ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଘରେ ଘରେ ଆଲବମ୍ କୁଇନ୍ ଭାବେ ପରିଚିତ ଲିପି। ରହ ରହ ତୋ ବୋଉକୁ କହୁଛି, ଝିଅ ମୁଁ ଏକ ନମ୍ବର, ଜାଇ ଫୁଲରେ ଜାଇ ଫୁଲ ଭଳି ଲୋକପ୍ରିୟ ଗୀତରେ ଠୁମ୍କା ଲଗାଇସାରିଛନ୍ତି ସେ।
ବେଶ କିଛି ବର୍ଷ ତଳେ ଆଜିକାର ଚଳଚ୍ଚିତ୍ର ଓ ଟେଲିନାୟିକା ଲିପି ଥିଲେ ଆଲବମ୍ କୁଇନ୍। ହଁ, ଲିପିଙ୍କ ପ୍ରକୃତ ନାମ ହେଉଛି ସୁଶ୍ରୀ ସଂଗୀତା ମହାପାତ୍ର। ସେ ଆଲବମ୍ ଦୁନିଆର ନମ୍ବର ୱାନ୍ ନାୟିକା ଭାବେ ପରିଗଣିତ ହେବା ସମୟରେ ତାଙ୍କ ପାଖକୁ ଅନେକ ଟେଲି ସିରିଏଲର ଅଫର୍ ଆସୁଥିଲା। ହେଲେ ସେ ସବୁବେଳେ ମନା କରିଆସୁଥିଲେ। ଅବଶ୍ୟ ମଝିରେ ମଝିରେ ତାଙ୍କୁ ଛୋଟ ପରଦାରେ ଦେଖିବାକୁ ମିଳିଛି। ତାଙ୍କୁ ନିକଟରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଛି।
କିନ୍ତୁ ସଂପ୍ରତି ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ‘ତାରା ତାରିଣୀ’ରେ ଫିମେଲ୍ ଲିଡ୍ରେ ନଜର ଆସୁଛନ୍ତି ଲିପି। ଲିପି ଯେ ଏତେ ଶୀଘ୍ର ହାର ମାନିଯିବେ ଓ ଯେଉଁ ମେଗା ଧାରାବାହିକ ଗୁଡ଼ିକର ଅଫରକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସୁଥିଲେ, ସେ ପୁଣି ଏକ ମେଗା ଧାରାବାହିକର ନାୟିକା ସାଜିବେ, ତାହା ଏବେ ସତ ପାଲଟିଛି। ଏହାର ଏକମାତ୍ର କାରଣ ହେଉଛନ୍ତି ତାରାତାରିଣୀର ପ୍ରଯୋଜକ ଯତୀନ ନାୟକ।
ଯତୀନ ନାୟକ ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ପାଇଁ ଲିପି ଗ୍ଲାମର ଲାଇନରେ ପାଦ ଥାପିଥିଲେ। ସେତେବେଳେ ଯତୀନ ଥିଲେ ଜଣେ ପ୍ରଡକକ୍ସନ ମ୍ୟାନେଜର। ଆଉ ସେହି ଆଲବମ୍ ଦୁନିଆକୁ ଆଣିଥିଲେ ଏହି ଗ୍ଲାମର ନାୟିକାଙ୍କୁ। ଏହା ପଛରେ ବି ମଜ୍ଜାଦାର କଥା ରହିଛି।
