ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ ଅକ୍ଟୋବର ୧୦ ତାରିଖରୁ ନ୍ୟାୟ ପାଇଁ ସଂଘର୍ଷ କରୁଥିବା କୁନ୍ଦୁଲିର ନାବାଳିକା ୨୦୧୮ ଜାନୁଆରୀ ୨୨ରେ ଜୀବନ ହାରିଛନ୍ତି। ନ୍ୟାୟକୁ ଚାହିଁ ଚାହିଁ କୁନ୍ଦୁଲି ପୀଡ଼ିତା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।
୨୦୧୭ ଅକ୍ଟୋବର-୧୦: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ସୋରିଷପଦର ଜଙ୍ଗଲ ନିକଟରେ ଘଟିଥିଲା ଅଭାବନୀୟ ଘଟଣା। ଏହି ଜଙ୍ଗଲ ରାସ୍ତା ଦେଇ କୁନ୍ଦୁଲି ଗାଁର ଜନୈକା ନାବାଳିକା ଭାଇ ସହ ଯାଉଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଗଣଦୁର୍ଷ୍କମରେ ପୀଡ଼ିତା ଜଣକ ଗୁରୁତର ହୋଇ କୋରାପୁଟ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାରେ ୪ ଜଣ ଯବାନଙ୍କ ହାତ ରହିଥିବା ପୀଡ଼ିତା ଅଭିଯୋଗ କରିଥିଲେ। ହେଲେ ଯବାନଙ୍କ ସଂପୃକ୍ତି ନାହିଁ ବୋଲି ସେତେବେଳେ ପୋଲିସ ଡିଜି କହିଥିଲେ।
ଅକ୍ଟୋବର-୧୧: କ୍ଷତିପୂରଣ ଦାବିରେ କୁନ୍ଦୁଲି ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ। ପଟ୍ଟାଙ୍ଗି ମୁଖ୍ୟ ରାସ୍ତାକୁ ବନ୍ଦ କରି ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ।
ଅକ୍ଟୋବର ୧୨: ଗଣଦୁଷ୍କର୍ମ ଅଭିଯୋଗର ଗୁରୁତ୍ବକୁ ଦୃଷ୍ଟିରେ ରଖି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମାମଲାକୁ ‘ରେଡ୍ ଫ୍ଲାଗ୍’ ଶ୍ରେଣୀରେ ସାମିଲ୍ କରିଥିଲେ। ମାମଲାର ତୁରନ୍ତ ବିଚାର ପରିବା ପାଇଁ ଏହି ଶ୍ରେଣୀରେ ଗୁରୁତ୍ବପୂର୍ଣ୍ଣ ମାମଲାକୁ ଅନ୍ତର୍ଭୁକ୍ତ କରାଯାଏ। ଏହାସହ ଏହି ତାରିଖରେ କ୍ରାଇମବ୍ରାଞ୍ଚର ଫୋରେନସିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିଲା।

