ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ପ୍ରାର୍ଥୀତ୍ଵକୁ ନେଇ ପ୍ରକାଶ ପାଇଛି ଅନେକ କଳ୍ପନାଜଳ୍ପନା। ପ୍ରକୃତରେ କାହା ମୁଣ୍ଡରେ ହାତୀ କଳସ ଢାଳିବ ସେ କଥା ନିର୍ଭର କରେ ଦଳର ସଭାପତି ନବୀନଙ୍କ ଉପରେ।
ଆସନ୍ତା ମାସରେ ଖାଲିପଡ଼ୁଥିବା ଓଡ଼ିଶାର ତିନିଟି ରାଜ୍ୟସଭା ପଦ ପାଇଁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀ ପ୍ରାର୍ଥୀଙ୍କ ପକ୍ଷରୁ ଜୋରଦାର ଲବି ଆରମ୍ଭ ହୋଇଯାଇଛି।
ସୋମବାର ଦିନ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଆସନ ପୂରଣ ପାଇଁ ୨୩ ତାରିଖକୁ ଭୋଟଦିନ ଧାର୍ଯ୍ୟ କରାଯାଇଛି। କାର୍ଯ୍ୟସୂଚୀ ଅନୁସାରେ ୧୨ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରିହେବ।
ଏପ୍ରିଲ ୩ ତାରିଖରେ ବର୍ତ୍ତମାନର ତିନିଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବ। ଏ ତିନିହେଁ ହେଉଛନ୍ତି ପଶ୍ଚିମ ଓଡିଶାର ପ୍ରଭାବଶାଳୀ ନେତା ଏ ୟୁ ସିଂହଦେଓ, ଏ ଭି ସ୍ୱାମୀ ଓ ଦିଲୀପ ତିର୍କୀ।
ବିଧାନସଭାରେ ଶାସକ ବିଜେଡିର ୧୧୮ ଜଣ ବିଧାୟକ ଥିବା ଦୃଷ୍ଟିରୁ ଏହି ତିନୋଟିଯାକ ରାଜ୍ୟସଭା ପଦ ବିଜେଡି ଖାତାକୁ ହିଁ ଯିବ। ଏଣେ ରାଜ୍ୟସଭାକୁ ଯିବା ପାଇଁ ବିଜେଡିର ଏକ ଲମ୍ବା ତାଲିକା ମୁଖ୍ୟମନ୍ତ୍ରୀଙ୍କ ଟେବୁଲ ଉପରେ ରଖାଯାଇଛି। ପ୍ରାର୍ଥୀମାନେ ନିଜ ନିଜ ସମ୍ପର୍କ ଡ଼ୋରକୁ ଧରି ଦରଖାସ୍ତ ପକାଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କାହାକୁ ରାଜ୍ୟସଭାକୁ ପଠାଇବା ପାଇଁ ଚାହିଁବେ ତାହା କେବଳ ଅନୁମାନସାପେକ୍ଷ।
ପ୍ରଥମେ ଆମକୁ ଦେଖିବାକୁ ହେବ ଯେଉଁମାନଙ୍କ କାର୍ଯ୍ୟକାଳ ଶେଷ ହୋଇଛି ସେମାନଙ୍କୁ ପୁଣିଥରେ ଟିକେଟ ଦିଆଯିବ କି? ଏ ତିନିଙ୍କ ଭିତରୁ ଏ ଭି ସ୍ୱାମୀ ପୁଣି ଥରେ ମନୋନୀତ ହେବାର ଆଦୌ ପ୍ରଶ୍ନ ଉଠୁନାହିଁ।
ପ୍ରଥମତଃ ବୟସ ତାଙ୍କ ସପକ୍ଷରେ ଯାଉନାହିଁ। ତେଣେ ଏଥର ରାଜ୍ୟସଭା ନିର୍ବାଚନର ମାହୋଲ ପୂରା ଅଲଗା। ରାଜ୍ୟସଭାକୁ ଯିବା ପାଇଁ ବହୁ ମହାରଥୀ ଅପେକ୍ଷା କରି ବସିଥିବା ବେଳେ ଏ ଭି ସ୍ଵାମୀ ଯେ ଆଉ ଥରେ ଟିକେଟ ପାଇବେ ତାହା ଅସମ୍ଭବ।
