ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସପିଂ ମଲ୍ ଲାଗିଥିବା ଅଗ୍ନିକାଣ୍ଡ ଘଟଣାର ତନାଘନା କରିଛି ଅଗ୍ନିଶମ ବିଭାଗ। ସୋ ରୁମ୍ରେ ଅଗ୍ନି ନିର୍ବାବକ ଯନ୍ତ୍ର ଲାଗି ନଥିବା ଯୋଗୁ ଏଭଳି ଘଟଣା ଘଟିଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି।
- ‘ସିଟି ଷ୍ଟାଇଲ୍ ମଲ୍’ ଅଗ୍ନିକାଣ୍ଡ ଘଟଣା
- ପ୍ରାଥମିକ ଅନୁଧ୍ୟାନ କରିଛନ୍ତି ୩ଜଣିଆ ଟିମ୍
- ଅଗ୍ନି ନିର୍ବାପନ ପାଇଁ କୌଣସି ବ୍ୟବସ୍ଥା ନଥିଲା
- ସରଜମିନ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ପାଇଁ ପଦକ୍ଷେପ
କଟକରେ ସପିଂ ମଲ୍ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ସାରିଛି ଅଗ୍ନିଶମ ବିଭାଗର ତିନିଜଣିଆ ଟିମ୍। ପ୍ରାଥମିକ ଅନୁଧ୍ୟାନ ପରେ ଉକ୍ତ ମଲ୍ ବ୍ୟାପକ ଅବ୍ୟବସ୍ଥା ଭାବେ ଚାଲିଥିବାର ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି।
ରବିବାର ଦିନ ସପିଂ ମଲ୍ରେ ନିଆଁ ଲାଗିବା ସହ କୋଟିକୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିଲା। ଘଟଣାର ତଦନ୍ତ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୩ ଜଣିଆ ତଦନ୍ତକାରୀ ଦଳ ସୋମବାର ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ।
ତଦନ୍ତକାରୀ ଦଳର ମୁଖ୍ୟ ସୁକାନ୍ତ ସେଠୀ କହିଛନ୍ତି, “ସୋ ରୁମ୍ରେ ଅଗ୍ନି ନିର୍ବାପନ ପାଇଁ କୌଣସି ବ୍ୟବସ୍ଥା ନଥିଲା। ଏହାଛଡା ମଲ୍ ନିର୍ମାଣ ପୂର୍ବରୁ ସିଡ଼ିଏର ଅନୁମତି ମଧ୍ୟ ନିଆଯାଇନଥିଲା।“ ବେଆଇନ୍ ନିର୍ମାଣ ନେଇ ଏନଫୋର୍ସମେଣ୍ଟ୍ ବିଭାଗ ତଦନ୍ତ କରିବ। ସରଜମିନ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ତଦନ୍ତକାରୀ ଟିମ୍ର ମୁଖ୍ୟ।
ରବିବାର ଦିନ ଅଚାନକ୍ ସହର ମଝିରେ ସାତ ଘଣ୍ଟା ଜଳିଯାଇଥିଲା ସିଟି ଷ୍ଟାଇଲ ସପିଂ ମଲ। ଭୟଙ୍କର ଅଗ୍ନିକାଣ୍ଡରୁ ବର୍ତ୍ତିଯାଇଛନ୍ତି ଗ୍ରାହକ। କଟକର ଜନଗହଳିପୂର୍ଣ୍ଣ ବାଦାମବାଡିରେ ହୁ ହୁ ହୋଇ ଜଳିଗଲା ‘ସିଟି ଷ୍ଟାଇଲ୍ ମଲ୍’ ୮ଟି ଦମକଳ ଗାଡି ଓ ଶତାଧିକ ଅଗ୍ନିଶମ କର୍ମଚାରୀ ଆପ୍ରାଣ ଉଦ୍ୟମ କରି ନିଆଁକୁ ଆୟତ କରିଥିଲେ।