ଯତୀନ ନାୟକ ଯେତେବେଳେ ଆଲବମ୍ର ନାୟିକା ହେବା ପାଇଁ ପ୍ରସ୍ତାବ ଦେଇଥିଲେ ଲିପିଙ୍କୁ, ସେତେବେଳେ ସେ ପ୍ରଥମେ ରାଜି ହୋଇନଥିଲେ। ତାଙ୍କ ବାପା ଜଣେ ପୁଲିସ ଅଧିକାରୀ ଥିବା ହେତୁ ସେ ବି ଚାହୁଁଥିଲେ ଝିଅ ବି ତାଙ୍କ ଭଳି ହେଉ। ହେଲେ ତାହା ତ ସମ୍ଭବ ହେଲାନି। ହଁ ଲିପି ଯତୀନଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ମଧ୍ୟ ନିରାଶ ହୋଇନଥିଲେ ଯତୀନ । ସେ ପୁଣି ଥରେ ଲିପିଙ୍କ ପାଖକୁ ଯାଇଥିଲେ ହେଲେ ଏଥର କେତୋଟି ଆଲବମ୍ ଭିସିଡି ସାଙ୍ଗରେ ନେଇଯାଇଥିଲେ । ଲିପିଙ୍କୁ ସେହିସବୁ ଆଲବମ୍ ଦେଖିବାକୁ କହି ଚାଲିଯାଇଥିଲେ।
ଲିପି ଏମିତି କୌତୁହଳବଶତଃ ସେହି ଆଲବମଗୁଡ଼ିକୁ ଦେଖିଥିଲେ। ହେଲେ ସେତେବେଳକୁ ଆଲବମ୍ ନାୟିକା ହେବାର କଥା ତାଙ୍କ ମନକୁ ଆସିନଥାଏ। ସେହି ଆଲବମ୍ ଭିତରୁ ଗୋଟିଏ ଗୀତରେ ନାୟିକାଙ୍କ ଅଭିନୟ ଖୁବ୍ ମନକୁ ଛୁଇଁଥିଲା ଲିପିଙ୍କର। ଆଉ ସେହି ଗୀତଟା ହେଲା ମୋ ଦେହରେ ଓଢ଼ଣୀ ପଡ଼ିଛି ନୂଆ ନୂଆ। ସେଥିରେ ନାୟିକା ମଇନାଙ୍କ ଅଭିନୟରେ ସେ ଏତେ ପ୍ରଭାବିତ ହେଲେ ଯେ ନିଜ ଆଡୁ ଏଥର ଯତୀନ ନାୟକଙ୍କୁ ଆଲବମରେ ଅଭିନୟ କରିବାକୁ ସମ୍ମତି ଜଣାଇଥିଲେ।
ଲିପି ପ୍ରଥମେ ସାର୍ଥକ ମ୍ୟୁଜିକ୍ ପ୍ରସ୍ତୁତ ନୂଆ ଝିଅଟିଏ ରାସ୍ତା ଉପରେ ଆଲବମରେ ନାୟିକା ଭାବେ ଚୁକ୍ତିବଦ୍ଧ ହୋଇଥିଲେ। ଏହାର ସୁଟିଂ ବି ନିର୍ଦ୍ଦିଷ୍ଟ ସମୟରେ ଶେଷ ହୋଇଥିଲା। ହେଲେ ଏହା ପଛରେ ରିଲିଜ୍ ହେଲା। ତାଙ୍କ ଅଭିନୀତ ଏହି ଆଲବମ୍ ରିଲିଜ୍ ହେବା ଆଗରୁ ତାଙ୍କର ଅନ୍ୟ ଏକ ଆଲବମ୍ ଓଡ଼ିଶାରେ ଲୋକପ୍ରିୟ ହୋଇସାରିଥିଲା ତାହା ହେଲା ମୁଁ ବିନା ଘୁଙ୍ଗୁରରେ ନାଚୁଛି।
