ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୦୪ ଭଳି ଦେଶରେ ଆଗୁଆ ନିର୍ବାଚନ ହୋଇପାରେ। ଏଥିପାଇଁ ସମସ୍ତେ ପ୍ରସ୍ତୁତ ରହିବାକୁ କଂଗ୍ରେସ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି। ସଂସଦୀୟ କମିଟି ବୈଠକରେ ଦଳର ଛାମୁଆ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇ ସୋନିଆ ଏହି ପରାମର୍ଶ ଦେଇଛନ୍ତି।
ଏହି ଅବସରରେ ସୋନିଆ ଗାନ୍ଧି ମୋଦି ସରକାରଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ସାଧାରଣ ବଜେଟ, ଅର୍ଥ ବ୍ୟବସ୍ଥା ଏବଂ ରୋଜଗାର ପ୍ରସଙ୍ଗକୁ ନେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। କୃଷକଙ୍କ ଅବସ୍ଥା ଖରାପ ହୋଇଯାଉଥିବାରୁ ସରକାର ସେମାନଙ୍କ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ସୋନିଆ କହିଛନ୍ତି।
ସୋନିଆ କହିଛନ୍ତି, “ଆଗାମୀ ଦିନରେ କିଛି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଆମକୁ ସଜାଗ ରହିବାକୁ ପଡ଼ିବ। ଏଥିସହ ୨୦୦୪ରେ ଯେଉଁଭଳି ଦେଶରେ ଆଗୁଆ ସାଧାରଣ ନିର୍ବାଚନ ହୋଇଥିଲା ଠିକ୍ ସେମିତି ୨୦୧୯ ପୂର୍ବରୁ ଆଗୁଆ ନିର୍ବାଚନ ହୋଇପାରେ। ଏଥିପାଇଁ ସମସ୍ତେ ପ୍ରସ୍ତୁତ ରୁହ।”
ସୋନିଆ ଆହୁରି କହିଥିଲେ ଯେ ୨୦୧୪ ନିର୍ବାଚନରେ ପରାଜୟ ଆମ ପାଇଁ ବଡ଼ ଝଟକା ଥିଲା। ଏହା ଆମ ପାଇଁ ଏକ ଶିକ୍ଷା। ଆଗାମୀ ନିର୍ବଚନରେ ଆମେ ଆମ ରଣନୀତିରେ କାମ କରିବା।
ସୋନିଆ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷଙ୍କୁ ଅଭିନନ୍ଦନ ଜଣାଇବା ସହ ରାହୁଲ ମୋ ବସ୍ ବୋଲି କହିଥିଲେ। “ମୁଁ ଅଧ୍ୟକ୍ଷ ଥିବା ବେଳେ ଦଳର କାର୍ଯ୍ୟକର୍ତ୍ତାମାନେ ଯେମିତି କାମ କରୁଥିଲେ ଏବେ ରାହୁଲଙ୍କ ପାଇଁ ସେମିତି କାମ କରିବେ ବୋଲି ମୁଁ ଆଶା କରୁଛି”, କହିଛନ୍ତି ସୋନିଆ।
ଗୁଜରାଟ ବିଧାନସଭା ଏବଂ ରାଜସ୍ଥାନ ଉପ-ନିର୍ବାଚନରେ ଆମେ ଭଲ ପ୍ରଦର୍ଶନ କରିଛୁ। କର୍ଣ୍ଣାଟକରେ ହେବାକୁ ଥିବା ନିର୍ବାଚନରେ ବି କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ସୋନିଆ କହିଛନ୍ତି।


















