ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁକମା ମାଓ ହମଲାରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ମନୋରଞ୍ଜନ ଲେଙ୍କାଙ୍କୁ ରାଷ୍ଟ୍ରିୟ ମର୍ଯ୍ୟଦା ସହ ଅନ୍ତିମ ବିଦାୟ ଦିଆଯାଇଛି।

ଦେଶ ପାଇଁ ସହିଦ୍ ମନୋରଞ୍ଜନ ଲେଙ୍କାଙ୍କୁ ଦିଆଯାଇଛି ଅନ୍ତିମ ବିଦାୟୀ। ଶୋକାକୁଳ ଜନତାଙ୍କ ଗହଣରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଦାୟ ନେଇଛନ୍ତି ମନୋରଞ୍ଜନ।

ଜନ୍ମ ମାଟିରେ ବୀର ପୁଅକୁ ଶେଷ ସମ୍ମାନ ଜଣାଇବା ପାଇଁ ରେବଣା ନୂଆଗାଁରେ ୧୫ ହଜାରରୁ ଅଧିକ ଶୋକାକୁଳ ଜନତା ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ  ସହିଦ୍ ଓଡ଼ିଆ ଯବାନ ମନୋରଞ୍ଜନ ଲେଙ୍କାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବୁଧବାରଦିନ ସହିଦଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ ମନ୍ତ୍ରୀ ଓ ବରିଷ୍ଠ ପୋଲିସ ଅଫିସର।

ସହିଦଙ୍କୁ ସେଠାରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର୍। ଏହାପରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ବିକ୍ରମ ଆରୁଖ ଓ ଶଶୀ ଭୂଷଣ ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କ ସହ ବହୁ ପୋଲିସ୍ ଅଧିକାରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

ସେଠାରୁ ସହିଦଙ୍କ ମରଶରୀରକୁ ତାଙ୍କ ଜନ୍ମ ମାଟି ପୁରୀ ଜିଲ୍ଲା ରେମୁଣା ନୂଆଗାଁ ନିଆଯାଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ପୁରା ଗାଁ ଏକତ୍ର ହୋଇ ମନୋରଞ୍ଜନଙ୍କ ମରଶରୀରକୁ ଶୋଭାଯାତ୍ରା ଜରିଆରେ ଶ୍ମଶାନକୁ ନେଇଯାଇଥିଲେ।

୧୫ଦିନ ପୂର୍ବରୁ ମନୋରଞ୍ଜନଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏଥିପାଇଁ ସେ ଛୁଟିରେ ଘରକୁ ଆସିଥିଲେ। ବାପାଙ୍କ ଶୁଦ୍ଧି କାର୍ଯ୍ୟସାରି କାର୍ଯ୍ୟରେ ଯୋଗ ଦେବାର କିଛି ସମୟରେ ପରେ ଏଭଳି ଅଘଟଣ ଘଟିଛି। ଜନ୍ମ ଦିନରେ ହିଁ ସହିଦ୍ ହୋଇଯାଇଛନ୍ତି ମନୋରଞ୍ଜନ।

ପରିବାରର ଏକମାତ୍ର ସାହାରା ଥିବା ମନୋରଞ୍ଜନଙ୍କ ମୃତ୍ୟୁରେ ପୁରା ପରିବାର ଭାଙ୍ଗିପଡ଼ିଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କ ପରିବାରକୁ ସହାୟତା ଯୋଗାଇଦେବା ସହ ତାଙ୍କ ଅବିବାହିତ ଭଉଣୀକୁ ଚାକିରି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ଛତିଶଗଡ଼ ସୁକମା କିସ୍ତାରାମ ଅଞ୍ଚଳରେ ମାଓ ଆକ୍ରମଣରେ ସହିଦ ହୋଇଥିବା ୯ ଜଣ ଯବାନଙ୍କୁ ସୁକମାରେ ତୋପ ସଲାମୀ ଦିଆଯାଇଥିଲା। ଗୃହ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର ଶେଷ ସମ୍ମାନ ଜଣାଇଥିଲେ। ପରେ ସେମାନଙ୍କ ମର ଶରୀରକୁ ଜନ୍ମମାଟିକୁ ପଠାଇ ଦିଆଯାଇଥିଲା।

ଗତକାଲି ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଉପରେ ମାଓବାଦୀ ପ୍ରାଣଘାତୀ ଆକ୍ରମଣ କରିଥିଲେ। ଏଥିରେ ୯ଜଣ ଯବାନ ସହିଦ୍ ହୋଇଥିଲେ।

Comment