ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଦ ଟଲ୍ ମ୍ୟାନ୍’ର ଉନ୍ମୋଚନ ଉତ୍ସବରେ ବିଜୟ ମହାପାତ୍ରଙ୍କ ଉପସ୍ଥିତିକୁ ନେଇ ସୃଷ୍ଟି ହୋଇଛି କଳ୍ପନା ଜଳ୍ପନା।
- ବିଜୟଙ୍କ ଉପସ୍ଥିତିକୁ ନେଇ ରାଜ୍ୟ ରାଜନୀତି ଉଷ୍ମ
- ୧୮ ବର୍ଷ ପରେ ବିଜେଡି କାର୍ଯ୍ୟକ୍ରମକୁ ଆସିଲେ ବିଜୟ
- ପ୍ରଫୁଲ୍ଲ ଘଡ଼ାଇ, ନରସିଂହ ମିଶ୍ର, ସୌମ୍ୟ ରଞ୍ଜନ ପଟ୍ଟନାୟକ ବି ଉପସ୍ଥିତ
ଉନ୍ମୋଚିତ ହୋଇଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଦ ଟଲ୍ ମ୍ୟାନ୍’। ଏଥିପାଇଁ ଭୁବନେଶ୍ୱରର ଉତ୍କଳ ମଣ୍ଡପରେ କରାଯାଇଛି ବ୍ୟାପକ ଆୟୋଜନ।
ଏହି ଉତ୍ସବରେ ଯୋଗଦେବା ପାଇଁ ଦେଶର ୪ ବରିଷ୍ଠ ନେତା ଭୁ୍ବନେଶ୍ୱରରେ ପହଞ୍ଚିଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡା ଏବଂ ବିଜେପିର ବରିଷ୍ଠ ନେତା ଲାଲ୍କୃଷ୍ଣ ଆଡଭାନି ଏହି ଉତ୍ସବରେ ଯୋଗଦେବେ।
ଏହାକୁ ନେଇ ରାଜନୀତି ସରଗରମ୍ ହୋଇଯାଇଥିବା ବେଳେ ବିଜେପି ନେତା ବିଜୟ ମହାପାତ୍ରଙ୍କ ଉପସ୍ଥିତି ରାଜନୀତିକୁ ଆହୁରି ଉଷ୍ମ କରିଦେଇଛି।
ବିଜେଡି ଛାଡ଼ିବା ପରେ କେବେ ବି ବିଜୟଙ୍କୁ ବିଜେଡି ଆୟୋଜନ କରିଥିବା କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନି। ୧୮ ବର୍ଷ ପରେ ବିଜୟ ପ୍ରଥମ ଥର ପାଇଁ ବିଜେଡି ପକ୍ଷରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।
ଉତ୍ସବ ଆରମ୍ଭ ହେବାର ଅଧ ଘଣ୍ଟା ପୂର୍ବରୁ ବିଜୟ ସଭାସ୍ଥଳରେ ପହଞ୍ଚି ଦର୍ଶକ ଗ୍ୟାଲେରୀର ଆଗଧାଡ଼ିରେ ବସିଥିବା ଦେଖିବାକୁ ମିଳିଛି। ବିଜୟଙ୍କ ସହ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ସମ୍ବାଦକ ସମ୍ପାଦକ ତଥା ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
ପୁସ୍ତକ ଉନ୍ମୋଚନ ଉତ୍ସବରେ ଅନ୍ୟ ନେତାଙ୍କ ଉପସ୍ଥିତି ଯେତିକି ଗୁରୁତ୍ବ ବହନ କରୁନି ତାଠୁ ଅଧିକ ଗୁରୁତ୍ବ ମନେ କରାଯାଉଛି ବିଜୟ ମହାପାତ୍ରଙ୍କ ଉପସ୍ଥିତି। ବିଜୟଙ୍କ ଉପସ୍ଥିତିକୁ ରାଜନୀତି ମହଲରେ ବିଭିନ୍ନ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି।


















