ଓଡ଼ିଶାଲାଇଭ୍ବ୍ୟୁରୋ

ବିଜେପୁର ହେଉଛି କଂଗ୍ରେସର ଗଡ଼। ୧୯୬୧ରୁ ୨୦୧୪ ଭିତରେ ହୋଇଥିବା ୧୩ଟି ନିର୍ବାଚନରୁ କଂଗ୍ରେସ ୭ଟି ନିର୍ବାଚନରେ ବିଜୟ ହାସଲ କରିଛି। ଏବେ କଂଗ୍ରେସ ଗଡ଼କୁ ଛଡ଼ାଇ ଆଣିବା ପାଇଁ ବିଜେପି ଏବଂ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜୋରଦାର ଅଭିଯାନ।

ବରଗଡ଼ ଜିଲ୍ଲା ବିଜେପୁର ଉପ-ନିର୍ବାଚନ ପାଇଁ ଏବେ ସରଗରମ୍ ହୋଇଛି ରାଜନୀତି। ଏହି ଗଡ଼କୁ ଦଖଲ କରିବା ପାଇଁ ବିଜେପି ଏବଂ ବିଜେଡି ଭିତରେ ଚାଲିଛି ଛକାପଞ୍ଝା। ବିଜେପି ଓ ବିଜେଡି ପ୍ରାର୍ଥୀ କ୍ୟାମ୍ପେନିଂ ଆରମ୍ଭ କରି ସାରିଥିବା ବେଳେ କଂଗ୍ରେସ ପଛରେ ପଡ଼ି ଯାଇଛି। ଏପର୍ଯ୍ୟନ୍ତ ଏହି ଜାତୀୟ ଦଳ ନିଜ ଗଡ଼ରେ ପ୍ରଚାର ଆରମ୍ଭ କରିପାରି ନାହିଁ। ନିଜ ଗଡ଼ରେ ବିଜୟ ସୁନିଶ୍ଚିତ ବୋଲି କଂଗ୍ରେସ ଯେଉଁ ଦମ୍ଭୋକ୍ତି ଦେଖାଉଛି ତାହା କିପରି ସମ୍ଭବ ହେବ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି।

ବିଜେପୁର ନିର୍ବାଚନ ଇତିହାସ

ଦେଶ ସ୍ୱାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ବିଜେପୁରରେ ୧୩ ଥର ନିର୍ବାଚନ ହୋଇଛି। ଏହି ନିର୍ବାଚନରେ କଂଗ୍ରେସ ୭ ଥର ବିଜୟୀ ହୋଇଛି। ୧୯୬୧, ୧୯୬୭, ୧୯୮୦, ୧୯୯୫, ୨୦୦୪, ୨୦୦୯ ଏବଂ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ଏଠାରୁ ବହୁ ଭୋଟରେ ବିଜୟୀ ହୋଇଥିବା ନଜିର ରହିଛି। ହେଲେ ବର୍ତ୍ତମାନ କଂଗ୍ରେସର ନିଷ୍କ୍ରିୟତା ଏବଂ ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ ଏହି ଆସନକୁ ଅଣ କଂଗ୍ରେସ ଦଳ କବ୍‌ଜା କରିବାକୁ ଗୋଟି ଚାଳନା କରୁଛନ୍ତି। ନିଜ ଗଡ଼ ରକ୍ଷା କରିବା ଗୋଟି ଚାଳନାରେ କଂଗ୍ରେସ ଫେଲ୍‌ ମାରିଥିବା ଚର୍ଚ୍ଚା ହେଉଛି।

କିଏ କେବେ ମାରିଥିଲେ ବାଜି?

ବିଜେପୁର ନିର୍ବାଚନମଣ୍ଡଳୀରେ ୧୯୬୧ରେ ହୋଇଥିଲା ପ୍ରଥମ ନିର୍ବାଚନ। ଏହି ପ୍ରଥମ ନିର୍ବାଚନକୁ ହିଁ କବ୍‌ଜା କରିଥିଲା କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ମୋହନ ନାଗ ଏହି ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୭ ନିର୍ବାଚନରେ ମୋହନ ନାଗ ବିଜୟ ବାନା ଉଡ଼ାଇଥିଲେ।

୧୯୭୧ ନିର୍ବାଚନରେ ଏହି ଆସନକୁ ଅକ୍ତିଆର୍ କରିଥିଲେ କଂଗ୍ରେସ(ଜେ) ପ୍ରାର୍ଥୀ ତ୍ରିବିକ୍ରମ ମଲ୍ଲିକ। ସେହିପରି ୧୯୭୪ ଭୋଟରେ ଉତ୍କଳ କଂଗ୍ରେସ ଏଠାରୁ ବିଜୟୀ ହୋଇଥିଲା। ଗଣନାଥ ପ୍ରଧାନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୧୯୭୭ରେ ଏହି ଆସନକୁ ଅକ୍ତିଆର କରିଥିଲା ଜନତା ପାର୍ଟି। ନିତ୍ୟାନନ୍ଦ ଗଡ଼ତିଆ ଏହି ଆସନରୁ ନିର୍ବାଚିତ ହୋଇଥିଲେ।

