ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ସର୍ବୋଚ୍ଚ ନ୍ୟା଼ଳୟର ୪ ଜଣ ବରିଷ୍ଠ ବିଚାରପତି ମିଡିଆ ସାମ୍ନାରେ ଯେଉଁ ଖୋଲାଖୋଲି ଅଭିଯୋଗ ଉଠାଇଛନ୍ତି ତାକୁ ଅଣଦେଖା କରିବା ଉଚିତ୍‌ ନୁହେଁ। ଏହି କଥା ଉଠାଇଛନ୍ତି ଦେଶର ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତା ଏବଂ ବହୁ ବରିଷ୍ଠ ଆଇନଜୀବୀ ଓ ସାମାଜିକ କର୍ମୀ।

ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ଘଟଣାରେ ପ୍ରତିକ୍ରିୟ ପ୍ରକାଶ କରିଛନ୍ତି। ଆଜି କଂଗ୍ରେସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ ରାହୁଲ। ସେ କହିଛନ୍ତି ଯେ, ଆଇନ୍‌ ବ୍ୟବସ୍ଥା ଉପରେ ପୂରା ଭାରତ ଭରସା କରେ। ତେଣୁ ସୁପ୍ରିମକୋର୍ଟର ବିଚାରପତିମାନେ ଯେଉଁ ଅଭିଯୋଗ ଉଠାଇଛନ୍ତି ସେ ବିଷୟରେ ଗୁରୁତର ସହ ଅନୁଧ୍ୟାନ କରିବା ଉଚିତ୍।

ଏହି ଘଟଣା ଅସ୍ବାଭାବିକ ବୋଲି ବର୍ଣ୍ଣନା କରିବା ସହ ସେ କହିଥିଲେ ଯେ, ନ୍ୟାୟପାଳିକା ଉପରୁ ଯେପରି ଲୋକଙ୍କ ଆସ୍ଥା ତୁଟି ନଯାଏ ସେ ଦିଗରେ ଆମେ ଧ୍ୟାନ ଦେବା ଉଚିତ୍। ଅନ୍ୟଥା ଏହା ଗଣତନ୍ତ୍ର ପାଇଁ ବିପଦର କାରଣ ସାଜିପାରେ।

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ କରନ୍ତୁ : ସୁବ୍ରମଣ୍ୟମ ସ୍ୱାମୀ

ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ବିଚାରପତିମାନେ ମିଡି ସାମ୍ନାକୁ ଆସିବା ଭାରତୀୟ ନ୍ୟାୟପାଳିକା ଇତିହାସରେ ପ୍ରଥମ ଘଟଣା। ବିଚାରପତିମାନେ ଗୁରୁତର ପ୍ରସଙ୍ଗ ସାମ୍ନାକୁ ଆଣିଛନ୍ତି। ସଂପୃକ୍ତ ବିଚାରପତିମାନଙ୍କ ସମ୍ପର୍କରେ ସେ କହିଛନ୍ତି ଯେ, ସେମାନଙ୍କ କଥାକୁ ସାମାନ୍ୟ ସନ୍ଦେହ କରିବା ଉଚିତ୍‌ ନୁହେଁ।

ନ୍ୟାୟପାଳିକାର ନିଷ୍ଠାକୁ ବିକ୍ରି କରି ହେବ ନାହିଁ : ସିପିଏମ୍‌

ସିପିଏମ୍‌ ନେତା ତଥା ବରିଷ୍ଠ ଆଇନ୍‌ଜୀବୀ କେଟିଏସ୍‌ ତୁଲସୀ ଏହି ଘଟଣାରେ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ନ୍ୟାୟପାଳିକାର ନିଷ୍ଠାକୁ ବିକ୍ରି କରିହେବ ନାହିଁ। ଘଟଣାକୁ ଅଭୁତପୂର୍ବ ବୋଲି ବର୍ଣ୍ଣନା କରିବା ସହ ଏହି ମାମଲାର ଉଚିତ୍ ମାର୍ଗଦର୍ଶନ କରାଯିବା ଉଚିତ୍ ବୋଲି ସେ କହିଛନ୍ତି।

 

ଶନିବାର ସବୁ ସମସ୍ୟା ସମାଧାନ ହୋଇଯିବ : ଆଟର୍ଣ୍ଣି ଜେନେରାଲ

ତେବେ ଏହି ଘଟଣାରେ ସରକାର କୌଣସି ହସ୍ତକ୍ଷେପ କରିବେ ନାହିଁ। ଏକଥା ସ୍ପଷ୍ଟ କରିଛନ୍ତି ଆଟର୍ଣ୍ଣି ଜେନେରାଲ ବେଣୁଗୋପଳ। ସେ କହିଛନ୍ତି ଯେ, ଶନିବାର ସୁଦ୍ଧା ଘଟଣାର ସମାଧାନ ହୋଇଯିବ। ତେଣୁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ।

Comment