ଆଉ ଏକ ଉଲ୍ଲେଖନୀୟ କଥା ହେଲା ଲିପି ଅଭିନୀତ ଏ ଦୁଇଟି ଭିଡିଓ ଆଲବମର ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ଆବଲମ୍ ଡିରେକ୍ଟର ଜୟପ୍ରକାଶ ମହାନ୍ତି। ପ୍ରଥମ ଆଲବମର ସୁଟିଂ ସମୟରେ ହିଁ ଜୟପ୍ରକାଶ ମହାନ୍ତିଙ୍କୁ ନିଜର ଗୁରୁ ରୂପେ ସ୍ଵୀକାର କରିଥିଲେ ଲିପି। ଏଥିପାଇଁ ପରବର୍ତ୍ତୀ ସମୟରେ ସେ ଜୟପ୍ରକାଶ ମହାନ୍ତିଙ୍କ ନିର୍ଦ୍ଦେଶନାରେ ହିଁ କାମ କରି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ।

୫୦୦ରୁ ଅଧିକ ଆଲବମ୍ ଗୀତରେ ଅଭିନୟ କରିଥିବା ଲିପିଙ୍କର କେତୋଟି ଆଲବମ୍ ଆଜି ବି ମନେପଡ଼େ। ସେଗୁଡ଼ିକ ହେଲା ରହ ରହ ତୋ ବୋଉକୁ କହୁଛି, ଝିଅ ମୁଁ ଏକ ନମ୍ବର, ଜାଇ ଫୁଲରେ ଜାଇ ଫୁଲ, ଦିଲ୍ଲୀକା ବାବୁ, କୁକୁର ପ୍ରତି ସାବଧାନ, ଶ୍ରାବଣ କହୁଛି ମୋ ପାଉଁଜି ହେବ। ସେ ବବିମିଶ୍ର, ଅନୁଭବ, ଦେବାଶିଷ, ପୁପିନ୍ଦର, ଦୀପକ ପରିଡ଼ା ଓ ସବ୍ୟସାଚୀଙ୍କ ଭଳି ସେ ସମୟର ଆଲବମ ହିରୋଙ୍କର ଅପୋଜିଟରେ ନଜର ଆସିଥିଲେ।
ଏହା ଅବଶ୍ୟ ଭିନ୍ନ କଥା ଯେ ଲିପି ସେ ସମୟର ଆଲବମ୍ ନିର୍ଦ୍ଦେଶକ ଜିତୁ ରାଉତ ଓ ପବିତ୍ର ନାୟକଙ୍କ ନିର୍ଦ୍ଦେଶନାରେ ମଧ୍ୟ କାମ କରିଛନ୍ତି।
ଯେତେବେଳେ ଲିପି ଆଲବମ୍ ଜଗତରେ ନମ୍ବର ୧ ନାୟିକା ଭାବେ ପରିଗଣିତ ହେଉଥିଲେ ସେତେବେଳେ ସେ ସେଥିରେ ଏତେ ବ୍ୟସ୍ତ ରହୁଥିଲେ ଯେ ତାଙ୍କୁ ଫିଲ୍ମରେ ହିରୋଇନ୍ ହେବା ଅଫର୍ ଆସୁଥିଲେ ମଧ୍ୟ ସେ ମନା କରିଦେଉଥିଲେ। ଏହି କାରଣରୁ ଲିପି ବେଶ୍ କେତୋଟି ଓଡ଼ିଆ ସିନେମାକୁ ହାତ ଛଡ଼ା କରିଥିଲେ। ସେହି ସମୟରେ ସେ ଛାଡ଼ିଥିବା ଫିଲ୍ମ ମଧ୍ୟରେ ସ୍ଵରାଜ ମିଶ୍ରଙ୍କ ନିର୍ଦ୍ଦେଶିତ ଅଗ୍ନି ପରୀକ୍ଷା, ଫେରିଆ ମୋ ସୁନା ଭଉଣୀ ଓ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ଦେ ମା ଶକ୍ତି ଦେ ଆଦି ଉଲ୍ଲେଖଯୋଗ୍ୟ।








ଓଡ଼ିଶାର ଘରେ ଘରେ ଆଲବମ୍ କୁଇନ୍ ଭାବେ ପରିଚିତ ଲିପି। ରହ ରହ ତୋ ବୋଉକୁ କହୁଛି, ଝିଅ ମୁଁ ଏକ ନମ୍ବର, ଜାଇ ଫୁଲରେ ଜାଇ ଫୁଲ ଭଳି ଲୋକପ୍ରିୟ ଗୀତରେ ଠୁମ୍କା ଲଗାଇସାରିଛନ୍ତି ସେ।









