ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଦଳିତ ହିନ୍ଦୁ ମହିଳା ଭାବେ କୃଷ୍ଣା କୁମାରୀ କୋହ୍ଲି ପାକିସ୍ତାନ ପାର୍ଲିଆମେଣ୍ଟର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।
ମୁସଲମାନ ବହୁଳ ପାକିସ୍ତାନର ସିନ୍ଧ ପ୍ରଦେଶର ଦଳିତ ହିନ୍ଦୁ ମହିଳା କୃଷ୍ଣା କୁମାରୀ କୋହ୍ଲି ପ୍ରଥମଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ୩୯ ବର୍ଷୀୟା କୃଷ୍ଣା ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପକ୍ଷରୁ ମନୋନୀତ ହୋଇଥିଲେ।
ସିନ୍ଧ ଅଞ୍ଚଳର ଉକ୍ତ ସିଟ୍ ମହିଳାଙ୍କ ଲାଗି ସଂରକ୍ଷିତ ଥିଲା। ଏହି ନିର୍ବାଚନରେ କୃଷ୍ଣା ବିପକ୍ଷ ତାଲିବାନ ସହ ଜଡ଼ିତ ଜଣେ ମୌଲାନାଙ୍କୁ ପରାଜିତ କରିଛନ୍ତି। ତେବେ କୃଷ୍ଣା ସାଂସଦ ଭାବେ ନିର୍ବାଚିତ ହେବା ଦ୍ୱାରା ପାକିସ୍ତାନରେ ରହୁଥିବା ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଲାଗି ଆଶାର ଆଲୋକ ପାଲଟି ଯାଇଛନ୍ତି।
ପାକିସ୍ତାନ ପାର୍ଲିଆମେଣ୍ଟର ଉଚ୍ଚ ସଦନକୁ ସିନେଟ୍ କୁହାଯାଏ। ମୁସ୍ଲିମ୍ ବହୁଳ ପାକିସ୍ତାନକୁ ରୁଢିବାଦୀ ଦେଶର ଆଖ୍ୟା ମିଳିଛି। ଏଠାରେ ମହିଳାଙ୍କୁ ସମାଜର ଅନେକ ସ୍ତରରେ ଭେଦଭାବର ଶିକାରର ସାମ୍ନା କରିବାକୁ ପଡ଼ିଥାଏ।
କ୍ରିଷ୍ଣା କୁମାରୀ ହିନ୍ଦୁ ପରିବାରରୁ ଆସିଛନ୍ତି। ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ନିଜ ଭାଇଙ୍କ ସହ ପିପିପି (ପାକିସ୍ତାନ ପିପୁଲ୍ସ ପାର୍ଟି)ରେ ସାମିଲ ହୋଇଥିଲେ। ପରେ ତାଙ୍କୁ ବେରେନୋରୁ ୟୁନିୟନ୍ କାଉନସିଲ୍ ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିଲା।
ସିନ୍ଧ ପ୍ରାନ୍ତରର ଥାର ସୁଦୂର ନଗରପାରକର ଜିଲାର ବାସିନ୍ଦା ହେଉଛନ୍ତି କ୍ରିଷ୍ଣା। ତାଙ୍କ ଜନ୍ମ ୧୯୭୯ ମସିହାରେ ଏକ ଗରିବ କୃଷକ ପରିବାରରେ ହୋଇଥିଲା। କୃଷ୍ଣାଙ୍କ ବିବାହ ମାତ୍ର ୧୬ ବର୍ଷ ବୟସରେ ହୋଇଥିଲା। ସେହି ସମୟରେ ସେ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ବିବାହ ପରେ କୃଷ୍ଣା ପାଠପଢ଼ା ଜାରି ରଖିଥିଲେ
୨୦୧୩ରେ ସିନ୍ଧ ବିଶ୍ୱବିଦ୍ୟାଳୟରୁ ସମାଜଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ବିଶ୍ୱବିଦ୍ୟାଳୟରେ ପଢ଼ା ସମୟରେ ହିଁ ସେ ପିପିପିରେ ଯୋଗଦେଇଥିଲେ।








ପ୍ରଥମ ଦଳିତ ହିନ୍ଦୁ ମହିଳା ଭାବେ କୃଷ୍ଣା କୁମାରୀ କୋହ୍ଲି ପାକିସ୍ତାନ ପାର୍ଲିଆମେଣ୍ଟର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।