ଓଡ଼ିଶାଲାଇଭ୍‌ ବ୍ୟୁରୋ  

ବହୁତ କମ୍ ଓଡ଼ିଆ ଛବିରେ ଝିଅକୁ ବିଦାୟ ଦେବାର ଦୃଶ୍ୟ ଉପରେ ଗୀତ ରହିଛି। ଏଭଳି ଦୁଇଟି ଝିଅ ବିଦା ଗୀତ ଦର୍ଶକ ମହଲରେ ବେଶ୍ ଆଦୃତ ହୋଇଥିଲା।

ଓଡ଼ିଆ ଚଳଚ୍ଚିତ୍ରରେ ଅନେକ ବାହାଘର ଦୃଶ୍ୟ ଆପଣମାନେ ଦେଖିଥିବେ। ବିଶେଷକରି ବର- କନିଆ ବେଦୀରେ ବସିଛନ୍ତି, ହାତ ଗଣ୍ଡି ପଡ଼ୁଛି ଏପରିକି କନ୍ୟା ମଧ୍ୟ ବିଦା ହେବାର ଦୃଶ୍ୟ ଦେଖିଛନ୍ତି। ହେଲେ ବହୁତ କମ୍ ଓଡ଼ିଆ ଛବିରେ ଝିଅକୁ ବିଦାୟ ଦେବାର ଦୃଶ୍ୟ ