ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୫ ବର୍ଷ ପରେ ତ୍ରିପୁରା ଦଖଲ କରିଥିବା ବିଜେପି ଏବେ ୧୮ ବର୍ଷର ନବୀନ ସରକାର ଉପରେ ଆଖି ପକାଇଛି। ତ୍ରିପୁରା ଭଳି ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ବିଜେପି ନେତାମାନେ ଆଶାବଦୀ ଅଛନ୍ତି।

ତ୍ରିପୁରାରେ ୨୫ ବର୍ଷର ମାଣିକ ସରକାରଙ୍କ ସରକାରକୁ ହଟାଇବା ପରେ ବିଜେପି ଆଶା କରୁଛି ଓଡ଼ିଶାରେ ବି ଏହାର ପୁନରାବୃତ୍ତି ଘଟିବ। ଯଦିଓ ବିଜେପୁରରେ ଦଳର ସାଙ୍ଘାତିକ ପରାଜୟ ହୋଇଛି ତଥାପି ଦଳରେ ନେତାମାନଙ୍କ ଆକଳନ ଯେ ୨୦୧୯ରେ ଦଳ ଭଲ ପ୍ରଦର୍ଶନ କରିବ। ଏନେଇ ଏବେଠାରୁ ଯୋଜନା ଆରମ୍ଭ ହୋଇଛି।

ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନେକ ସାମଞ୍ଜସ୍ୟ ରହିଛି। ଉଭୟ ନେତା ନିଜ ନିଜ ସାଧାରଣ ଜୀବନ ଶୈଳୀ ପାଇଁ ଜଣାଶୁଣା। ଅଧିକନ୍ତୁ, ଉଭୟେ ନିଜ ନିଜର ସରକାରକୁ କ୍ରମାଗତ ଭାବେ ଜିତାଇ ଆସିଛନ୍ତି। ବିଜେପି ସହିତ ଲଢ଼ି ମାଣିକ ସରକାର ହାରିଯାଇଥିଲେ ଏବଂ ୨୦୧୯ରେ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସେହି କସଟି ପଥରର ସମ୍ମୁଖୀନ ହେବାକୁ ପଡ଼ିବ।

ବିଜେପି ତ୍ରିପୁରା ଜରିଆରେ ଓଡ଼ିଶାର ବିଜେଡି ସରକାରକୁ ପଲଟେଇବାର ସ୍ୱପ୍ନ ଦେଖୁଛି। ରାଜନୈତିକ ମହଲରେ ଯାହା ଚର୍ଚ୍ଚା ହେଉଛି ନବୀନଙ୍କ ପାଇଁ ପଞ୍ଚମ ଥର ନିର୍ବାଚନ ଏତେ ସହଜ ନହୋଇପାରେ। ଓଡ଼ିଶା ବିଜେପି ନେତାମାନେ ଏହିଭଳି ଚିନ୍ତା କରିବା ଆରମ୍ଭ କରିଛନ୍ତି।

ବିଜେପିର ରାଜ୍ୟ ନେତାମାନେ ଉତ୍ସାହିତ ହେବାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ଅମିତ ଶାହାଙ୍କ ଦମ୍ଭୋକ୍ତି ଯେ ଦଳର ସୁବର୍ଣ୍ଣ ଯୁଗ ଆରମ୍ଭ ହେବ ନାହିଁ, ଯେତେଦିନ ଯାଏଁ ଓଡିଶା-ପଶ୍ଚିମବଙ୍ଗ-କେରଳ କବ୍‌ଜାକୁ ନଆସିଛି।

ଅମିତ ଶାହାଙ୍କ ପାଳି ଧରି ରବିବାର ଦିନ ଜୁଏଲ ଓରାମ କହିଲେ ଯେ ତ୍ରିପୁରା ଓ ଓଡ଼ିଶାର ରାଜନୈତିକ ସ୍ଥିତି ଭିତରେ କିଛି ଫରକ ନାହିଁ। ଜୁଏଲଙ୍କ କହିବା କଥା ଯେ ମାଣିକ ସରକାର ୨୦ବର୍ଷ ଧରି କ୍ଷମତାରେ ଥିଲେ, ନବୀନ ବି ୧୮ ବର୍ଷ ଧରି କ୍ଷମତା ହାସଲ କରିଛନ୍ତି। ତ୍ରିପୁରାରେ ଯେମିତି ଯୁବକମାନେ ବେକାର, ଓଡ଼ିଶାରେ ମଧ୍ୟ ଯୁବକଙ୍କ ପାଇଁ ଚାକିରି ନାହିଁ। ଚାଷୀ ଆତ୍ମହତ୍ୟାଠାରୁ ବିଭିନ୍ନ ବିଭାଗରେ ଚାକିରି ଥାଇ ବି ଯୁବକମାନେ ବେକାର ବସିଥିବା କଥା ଜୁଏଲ ଉଲ୍ଲେଖ କରିଛନ୍ତି।

