍ରେସକୁ ସବୁଠାରୁ ପୂରାତନ ଦଳ ବୋଲି କହିବା ସହିତ ଏହାକୁ ଯୁବ ଦଳରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ। “ମୁଁ ଦେଶର ଯୁବକମାନଙ୍କୁ ଆହ୍ୱାନ କରୁଛି ଆସନ୍ତୁ କଂଗ୍ରେସକୁ ଭାରତର grand old and young ଦଳରେ ପରିଣତ କରିବା। ମୁଁ ଆପଣଙ୍କୁ ନିମନ୍ତ୍ରଣ ଦେଉଛି,ଆସନ୍ତୁ ଆମେ ଭାରତକୁ ସ୍ନେହ ଓ ଭାଇଚାରାର ଦେଶ ଭାବେ ପ୍ରତିଷ୍ଠା କରିବା। ଆମେ କ୍ରୋଧ ଓ ହିଂସାର ରାଜନୀତି ଠାରୁ ଦୂରରେ ରହିବା।”

କଂଗ୍ରେସ ଦପ୍ତରରେ ଆୟୋଜିତ ଦାୟିତ୍ୱ ଗ୍ରହଣ ଉତ୍ସବରେ ନିର୍ବାଚନ ଅଧିକାରୀ ଏମ୍‌ ରାମଚନ୍ଦ୍ରନ ରାହୁଲଙ୍କ ହାତରେ ନିର୍ବାଚନ ସମ୍ପର୍କିତ ପ୍ରମାଣ ପତ୍ର ବଢ଼େଇ ଦେଇଥିଲେ। ଉତ୍ସବରେ ସୋନିଆ ଓ ମନମୋହନ ସିଂହଙ୍କ ବ୍ୟତୀତ ମୋତିଲାଲ ଭୋରା, ମଧୁସୂଦନ ମିସ୍ତ୍ରୀ, ଜନାର୍ଦନ ଦ୍ୱିବେଦି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ସମାରୋହରେ କହିଛନ୍ତି ଯେ, କଂଗ୍ରେସ ଇତିହାସରେ ଆଜି ହେଉଛି ସବୁଠାରୁ ସ୍ମରଣୀୟ ଦିନ। ବିଗତ ୧୯ବର୍ଷ ଧରି ସୋନିଆ ଗାନ୍ଧି ଦଳର ନେତା ରହି ଆସିଛନ୍ତି। ଏହି ସମୟ ମଧ୍ୟରେ ଦଳ ମଜବୁତ ହୋଇଛି। ସୋନିଆଙ୍କ ଅବଦାନକୁ ଦଳ ସବୁବେଳେ ମନେ ରଖିବ।

LEAVE A REPLY

Please enter your comment!
Please enter your name here