ଓଡ଼ିଶାଲାଇଭ୍ ବ୍ୟୁରୋ
ପିସିସି ସଭାପତିଙ୍କୁ ନେଇ ପୁଣି ଅଡ଼ୁଆ ବଢ଼ିଛି। କଂଗ୍ରେସ ନେତା ଶରତ ରାଉତ ରବିବାର ଯେଉଁ ପ୍ରଶ୍ନ କରିଥିଲେ ସୋମବାର ତାରା ପ୍ରସାଦ ବାହିନୀପତି ସମାନ ପ୍ରଶ୍ନ ପଚାରି କନ୍ଦଳକୁ ତୀବ୍ର କରିଛନ୍ତି।
ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫାପତ୍ର ହାଇକମାଣ୍ଡ ଗ୍ରହଣ ନକରିବା ପରେ କଂଗ୍ରେସରେ କଳି ବଢ଼ୁଛି। କୌଣସି ବରିଷ୍ଠ ନେତା ଏନେଇ ମୁହଁ ଖୋଲି ନଥିଲେ ମଧ୍ୟ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସମାଲୋଚନା କରିଛନ୍ତି। ଏପଟେ ଜ୍ୱାଇଁ ପ୍ରସାଦଙ୍କ ପାଇଁ ଶ୍ୱଶୁର ସୁର ରାଉତରାୟ ଓକିଲାତି କରିଛନ୍ତି।
ସୁର ରାଉତରାୟ କହିଛନ୍ତି, “ରାହୁଲ ଗାନ୍ଧି ନୂଆ ପିସିସି ସଭାପତି ଚୟନ ନକରିବା ପର୍ଯ୍ୟନ୍ତ ପ୍ରସାଦ ସଭାପତି ରହିବେ। ଯେଉଁମାନେ ପିସିସି ସଭାପତି ପାଇଁ ଆଶାୟୀ ଥିଲେ ସେମାନଙ୍କ ଆଶା ଫସର ଫାଟି ଯାଇଛି। ପ୍ରସାଦଙ୍କୁ ବିଦା କରିବା ପାଇଁ ବିଜେପୁରରେ ନିଜ ପ୍ରାର୍ଥୀଙ୍କୁ ହରାଇଲେ।”
ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ପ୍ରସାଦ ସଭାପତି ରହିବା ନେଇ ପୁଣି ଆପତ୍ତି ଉଠାଇଛନ୍ତି। ପିସିସି ସଭାପତି ନିଷ୍ପତ୍ତି ନେବାରେ ସଂନ୍ଧ୍ୟାରାଣୀ ମହାପାତ୍ର କିଏ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଅମାନତ ହାରିବା ପରେ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ। ନୈତିକତା ଦୃଷ୍ଟିରୁ ପ୍ରସାଦ ଇସ୍ତଫା ଦେଇଥିବା ସେତେବେଳେ ସୁର ରାଉତରାୟ କହିଥିଲେ।
ହେଲେ ପ୍ରସାଦଙ୍କ ଇସ୍ତଫା ଏଆଇସିସି ଗ୍ରହଣ କରି ନଥିବା ରବିବାର ଶୃଙ୍ଖଳା କମିଟି ସଭ୍ୟ ସନ୍ଧ୍ୟାରାଣୀ ମହାପାତ୍ର କହିଥିଲେ। ୨୦୧୯ ପର୍ଯ୍ୟନ୍ତ ପିସିସି ସଭାପତି ପଦଳୁ ନଥିବା ସେ କହିଥିଲେ।
ଏହି ମନ୍ତବ୍ୟ ପରେ କଂଗ୍ରେସରେ କନ୍ଦଳ ତୀବ୍ର ହୋଇଥିଲା। ବରିଷ୍ଠ ନେତା ଶରତ ରାଉତ ଏନେଇ ପ୍ରଶ୍ନ ଉଠାଇଥିଲେ। ପିସିସି ସଭାପତି କିଏ ରହିବେ ଏବଂ ନରହିବେ ସେ ନିଷ୍ପତ୍ତି କେବଳ ରାହୁଲ ଗାନ୍ଧିଙ୍କର। ସନ୍ଧ୍ୟାଙ୍କୁ ନିଷ୍ପତ୍ତି ନେବାର ଅଧିକାର କିଏ ଦେଲା ବୋଲି ଶରତ ଆଙ୍ଗୁଳି ଉଠାଇଥିଲେ।
ଶରତଙ୍କ ପରେ ସୋମବାର ଅନୁରୂପ ପ୍ରଶ୍ନ କରିଛନ୍ତି ତାରା। ଫଳରେ କଂଗ୍ରେସ କନ୍ଦଳ ତେଜିଛି।








ପିସିସି ସଭାପତିଙ୍କୁ ନେଇ ପୁଣି ଅଡ଼ୁଆ ବଢ଼ିଛି। କଂଗ୍ରେସ ନେତା ଶରତ ରାଉତ ରବିବାର ଯେଉଁ ପ୍ରଶ୍ନ କରିଥିଲେ ସୋମବାର ତାରା ପ୍ରସାଦ ବାହିନୀପତି ସମାନ ପ୍ରଶ୍ନ ପଚାରି କନ୍ଦଳକୁ ତୀବ୍ର କରିଛନ୍ତି।









