ଓଡ଼ିଶାଲାଇଭ୍ ବ୍ୟୁରୋ

- ଦ୍ୱିତୀୟ ବାହାଘର ଆଶା ମଉଳିଲା
- ପ୍ରଥମ ସ୍ତ୍ରୀ ଅଭିଯୋଗରେ ପୋଲିସ ନେଲା କାର୍ଯ୍ୟାନୁଷ୍ଠାନ
- ଜେଲ୍ ଗଲେ ଦୁଇ ଭାଇ ଶଙ୍କର ପଣ୍ଡା ଓ ସୁଦାମ ପଣ୍ଡା
ବାହାଘରକୁ ନେଇ ହାଇଭୋଲଟେଜ ଡ୍ରାମା। ଘଟଣା ଘଟିଛି ରାଉରକେଲା ସହରର ଟାଙ୍ଗରପାଲି ଥାନା ଅଞ୍ଚଳରେ। ପ୍ରଥମ ସ୍ତ୍ରୀକୁ ଲୁଚାଇ ଦ୍ୱିତୀୟ ବାହାଘର ପାଇଁ ମନ ବଳାଇଥିବା ବନ୍ଧମୁଣ୍ଡା ଚମ୍ପାଗଡ଼ର ଶଙ୍କର ପଣ୍ଡାଙ୍କ ଅସଲ ରୂପ ପଦାରେ ପଡ଼ିଛି। ୨ଟି ଜୀବନ ନଷ୍ଟ କରିଥିବା ଶଙ୍କରଙ୍କୁ ପୋଲିସ ପୁଣି ବାନ୍ଧିଛି।
ଚମ୍ପାଗଡ଼ର ଶଙ୍କର ପଣ୍ଡା ରବିବାର ଟାଙ୍ଗରପାଲିର ସାରନଗରୀକୁ ଆସିଥିଲେ ବାହା ହେବା ପାଇଁ। ବରଯାତ୍ରି ଖୁସି ମିଜାଜରେ ନାଚି ନାଚି କନ୍ୟା ଘର ପାଖରେ ପହଞ୍ଚିଥିଲେ। ହେଲେ ଭୋଜି ଭଲ ହୋଇ ନଥିବା ଦର୍ଶାଇ ମଦ୍ୟପ ବରଯାତ୍ରି ଗଣ୍ଡଗୋଳ କରିଥିଲେ। ବର ଶଙ୍କର ମଧ୍ୟ ମଦ୍ୟପାନ କରି ବେଦି ନିକଟରେ ବାନ୍ତି କରିଥିଲା। ଖାଲି ସେତିକି ନୁହେଁ, ନିଶାସକ୍ତ ଅବସ୍ଥା ଶଙ୍କର କନ୍ୟାର ବାପା ଏବଂ ଭାଇଙ୍କୁ ଅଶାଳୀନ ବ୍ୟବହାର କରିଥିଲା। ଫଳରେ ମଦୁଆ ବରର ହାତ ଧରିବାକୁ ରାଜି ହୋଇ ନଥିଲା କନ୍ୟା। ଶେଷରେ କନ୍ୟା ଯାଇ ଟାଙ୍ଗରପାଲି ଥାନାରେ ଅଭିଯୋଗ କରିଥିଲା।
ଅଭିଯୋଗକୁ ଭିତ୍ତି କରି ପୋଲିସ ଶଙ୍କର ଏବଂ ତାଙ୍କ ଭାଇକୁ ଅଟକ ରଖିଥିଲା। ହେଲେ ସାମାଜିକ ଚାପ ଏବଂ ପରିବାରର ଆର୍ଥିକ ପରିସ୍ଥିତି ଆଗରେ କନ୍ୟା ମୁଣ୍ଡ ନୁଆଁଇଥିଲା। କିଛି ସାମାଜିକ କର୍ମୀ ଏବଂ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ କନ୍ୟା ମଦୁଆ ବରର ହାତ ଧରିବାକୁ ରାଜି ହୋଇଥିଲା। ସୋମବାର ରାତିରେ ଥାନାରେ ମାଳ ଅଦଳ ବଦଳ କରିଥିଲେ ବର-କନ୍ୟା।
ବ୍ୟକ୍ତିଗତ ମୁଚାଲିକାରେ ଟାଙ୍ଗରପାଲି ପୋଲିସ ବର ଶଙ୍କର ପଣ୍ଡା ଏବଂ ତାଙ୍କ ଭାଇକୁ ଛାଡ଼ିଥିଲେ। ମଙ୍ଗଳବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବାହାଘର ହୋଇଥାନ୍ତା। କିନ୍ତୁ ପରିସ୍ଥିତି ଭିନ୍ନ ମୋଡ଼ ନେଇଥିଲା।
ରାଉରକେଲା ସେକ୍ଟର-୭ର ଜଣେ ମହିଳା ଶଙ୍କରର ପ୍ରଥମ ସ୍ତ୍ରୀ ଦାବି କରି ଥାନାକୁ ଆସିଥିଲେ। ଶଙ୍କର ନାଁରେ ସେ ଅଭିଯୋଗ କରିଥିଲେ। ପୋଲିସ ଅଡ଼ୁଆରେ ପଡ଼ିଥିଲା। ମହିଳା ଜଣକ ବାହାଘର ସମସ୍ତ ପ୍ରମାଣ ଦେବା ପରେ ଶଙ୍କରକୁ ଗିରଫ କରିବା ପାଇଁ ବନ୍ଧମୁଣ୍ଡା ଯାଇଥିଲା ପୋଲିସ। ଆଉ ଶଙ୍କରକୁ ଗିରଫ କରିଥିଲା। ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଶଙ୍କର ଏବଂ ତାଙ୍କ ଭାଇ ସୁଦାମ ପଣ୍ଡାଙ୍କୁ କୋର୍ଟ ଚାଲାଣ କରି ଜେଲ୍ ପଠାଇଛି।








