ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସଂସ୍କୃତି ଓ ଓଡିଆ ସମାଜର ଗୌରବମୟ ଗାଥାକୁ ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ମାର୍ଚ୍ଚ ୯ରୁ ଓଡ଼ିଶା ପର୍ବ-୨୦୧୮ ଅନୁଷ୍ଠିତ ହେବାକୁ ଯାଉଛି। ଏହା ୧୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ଗେଟ, ଲନ୍ ନମ୍ବର-୬ ଠାରେ ଆୟୋଜିତ ହେବ।

ନୂଆଦିଲ୍ଲୀସ୍ଥିତ ପ୍ରେସ କ୍ଲବ ଅଫ ଇଣ୍ଡିଆଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବେ। ୧୦ ତାରିଖ ସନ୍ଧ୍ୟାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ୧୧ ତାରିଖ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂ ଅତିଥି ଭାବେ ଯୋଗଦେବେ।

ଓଡିଆ ସମାଜ ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ” ଚଳିତ ବର୍ଷ ଓଡ଼ିଶା ପର୍ବ ଗତବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକ ସ୍ଥାନରେ ଆୟୋଜିତ ହେବ। ଦର୍ଶକଙ୍କ ସୁବିଧା ପାଇଁ ପାନୀୟ ଜଳ ଆଉଟଲେଟ୍ ଏବଂ ତିନିଗୁଣ ଅଧିକ ଖାଦ୍ୟ ଷ୍ଟଲର ସମାହାର ରହିବ। ଏଠାରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ମିଳିବ।”

ଓଡ଼ିଆ ସମାଜର ଟ୍ରଷ୍ଟି ହିରଣ୍ୟ ମହାନ୍ତି ଏବଂ ସନ୍ଦିପ ମହାପାତ୍ର, ଓଡ଼ିଆ ସମାଜର ମୁଖ୍ୟ ସଦସ୍ୟ ମଣ୍ଡଳୀର ସଦସ୍ୟ ଚାରୁଦତ୍ତ ପାଣିଗ୍ରାହୀ ଏବଂ ଦେବଜିତ୍ ରଥ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

୨ ଲକ୍ଷ ୬୦ ହଜାର ବର୍ଗ ଫୁଟ ପରିବ୍ୟାପ୍ତ ଅଂଚଳରେ ଓଡ଼ିଶା ପର୍ବ ଆୟୋଜନ କରାଯିବ। ଓଡ଼ିଶା ପର୍ବର ପ୍ରବେଶ ପଥକୁ ଦୋଳ ବିମାନ ସଦୃଶ ତୋରଣରେ ସୁସଜ୍ଜିତ କରାଯିବ। ସ୍ୱାଧୀନତା ସଂଗ୍ରାମରେ ଝାସଦେଇଥିବା ଓଡ଼ିଆ ମାଟିର ବରପୁତ୍ରମାନଙ୍କର ବୀରତ୍ୱର ଗାଥାକୁ ପ୍ରଚାର କରାଯିବ। ବାରବାଟୀ ଦୁର୍ଗର ପ୍ରତିରୂପରେ ସଭାସ୍ଥଳକୁ ସୁସଜ୍ଜିତ କରାଯିବ। ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବ।

ଫ୍ୟାଶନ ଡିଜାଇନ କାଉନସିଲ ଅଫ ଇଣ୍ଡିଆର ସଭାପତି ସୁନିଲ ସେଟ୍ଟୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫ୍ୟାସନ ଡିଜାଇନ୍ ସୋ ପ୍ରଦର୍ଶିତ ହେବ। ଓଡ଼ିଶାର ପାରମ୍ପରିକ ଲୋକକଳା, ଓଡ଼ିଶୀ, ଫ୍ୟୁଜନ, ସମକାଳିକ ନୃତ୍ୟ ଆଦି ପରିବଷେଣ କରାଯିବ। ଅପରାହ୍ଣ ୪ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ଉତ୍ସବ ଚାଲିବ।

Comment