ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତ୍ୟେକ ବ୍ୟକ୍ତିଙ୍କର ସମ୍ମାନର ସହ ମରିବାର ଅଧିକାର ରହିଛି। ଏହା ଦର୍ଶାଇ ସୁପ୍ରିମକୋର୍ଟ ଦେଇଛନ୍ତି ଏକ ଐତିହାସିକ ରାୟ। ତେବେ ସର୍ବୋଚ୍ଚ ଅଦାଲତ ଇଚ୍ଛାମୃତ୍ୟୁ ଲାଗି ଅନେକଗୁଡିଏ ସର୍ତ୍ତ ରଖି ସ୍ୱୀକୃତି ଦେଇଛନ୍ତି।

ପରୋକ୍ଷ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏଥିପାଇଁ କଡ଼ା ଗାଇଡ ଲାଇନ୍ ମଧ୍ୟ ଜାରି କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି।

ସର୍ବୋଚ୍ଚ ଅଦାଲତଙ୍କ ରାୟ ଅନୁସାରେ ଯେଉଁମାନେ ଗୁରୁତର ଅସୁସ୍ଥ ଅଛନ୍ତି ଓ ଯାହାଙ୍କର କଥା କହିବାର ଶକ୍ତି ନାହିଁ ସେମାନଙ୍କ ପାଇଁ ପରିବାର ସଦସ୍ୟ ବା ସମ୍ପର୍କୀୟ ଏହି ଲିଭଂ ଉଇଲ୍ କରିପାରିବେ। ତେବେ କୌଣସି କ୍ଷେତ୍ରରେ ଇଚ୍ଛାମୃତ୍ୟୁର ଆବଶ୍ୟକତା ରହିଛି ନା ନାହିଁ କୋର୍ଟଙ୍କ ଦ୍ବାରା ଗଠିତ ମେଡିକାଲ ବୋର୍ଡ ତାହା ନିଷ୍ପତ୍ତି ନେବେ।

ଟର୍ମିନାଲ ଇଲନେସ୍ ବା ଦୀର୍ଘ ଦିନ ଧରି ଅତି ଗୁରୁତର ଅସୁସ୍ଥ ବ୍ୟକ୍ତି, ଯାହାଙ୍କର ବଞ୍ଚିବାର ଇଚ୍ଛା ନାହିଁ ସେଭଳି ଲୋକଙ୍କ କ୍ଷେତ୍ରରେ ପ୍ୟାସିଭ ୟୁଥୋନେସିଆ କାର୍ଯ୍ୟକାରୀ କରାଯାଇ ପାରିବ। ଏଭଳି ଲୋକଙ୍କଠାରୁ ଲାଇଫ୍ ସପୋର୍ଟ ସିଷ୍ଟମ କାଢ଼ି ନିଆଯିବ। ଏହାଦ୍ୱାରା ତାଙ୍କର ଶୀଘ୍ର ମୃତ୍ୟୁ ଘଟିବ।

‘କମନ କଜ୍’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଇଚ୍ଛାମୃତ୍ୟୁ ସମ୍ପର୍କରେ ୨୦୦୫ରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏଥିରେ କୁହାଯାଇଥିଲା, ଦୀର୍ଘଦିନ ଧରି ଅସୁସ୍ଥ ଥିବା ଲୋକଙ୍କ ଇଚ୍ଛାମୃତ୍ୟୁର ଅଧିକାର ରହିଛି। ସୁସ୍ଥ ହେବାର କୌଣସି ଆଶା ନଥିବାରୁ ତାକୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାନଯାଉ। ମୁମ୍ବାଇର ଅରୁଣା ସାନବାଗ୍‌ଙ୍କ  ଘଟଣାକୁ ନେଇ ସାରା ଦେଶରେ ବିତର୍କ ଆରମ୍ଭ ହୋଇଥିଲା।

ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ କେ ସିକ୍ରି, ବିଚାରପତି ଏ ଏମ ଖାନୱିଲକର, ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଏବଂ ବିଚାରପତି ଅଶୋକ ଭୁଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଶୁଣାଇଛନ୍ତି ରାୟ।

ଯଦିଓ ଖଣ୍ଡପୀଠର ସବୁ ବିଚାରପତି ଜନସ୍ଵାର୍ଥ ମାମଲା ଉପରେ ପୃଥକ ପୃଥକ ରାୟ ଦେଇଛନ୍ତି, ତେବେ ସବୁ ବିଚାରପତି ବ୍ୟକ୍ତିକୁ ଇଚ୍ଛାମୃତ୍ୟୁ ଅଧିକାର ଦିଆଯିବା ନେଇ ସହମତ ହୋଇଛନ୍ତି। ସେ କେଉଁ ପ୍ରକାର ମୃତ୍ୟୁ ଚାହୁଁଛି ସେଥିପାଇଁ ବ୍ୟକ୍ତିର ପୂର୍ଣ୍ଣ ଅଧିକାର ରହିଛି ବୋଲି କୋର୍ଟ କହିଛନ୍ତି।

ଯେତେବେଳେ କୌଣସି ଦୁରାରୋଗ୍ୟ ରୋଗରେ ଜଣେ ରୋଗୀ ପୀଡିତ ଏବଂ ସେ ବଞ୍ଚିବା ପାଇଁ ଚାହୁଁନି ସେହି ପରିସ୍ଥିତିରେ ସେହି ବ୍ୟକ୍ତିଙ୍କୁ ସେଭଳି ଅସହାୟ ଅବସ୍ଥାରେ ଜୀବନ ସହିତ ସଂଘର୍ଷ କରିବା ପାଇଁ ଛାଡିଦେବା ଉଚିତ୍ ହେବନି ବୋଲି ଖଣ୍ଡପୀଠ ରାୟରେ ଶୁଣାଇଛନ୍ତି।

ଇଚ୍ଛାମୃତ୍ୟୁକୁ କାର୍ଯ୍ୟକାରୀ ପାଇଁ କଡ଼ା ନୀତିନିୟମ ରଖିଛନ୍ତି କୋର୍ଟ। କେଉଁମାନେ ଲିଭିଙ୍ଗ ୱିଲକୁ ସ୍ଵୀକୃତି ଦେଇପାରିବେ ସେନେଇ କୋର୍ଟ ରାୟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ଏନେଇ ଏକ ମେଡିକାଲ ବୋର୍ଡ ଗଠନ ହେବ। ସେହି ବୋର୍ଡ ନିଷ୍ପତ୍ତି ହିଁ ଗୁରୁତ୍ଵପୂର୍ଣ୍ଣ ଓ ଜରୁରୀ।

“ଆକ୍ଟିଭ ୟୁଥାନାସିଆ ସପକ୍ଷରେ ମୁଁ ନାହିଁ। ଏହାଦ୍ୱାରା ଇଚ୍ଛାମୃତ୍ୟୁ ପାଇଁ ରୋଗୀଙ୍କୁ ଇଞ୍ଜେକ୍ସନ ଦିଆଯାଇଥାଏ। ତେଣୁ ପାସିଭ ୟୁଥାନାସିଆ ଦ୍ଵାରା ରୋଗୀଙ୍କୁ ଭେଣ୍ଟିଲେଟର ଭଳି ଲାଇଫ ସପୋର୍ଟ ସିଷ୍ଟମରୁ ବାହାର କରିଦିଆଯାଇଥାଏ । ଫଳରେ ରୋଗୀର ଆପେ ଆପେ ମୃତ୍ୟୁ ହୁଏ। ତେଣୁ ମୁଁ ପାସିଭ ୟୁଥାନାସିଆ ସପକ୍ଷରେ”, କହିଛନ୍ତି ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ।

Comment