୧୯୮୦ ନିର୍ବାଚନରେ କଂଗ୍ରେସ ପୁଣି ଏଠାରେ ପ୍ରଭାବ ବିସ୍ତାର କରିଥିଲା। ରାଜିବ ଲୋଚନ ହୋତା କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲେ। ହେଲେ ୧୯୮୫ ଓ ୧୯୯୦ରେ କଂଗ୍ରେସ ହାତରୁ ଏହି ଆସନକୁ ଛଡ଼ାଇ ନେଇଥିଲା ଜନତା ଦଳ। ନିକୁଞ୍ଜ ବିହାରୀ ସିଂ ଏହି ଦୁଇଟି ନିର୍ବାଚନରେ ବିଜୟୀ ହୋଇଥିଲେ। ୧୯୯୫ରେ ପୁଣି କଂଗ୍ରେସ ଏଠାରେ ଖାତା ଖୋଲିଥିଲା। ରିପୁନାଥ ସେଠ୍‌ ଏଠାରୁ ବିଧାୟକ ହୋଇଥିଲେ।

ହେଲେ ୨୦୦୦ରେ ସ୍ଥିତି ବଦଳିଥିଲା। କଂଗ୍ରେସ ହାତରୁ ଆସନ ଖସାଇ ଆଣିଥିଲା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି। ଅଶୋକ ପାଣିଗ୍ରାହୀ ଏଠାରୁ ବିଜେଡି ଟିକେଟରେ ବିଧାନସଭା ଯାଇଥିଲେ। କିନ୍ତୁ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପୁଣି ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ରାଜୁତି କରି ଆସୁଥିଲେ। ସୁବଳ ସାହୁ ଲଗାତାର ୩ ଥର ବିଧାୟକ ଭାବେ ଜିତି ବିଜେପୁରରେ ରେକର୍ଡ କରିଛନ୍ତି। ଏବେ ଏହି ଗଡ଼କୁ ଭାଙ୍ଗିବା ପାଇଁ ବିଜେଡି ଏବଂ ବିଜେପି ଉଦ୍ୟମ କରୁଛନ୍ତି।

୨୦୧୪ରେ ହୋଇଥିଲା କଡ଼ା ଟକ୍କର

୨୦୧୪ ନିର୍ବାଚନରେ ହୋଇଥିଲା କଡ଼ା ଟକ୍କର। କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କୁ ଟକ୍କର ଦେଇଥିଲେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ। ସୁବଳ ସାହୁ ୫୩,୨୯୦ ଭୋଟ ପାଇଥିବା ବେଳେ ପ୍ରସନ୍ନ ଆଚାର୍ଯ୍ୟ ପାଇଥିଲେ ୫୨,୮୩୨ ଭୋଟ। ବିଜେପି ପ୍ରାର୍ଥୀ ଜୟ ଶଙ୍କର ପଟ୍ଟନାୟକ ପାଇଥିଲେ ୩୦,୦୦୧ ଭୋଟ। ସ୍ବାଧୀନ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ପାଇଥିଲେ ୧୮,୨୩୨ ଭୋଟ।

ହେଲେ ୨୦୧୭ ଅଗଷ୍ଟ ୨୧ରେ ସୁବଳ ସାହୁଙ୍କ ଦେହାନ୍ତ ହେବା ପରେ ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜିଛି। କଂଗ୍ରେସ-ବିଜେଡି-ବିଜେପି ପ୍ରାର୍ଥୀ ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ ବିଜେପୁରରେ ବିଜେଡି ଓ ବିଜେପିର ଗୋଟି ଚାଳନା ଆଗରେ କଂଗ୍ରେସ ପଛରେ ପଡ଼ି ଯାଇଥିବା ଆଲୋଚନା ହେଉଛି।

ବିଜେପି ଓ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପରେ କଂଗ୍ରେସ ଏହି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପି ଓ ବିଜେଡି ପ୍ରାର୍ଥୀ ଘର ଘର ବୁଲି କ୍ୟାମ୍ପେନିଂ କରୁଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରଚାର ଆରମ୍ଭ କରିନାହିଁ।

କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ଦିନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ଏହା ହେଉଛି କଂଗ୍ରେସର ଗଡ଼। ବିଜେପି ଓ ବିଜେଡି ବାହାରୁ ଲୋକଙ୍କୁ ଆଣି ପ୍ରାର୍ଥୀ କରୁଛନ୍ତି। ହେଲେ ପ୍ରଣୟ ସାହୁ ବିଜେପୁର ମାଟିର ପୁଅ। ତାଙ୍କୁ ବିଜେପୁରବାସୀ ଭୋଟ ଦେବେ।

ହେଲେ ଏହି ଉପ-ନିର୍ବାଚନରେ କିଏ ବାଜିମାତ କରୁଛି ତାହା ଅପେକ୍ଷା କରି ଦେଖିବାର କଥା। କଂଗ୍ରେସ ତା ଗଡ଼ ରକ୍ଷା କରୁଛି ନା ବିଜେପି, ବିଜେଡି ପ୍ରାର୍ଥୀ ଏହି ଅସନକୁ ଛଡ଼ାଇ ଆଣୁଛନ୍ତି ତାହା ଫେବ୍ରୁଆରି ୨୮ ତାରିଖ ପରେ ସ୍ପଷ୍ଟ ହୋଇଯିବ।

Comment