ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ପ୍ରତିଭାର ଅଧିକାରିଣୀ ଫ୍ରିଡ଼ା ଟପ୍ନୋ ଆଉ ନାହାନ୍ତି। ପୂର୍ବତନ ବିଧାୟିକା ତଥା ସାଂସଦ ଫ୍ରିଡ଼ା ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଶେଷନିଃଶ୍ଵାସ ତ୍ୟାଗ କରିଛନ୍ତି ।
ଆଦିବାସୀ ନେତ୍ରୀ ତଥା ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତ୍ରୀ ଫ୍ରିଡ଼ା ଟପ୍ନୋଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।
ଜନ୍ମସ୍ଥାନ
୧୯୨୫ ମସିହା ସେପ୍ଟେମ୍ବର ମାସ ୨୦ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ବ୍ଲକ୍ ଅନ୍ତର୍ଗତ ଗୁଣ ଗାଁ ଗ୍ରାମରେ ଜନ୍ମିତ ଫ୍ରିଡ଼ା ଟପ୍ନୋ ୧୯୮୩ ମସିହାରେ ସରକାରୀ ଚାକିରିରୁ ଅବସର ନେଇ ସାମାଜିକ କାର୍ଯ୍ୟରେ ମନ ନିବେଶ କରିଥିଲେ।
ଶିକ୍ଷାଗତ ଯୋଗ୍ୟତା
କଟକର ଏକ ମହିଳା କଲେଜ୍ରୁ ଗ୍ରାଜୁଏସନ୍ ସାରିବା ପରେ ବି.ଏଡ୍ କରିଥିଲେ ଫ୍ରିଡ଼ା। ୧୯୫୦ରେ ଓଡ଼ିଶା ସରକାରଙ୍କ ଅଧିନରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଆଦିବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ।
ରାଜନୈତିକ କ୍ୟାରିୟର୍
ଫ୍ରିଡ଼ା ଟପ୍ନୋ ରଘୁନାଥପାଲି ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଧାୟିକା ଭାବେ ବିଜୟୀ ହେବା ସହିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୯୧ ଓ ୧୯୯୬ରେ ସେ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୮-୨୦୦୩ ପର୍ଯ୍ୟନ୍ତ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।
ଆଦିବାସୀଙ୍କ ପାଇଁ ଅବଦାନ
ସମଗ୍ର ରାଜ୍ୟରେ ଜଣେ ଅଗ୍ରଣୀ ଆଦିବାସୀ ନେତ୍ରୀଭାବେ ତାଙ୍କର ବେଶ୍ ଖ୍ୟାତି ଥିଲା। ଆଦିବାସୀଙ୍କ ପାଇଁ ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ନାମରେ ଏକ କଲେଜ୍ ପ୍ରତିଷ୍ଠା କରିଥିଲେ ଫ୍ରିଡ଼ୋ।
ଲେଖିକା
ଫ୍ରିଡ଼ା ଟପ୍ନୋ ଜଣେ ଲେଖିକା ଭାବେ ଧରତୀ, ଶ୍ରଦ୍ଧାଞ୍ଜଳୀ, ଅବ୍ବୁଆ ରାଜ୍, ଉଲ୍ଗୁଆଁ ଆଦି ପୁସ୍ତକ ରଚନା କରିଛନ୍ତି।
ଏହାଛଡା ଓଡ଼ିଶା ମହିଳା ହକି ଆସୋସିଏସନ୍ର ସଭାପତି ଥିଲେ ଫ୍ରିଡ଼ା। ପ୍ରଚୁର ଜ୍ଞାନର ଅଧିକାରିଣୀ ଥିବା ଫ୍ରିଡ଼ୋ ସାରା ଜୀବନ ଅବିବାହିତ ରହିଥିଲେ।
ଗତ କିଛି ଦିନ ହେବ ସେ ଅସୁସ୍ଥ ଥଲେ। ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ଦିନ ଶେଷନିଃଶ୍ଵାସ ତ୍ୟାଗ କରିଛନ୍ତି ଫ୍ରିଡ଼ା। ତାଙ୍କ ମୃତ୍ୟୁରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।