ଜୁଏଲଙ୍କ ଆକଳନ ହେଉଛି ଯେ ଓଡ଼ିଶାରେ ନବୀନଙ୍କ ବିରୋଧରେ ଜନ ଅସନ୍ତୋଷ ଦେଖାଦେଇଛି ଓ କଂଗ୍ରେସ ମୂଳପୋଛ ଅବସ୍ଥାରେ। ଏଣୁ ବିଜେପି ପାଇଁ ସୁଯୋଗର ରାସ୍ତା ଖୋଲିବା ନିଶ୍ଚିତ।

ତ୍ରିପୁରା ନିର୍ବାଚନରେ ଯେଉଁ ୪୩ଟି ଆସନରେ ବିଜେପି ପ୍ରାର୍ଥୀ ଜିତିଛନ୍ତି ସେଥି ମଧ୍ୟରୁ ୨୦ଟି ହେଉଛି ଆଦିବାସୀ ଅଧ୍ୟୁଷିତ ଆସନ। ସୁତରାଂ, ତ୍ରିପୁରା ନିର୍ବାଚନ ଫଳରେ ଖୁସି ହୋଇଥିବା ବିଜେପି ପାଇଁ ତାର ରଣନୀତିକୁ ଅଧିକ ଶାଣିତ କରିବା ପାଇଁ ଚାହୁଁଛି।

ପ୍ରଥମ ପଦକ୍ଷେପ ସ୍ୱରୂପ, ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ‘ଫଳ ଭିତ୍ତିକ’ ରଣନୀତି ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି ଦଳ। ଖାଲି ସେତିକି ନୁହେଁ, ବିଜେପି ମିଶନ ୧୨୦ରୁ ମଧ୍ୟ ନିଜକୁ ହଟାଇବାକୁ ଚାହୁଁନାହିଁ।

ବିଜେପିର ଲକ୍ଷ୍ୟ ହେଉଛି ଜିତିବା ସମ୍ଭାବନା ରଖୁଥିବା ୧୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କୁ ଚିହ୍ନଟ କରିବା। ବିଜେପି ତାର ପ୍ରଭାବକୁ ବିସ୍ତାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଶାସକ ବିଜେଡି ମଧ୍ୟ ପଛରେ ରହିନାହିଁ। ବିଜେଡି ଦୁଇ ପାଦ ଆଗରେ ଅଛି ବୋଲି କହିଲେ ଭୁଲ ହେବ ନାହିଁ।

ବିଜେଡିର ବର୍ତ୍ତମାନ ଫୋକସ ହେଉଛି ଦଳ ଭିତରେ ଥିବା ଅଶାନ୍ତି ଓ ଅସନ୍ତୋଷକୁ ଦୂର କରିବା। ଦାମୋଦର ରାଉତଙ୍କ ପୁଅ ସମ୍ବିତଙ୍କୁ ବିଜେଡିର ରାଜ୍ୟ ସମ୍ପାଦକ କରାଯିବା ସେହି ଲକ୍ଷ୍ୟର ପ୍ରମାଣ ଦେଉଛି। ଅତୀତରେ ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ସେଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ତତ୍ପରତା ଆଖିରେ ପଡ଼ୁଛି। ୨୦୧୯ କାହାର ହେବ ସେ କଥା କହିବା ବର୍ତ୍ତମାନଠାରୁ ସମ୍ଭବ ନୁହେଁ।କିନ୍ତୁ ଜୁଏଲଙ୍କ ଅଭିଳାଷର ଠିକଣା ଜବାବ ଦେଇଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ।

ମହାରଥୀଙ୍କ କହିବା ଅନୁଯାୟୀ ନବୀନ ପଟ୍ଟନାୟକ ଲୋକପ୍ରିୟତାର ଶୀର୍ଷରେ ଏବେ ବି ଅଛନ୍ତି ଓ ବିଜେପିର କ୍ଷମତା ହାସଲ ଏକ ଦିବା ସ୍ୱପ୍ନ ଛଡ଼ା ଆଉ କିଛି ନୁହେଁ।

LEAVE A REPLY

Please enter your comment!
Please enter your name here