ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ପୋଲିସ ଭବନଠାରେ ଆରମ୍ଭ ହୋଇଛି ତିନିଦିନିଆ ପୋଲିସ ଅଧିକାରୀ ସମ୍ମିଳନୀ। ପୋଲି -ପବ୍ଲିକ୍ ସମ୍ପର୍କକୁ ଦୃଢ଼ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି ଡିଜିପି ଆର୍ ପି ଶର୍ମା।

  • ୬୦ତମ ପୋଲିସ୍ ଅଫିସର ସମ୍ମିଳନୀ ଉଦ୍‌ଘାଟିତ
  • ପୋଲିସ ଓ ପବ୍ଲିକ୍ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ
  • ଆଇନ ଶୃଙ୍ଖଳା ପରିସ୍ଥିତି ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ
  • ପ୍ରତି ଜିଲ୍ଲାରେ ସାଇବର ସେଲ ଖୋଲିବ
  • ପ୍ରତି ଜିଲ୍ଲାରେ ମଡେଲ ଥାନା ପ୍ରତିଷ୍ଠା ହେବ
  • ମହିଳା ପୀଡ଼ିତାଙ୍କ ପାଇଁ କାଉନସେଲିଂ ସେଣ୍ଟର ପ୍ରତିଷ୍ଠା ହେବ

ଭୁବନେଶ୍ୱରରେ ୬୦ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ତିନିଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀକୁ ଉଦଘାଟନ କରିଛନ୍ତି ପୋଲିସ ଡ଼ିଜି ଆରପି ଶର୍ମା।

“ମାଓବାଦୀ ପାଲଟିଥିବା ଯୁବକମାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପୋଲିସର ନୈତିକ କର୍ତ୍ତବ୍ୟ। ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ କରିବା ଉଚିତ। ମାଓବାଦୀ ବିରୋଧରେ ପୋଲିସର ଲଢ଼େଇ ଜାରି ରହିଛି। ବିଭିନ୍ନ ସ୍ଥାନରେ ମାଓ ହିଂସା ଦେଖିବାକୁ ମିଳୁଛି। ତେଣୁ ମାଓ ଦମନ ପାଇଁ ପୋଲିସକୁ ଆହୁରି ସଜାଗ ରହିବାକୁ ପଡ଼ିବ”, କହିଛନ୍ତି ଡିଜିପି ଆରପି ଶର୍ମା।

ଏଥିସହ ପ୍ରତି ଜିଲ୍ଲାରେ ମଡେଲ ଥାନା ପ୍ରତିଷ୍ଠା ହେବା ନେଇ ଡିଜିପି ଗୁରୁତ୍ୱ ଦେଇଛନ୍ତି। ମହିଳା ପୀଡ଼ିତାଙ୍କ ପାଇଁ କାଉନସେଲିଂ ସେଣ୍ଟର ପ୍ରତିଷ୍ଠା ହେବ। ପ୍ରଥମେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏବଂ ପରେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏହି ବ୍ୟବସ୍ଥା ଲାଗୁ ହେବ। ସୋସିଆଲ ମିଡିଆର ଯେଉଁଭଳି ଭାବେ ଅପବ୍ୟବହାର କରାଯାଉଛି। ତାହାକୁ ରୋକିବା ପାଇଁ ପ୍ରତି ଜିଲ୍ଲାରେ ସାଇବର ସେଲ ଖୋଲିବା ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜିପି।

ଏହି ସମ୍ମିଳନୀରେ ସମସ୍ତ  ଜିଲ୍ଲାର ଏସ୍‌ପି, ଡିସିପି, ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ପୋଲିସ କମିଶନର, ରେଞ୍ଜ ଆଇଜି, ଡିଆଇଜି ଓ ପ୍ରଶିକ୍ଷଣ ନେଉଥିବା ଆଇପିଏସ୍ ଅଧିକାରୀ ସାମିଲ ହୋଇଛନ୍ତି। ସେହିପରି ସମସ୍ତ ପୋଲିସ ପ୍ରତିଷ୍ଠାନ ତଥା ଅଗ୍ନିଶମ ଓ ହୋମଗାର୍ଡ, ଭିଜିଲାନ୍ସ ଓ ଜେଲ ବିଭାଗ, ରାଜ୍ୟ ପୋଲିସ ଗୃହ ନିର୍ମାଣ  ଓ କଲ୍ୟାଣ ନିଗମ ଆଦିର ଅଧିକାରୀ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି। ଏହାସହ ଯୁବ ଏସପିଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଡ଼ିଜିପି।

Comment