ଅକ୍ଟୋବର ୧୪: ପୀଡ଼ିତାଙ୍କା ଗାଁର ୪ ଜଣଙ୍କୁ ଅଟକ ରଖିଥିଲା ପୋଲିସ। ସେମାନଙ୍କୁ ଡାକି ଥାନରେ ଜେରା କରିବା ସହ ଭୁବନେଶ୍ବର ଫୋରେନ୍ସିକ୍ ଲାବରେ ନାର୍କୋ ଟେଷ୍ଟ କରାଯାଇଥିଲା। ପରେ ସେମାନଙ୍କୁ ଛାଡ଼ି ଦେଇଥିଲା ପୋଲିସ।
ଅକ୍ଟୋବର ୧୬: ପୀଡ଼ିତାଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଥିଲା କଂଗ୍ରେସ। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ କଂଗ୍ରେସ ୭ ଘଣ୍ଟା କୋରାପୁଟ ବନ୍ଦ କରିଥିଲା। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ଚେତାବନୀ ଦେଇଥିଲା।
ଅକ୍ଟୋବର ୧୭: ପୀଡ଼ିତାଙ୍କୁ ଭେଟିବା ପାଇଁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯାଇଥିଲେ କୋରାପୁଟ। ପୀଡ଼ିତାଙ୍କୁ ନ୍ୟାୟ ମିଳୁ ନଥିବାରୁ ହରିଚନ୍ଦନ ଉଦ୍ବେଗ ପ୍ରକାଶ କରିବା ସହ ପଦଯାତ୍ରା କରିଥିଲେ। କୁନ୍ଦୁଲିରୁ ଏହି ପଦଯାତ୍ରା ବାହାରି ଦକ୍ଷିଣାଞ୍ଚଳ ଆରଡିସି ଅଫିସ୍ ପର୍ଯ୍ୟନ୍ତ ଆସିଥିଲା।
ନଭେମ୍ବର ୫: ବିଜେଡି ଦଳିତ ସେଲ୍ ସଭାପତି ବିଷ୍ଣୁ ଦାସ କୁନ୍ଦୁଲି ଯାଇ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟକୁ ଆଧାର କରି ଓଡ଼ିଶା ପୋଲିସର କାର୍ଯ୍ୟକଳାପ ଉପରେ ଆଙ୍ଗୁଳି ଉଠାଇଥିଲେ। ଓଡ଼ିଶା ପୋଲିସ ଉପରେ ଭରସା ପାଉନାହିଁ ବୋଲି କହିଥିଲେ।
ନଭେମ୍ବର ୭: କୁନ୍ଦୁଲି ପୀଡ଼ିତାଙ୍କ ସହ କୌଣସି ବଳାତ୍କାର ହୋଇନି। ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିଲେ ଏଚ୍ଆର୍ପିସି ଏଡିଜି ମହେନ୍ଦ୍ର ପ୍ରତାପ। ମେଡିକାଲ ରିପୋର୍ଟକୁ ଆଧାର କରି ସେ ଏହି ମନ୍ତବ୍ୟ ଦେଇଥିବା କହିଥିଲେ। ଏହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ପୀଡ଼ିତାଙ୍କୁ ନ୍ୟାୟ ନଦେବା ପାଇଁ ସରକାର ଏଭଳି ନାଟକବାଜି କରୁଥିବା ବିରୋଧୀ ଅଭିଯୋଗ କରିଥିଲେ।
ନଭେମ୍ବର ୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚ ଏବଂ ଜଣେ ବିଚାରପତି ଘଟଣାର ତଦନ୍ତ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କୋରାପୁଟ ଜିଲ୍ଲା ଜଜ୍ଙ୍କ ନେତୃତ୍ବରେ ତଦନ୍ତ ଚାଲିଥିଲା।
ନଭେମ୍ବର ୧୯: ଅତ୍ୟଧିକ ଆଇରନ୍ ବଟିକା ଖାଇ ପୀଡ଼ିତା ଗୁରୁତର ହୋଇଯାଇଥିବା କୁହାଗଲା। ତାଙ୍କୁ ଏସ୍ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏସ୍ସିବିର ମେଡିସିନ୍ ବିଭାଗ ଆଇସିୟୁରେ ତାଙ୍କୁ ଚିକିତ୍ସା କରାଯାଉଥିଲା।

ନଭେମ୍ବର ୨୫: ଏସ୍ସିବି ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପରିବାରବର୍ଗ। ପୀଡ଼ିତାକୁ ଜାଣିଶୁଣି ମେଡିକାଲରୁ ଛଡ଼ା ଯାଉ ନଥିବା କଟକ ମଙ୍ଗଳବାଗ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ମାଆ।
ନଭେମ୍ବର ୨୭: ବହୁ ବାଦ ବିବାଦ ପରେ ପୀଡ଼ିତାଙ୍କୁ ଏସ୍ସିବି ମେଡିକାଲରୁ ଡିସ୍ଚାର୍ଜ କରାଯାଇଥିଲା। ହେଲେ ଏହି ସମୟରେ ମହାଭାରତ ସୃଷ୍ଟି ହୋଇଥିଲା। ପୀଡ଼ିତାଙ୍କ ଖୁଡ଼ିଙ୍କୁ ପୀଡ଼ିତାଙ୍କ ସହ ଯିବା ପାଇଁ ପୋଲିସ ଅନୁମତି ନଦେବାରୁ କଂଗ୍ରେସ କର୍ମୀ ମେଡିକାଲ ପରିସରରେ ଧାରଣାରେ ବସିଥିଲେ। ପରେ ପୀଡ଼ିତା ପରିବାରବର୍ଗଙ୍କ ସହ ଘରକୁ ଫେରିଥିଲେ।
୨୦୧୮ ଜାନୁଆରୀ ୨୨: କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ନିଜ ଘରେ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କୁନ୍ଦୁଲି ମେଡିକାଲକୁ ନେଇଥିଲେ ପରିବାରର୍ଗ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।








୨୦୧୭ ଅକ୍ଟୋବର ୧୦ ତାରିଖରୁ ନ୍ୟାୟ ପାଇଁ ସଂଘର୍ଷ କରୁଥିବା କୁନ୍ଦୁଲିର ନାବାଳିକା ୨୦୧୮ ଜାନୁଆରୀ ୨୨ରେ ଜୀବନ ହାରିଛନ୍ତି। ନ୍ୟାୟକୁ ଚାହିଁ ଚାହିଁ କୁନ୍ଦୁଲି ପୀଡ଼ିତା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।