ତା’ଛଡା ନିଜେ ନବୀନ ସ୍ପଷ୍ଟ କହି ସାରିଛନ୍ତି ଯେ, ରାଜ୍ୟସଭା ପାଇଁ ରାଜନୈତିକ ବ୍ୟକ୍ତିଙ୍କୁ ହିଁ ଟିକେଟ ମିଳିବ।
ଏ ଭି ସ୍ୱାମୀଙ୍କ କଥା ଯଦି ବାଦ୍ ଦିଆଯାଏ, ତିର୍କୀଙ୍କୁ ପୁଣି ଥରେ ପଠାଇବାର ସମ୍ଭାବନାକୁ ଏଡେଇ ଦିଆ ଯାଇପାରିବ ନାହିଁ। ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ହେଉଛନ୍ତି ଦିଲୀପ ତିର୍କୀ। ଏହାଛଡ଼ା ଓଡିଶା ସରକାରଙ୍କ ପକ୍ଷରୁ ଏବେ ହକି ଖେଳ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି ଏବଂ ଆଗକୁ ଓଡ଼ିଶାରେ ବହୁ ଗୁରୁତ୍ଵପୂର୍ଣ ମ୍ୟାଚ ଖେଳାଯିବ। ସେହି କାରଣରୁ ତିର୍କୀଙ୍କୁ ପୁଣି ଥରେ ରାଜ୍ୟସଭାକୁ ପଠାଯିବାର ବହୁ ସମ୍ଭାବନା ରହିଛି। ଯଦି ତାହା ହୁଏ କେବଳ ୨ଟି ଆସନ ପାଇଁ ପ୍ରାର୍ଥୀ ଖୋଜାଯିବ।
ଇତି ମଧ୍ୟରେ ଦୁଇ ଜଣଙ୍କ ନାମ ଜୋରସୋର ଶୁଣାଯାଉଛି। ସେମାନେ ହେଲେ ଆମ ଓଡ଼ିଶାର ପ୍ରତିଷ୍ଠାତା ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ବିଜେପିରୁ ଆସି ବିଜେଡ଼ିରେ ମିଶିଥିବା ବିମ୍ବାଧର କୁଅଁର। କୁଅଁରଙ୍କ ସପକ୍ଷରେ ଯୁକ୍ତି ହେଉଛି ଯେ ସେ ଜଣେ ପଛୁଆ ବର୍ଗର ନେତା ଓ ପଶ୍ଚିମ ଓଡିଶାର ଜଣେ ପ୍ରଭାବଶାଳୀ ବ୍ୟକ୍ତି। ତା ଛଡା ବିଜେପିରୁ ଆସି ବିଜେଡ଼ିରେ ମିଶିବା ପରଠାରୁ ନବୀନ ତାଙ୍କୁ ପୁରସ୍କୃତ କରିନାହାନ୍ତି।
ଯଦିଓ ପ୍ରାର୍ଥୀତ୍ଵକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରକୃତରେ କାହା ମୁଣ୍ଡରେ ହାତୀ କଳସ ଢାଳିବ ସେ କଥା ନିର୍ଭର କରେ ଦଳର ସଭାପତି ନବୀନଙ୍କ ଉପରେ।
୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ନବୀନଙ୍କୁ ଏଥର ପ୍ରାର୍ଥୀ ଚୟନ ବେଳେ ଖଣ୍ଡାଧାରରେ ଚାଲିବାକୁ ହେବ। ନିଜ ଦଳରେ ଥିବା କିଛି ଅସନ୍ତୁଷ୍ଟଙ୍କୁ ଖୁସି କରିବା ସହିତ ଅନ୍ୟ ଦଳରୁ ଯେଉଁମାନେ ଆସିଛନ୍ତି ସେମାନଙ୍କ କଥା ମଧ୍ୟ ବୁଝିବାକୁ ପଡ଼ିବ। ଅତୀତ ଅଭିଜ୍ଞତା ଯଦି କିଛି ଶିକ୍ଷା ଦିଏ, ନବୀନ ସବୁ ବର୍ଗ ଓ ସମସ୍ତ ପରିସ୍ଥିତି ଉପରେ ନଜର ରଖି ପ୍ରାର୍ଥୀ ଚୟନ କରିବେ। ସାଧାରଣତଃ ନବୀନଙ୍କ ରାଜ୍ୟସଭା ସଦସ୍ୟ ଚୟନରେ ଆଶ୍ଚର୍ଯ୍ୟ ଭରି ରହିଥାଏ। ଏଣୁ ଏଥର ବି ସେଭଳି କିଛି ମ୍ୟାଜିକ ଦେଖିବାକୁ ମିଳିପାରେ।