ଅଗ୍ନିକାଣ୍ଡରେ କୋଟିଏରୁ ଅଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ ହୋଇଥିବା ଆକଳନ କରାଯାଉଛି। ସପିଂ ମଲର ନିଆଁ ଆଖପାଖର ୫ଟି ଦୋକାନକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଟ୍ରାଫିକ ଜାମ ହେବାରୁ ଯାତ୍ରୀ ହଇରାଣ ହୋଇଥିଲେ। ଜଳି ଯାଇଥିବା ସପିଂ ମଲର ଫାୟାର ସେଫ୍ଟି ନଥିଲା। ଏଥିପାଇଁ ଦୁଇ ମାସ ତଳୁ ସମ୍ପୃକ୍ତ ମଲକୁ ନୋଟିସ କରାଯାଇଥିଲା ବୋଲି କହିଛନ୍ତି ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା।
ବିଭାଗୀୟ ଅଧିକାରୀ ଆଗରୁ ଜାଣିଥିଲେ:
ଗତ ୨୦ ତାରିଖରେ ସହରରେ ଥିବା ୭ଟି ମଲ୍ ଓ ୫ଟି ହୋଟେଲ୍ ଉପରେ ଅଗ୍ନିଶମ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା। ଚଢଉ ବେଳେ ଏସବୁ ସ୍ଥାନରେ ଅଗ୍ନିନିର୍ବାପକ ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଥିଲା। ଦୈନିକ ଶହଶହ ଲୋକ କାରବାର କରୁଥିବା ମଲ୍ ଓ ହେଟେଲ୍ରେ ପ୍ରବେଶ ଓ ପ୍ରସ୍ଥାନ ପଥ ସୁଗମ ନଥିବା ଦେଖବାକୁ ମିଳିଥିଲା। ମଲ୍ ଓ ହୋଟେଲ୍ରେ କାର୍ଯ୍ୟରତ କର୍ମଚାରୀମାନେ ନିଆଁ ଲିଭାଇବା କୌଶଳ ଜାଣିନଥିବା ଚଢଉ ସମୟରେ ଜଣାପଡ଼ିଥିଲା। ସହରରେ ଥିବା ହେଟେଲ୍ ଓ ମଲ୍ରେ ଫାୟାର୍ ସେଫ୍ଟି ଓ ପ୍ରିଭେନ୍ସନ୍ ନିୟମ ପାଳନ ହେଉନଥିବା ଚଢଉ ସମୟରେ ଜଣାପଡିଥିଲା ବୋଲି ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା କହିଥିଲେ।
ହୋଟେଲ୍ ଓ ମଲ୍ରେ ଅଚାନକ ଅଗ୍ନିକାଣ୍ଡ ସହ ଦୁର୍ଘଟଣା ରୋକିବାକୁ ରହିଥିବା ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉନାହିଁ। ଫାୟାର୍ ସେଫ୍ଟି ଓ ପ୍ରିଭେନ୍ସନ୍ ନିୟମ ପାଳନ ହେଉନଥିବାର ଅଗ୍ନିଶମ ବିଭାଗ ତନଖିରୁ ଜଣାପପଡ଼ିଛି। ଓଡ଼ିଶା ଫାୟାର୍ ସେଫ୍ଟି ଓ ପ୍ରିଭେନ୍ସନ୍ ରୁଲ୍ସ ୨୦୧୭ ଅନୁଯାୟୀ ପଦକ୍ଷେପ ନେବା ନିମନ୍ତେ ସହରରେ ଥିବା ସମସ୍ତ ମଲ୍ ଓ ହୋଟେଲ୍ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା।
କ’ଣ ରହିଛି ନିୟମ:
ଶପିଙ୍ଗ୍ ମଲ୍ ଓ ବହୁତଳ ଆବାସିକ ପ୍ରାସାଦ ନିର୍ମାଣ କରିବା ପୂର୍ବରୁ ସିଡିଏ, ସିଏମ୍ସିରୁ ଅନୁମତି ନେବା ସହ ଅଗ୍ନିଶମ ବିଭାଗର ଲାଇସେନ୍ସ ନେବା ଜରୁରୀ। ଏହାସହ ସହରାଞ୍ଚଳ ଆଇନ୍ ଅନୁସାରେ ୧ ଶହ ବର୍ଗଫୁଟ୍ର ବ୍ୟବସାୟିକ ପ୍ରତିଷ୍ଠାନ କଲେ ୪୦ ବର୍ଗଫୁଟ୍ର ପାର୍କିଂ ପାଇଁ ସ୍ଥାନ ରଖିବାକୁ ପଡ଼ିବ। କିନ୍ତୁ ଏହି ଆଇନ୍ର ଉଲଂଘନ ବହୁ ବର୍ଷ ଧରି ଚାଲିଆସୁଛି। କିନ୍ତୁ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ପୃକ୍ତ ବିଭାଗର କିଛି ଅଧିକାରୀଙ୍କ ଅସାଧୁ କାରବାର ଯୋଗୁ ବେଆଇନ୍ ଭାବେ ଚାଲିଛି କିଛି ସପିଂ ମଲ୍।









