ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଏମ୍‌ସରେ କାଶ୍ମିର ଛାତ୍ର ସୋହେଲ ଅଜାଜ୍ ନିଖୋଜ ହେବା ଘଟଣାରେ ଆସିଛି ନୂଆ ମୋଡ଼। ସୋହେଲଙ୍କୁ ମାଓବାଦୀ ଅପହରଣ କରିଥିବା ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଲଗାଯାଇଛି ପୋଷ୍ଟର।

ଭୁବନେଶ୍ୱର ଏମ୍‌ସରେ କାଶ୍ମିର ଛାତ୍ର ସୋହେଲ ଅଜାଜ୍ ଅପହରଣ ହେବାର ପାଖାପାଖି ମାସେ ହେବାକୁ ବସିଲାଣି। ଏପର୍ଯ୍ୟନ୍ତ ଅପହରଣର ପୋଲିସ୍ କୌଣସି ଟେର୍ ପାଉନଥିବା ବେଳେ ସୋହେଲଙ୍କୁ ମାଓବାଦୀ ଅପହରଣ କରିଥିବା ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ପୋଷ୍ଟର ଲଗାଯାଇଛି।

ବରମୁଣ୍ଡା ବସଷ୍ଟାଣ୍ଡ ଓଭରବ୍ରିଜ୍ କାନ୍ଥରେ ସିପିଆଇ ମାଓବାଦୀ ନାଁରେ ଲାଗିଥିବା ଏହି ପୋଷ୍ଟରରେ ସୋହେଲଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ ଥିବାବେଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଜେଲ୍‌ରୁ ଛାଡ଼ିଲେ ସୋହେଲଙ୍କୁ ଛଡ଼ାଯିବ ବୋଲି ଲେଖାଯାଇଛି।

ଯଦି ୭ ଦିନ ଭିତରେ ସରକାର ଆମ ଦାବି ନ ପୂରଣ କରନ୍ତି ତେବେ ସହରର ବିଭିନ୍ନ ସ୍ଥାନରେ ବୋମା ବିସ୍ଫୋରଣ ହେବ ବୋଲି ପୋଷ୍ଟରରେ ଧମକ ଦିଆଯାଇଛି।

ପୋଷ୍ଟର ତଳେ ସିପିଆଇ ମାଓବାଦୀ ଲେଖାଯାଇଥିଲେ ମଧ୍ୟ ତାହାକୁ ମାଓବାଦୀ ଲଗାଇଛନ୍ତି ବା ଅନ୍ୟ କେହି ଲଗାଇଛି ତାହା ସ୍ପଷ୍ଟ ହୋଇନାହିଁ।

“ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ହାତଲେଖା ପୋଷ୍ଟର ମିଳିଛି। କମିଶନରେଟ ପୋଲିସ ପୋଷ୍ଟରକୁ ଜବତ କରି ଘଟଣାର ଅନୁଧ୍ୟାନ କରୁଛି”, କହିଛନ୍ତି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ।

ଫେବ୍ରୁଆରି ୯ ତାରିଖରୁ ଜାମ୍ମୁ ଓ କାଶ୍ମୀର କୁପୱାଡ଼ା ଜିଲ୍ଲାର ସୋହେଲ୍ ଅଜାଜଙ୍କ କୌଣସି ପତ୍ତା ମିଳୁନାହିଁ। ନିଖୋଜ ପୂର୍ବଦିନ ନିଜ ହଷ୍ଟେଲ୍‌ ସାଙ୍ଗସାଥିଙ୍କୁ କୌଣସି ଜଣେ ସମ୍ପର୍କୀୟଙ୍କ ବିବାହରେ ସାମିଲ ହେବାକୁ କହି  ଯାଇଥିଲେ ସୋହେଲ। ତା’ପରଠୁ ତାଙ୍କ ପରିବାର କିମ୍ବା ସାଙ୍ଗସାଥିଙ୍କ ସହ କୌଣସି ଯୋଗାଯୋଗ କରି ନାହାନ୍ତି। ଏସମ୍ପର୍କରେ ଏମ୍‌ସ କର୍ତ୍ତୃପକ୍ଷ ଫେବ୍ରୁଆରି ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ସୋହେଲଙ୍କ ନିଖୋଜ ହେବା ବିଷୟରେ ଓଡ଼ିଶା ସହ ଜାମ୍ମୁ ଓ କାଶ୍ମିର ଓ ପଶ୍ଚିମବଙ୍ଗ ପୋଲିସ୍ ତଦନ୍ତ କରୁଛି।

“କେହିଜଣେ ସବ୍ୟସାଚୀଙ୍କ ନାଁ ଲେଖି ପୋଲିସକୁ ବାଟବଣା କରିବାକୁ ଚେଷ୍ଟା କରୁଛି। ସବ୍ୟସାଚୀଙ୍କୁ ଆତଙ୍କବାଦୀ ସଂଗଠନ ସହ ଯୋଡ଼ିବାକୁ ଚେଷ୍ଟା କରାଯାଉଛି। ସୋହେଲଙ୍କ ବିଷୟରେ ଓଡ଼ିଶା ସହ ୩ଟି ରାଜ୍ୟ ତଦନ୍ତ କରୁଛି। ପୋଲିସ ସମସ୍ତ ତଦନ୍ତ କରି ଅଭିଯୁକ୍ତକୁ ଧରିବାରେ ସକ୍ଷମ ହେବ”, କହିଛନ୍ତି ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ମିଲି ପଣ୍ଡା।

Comment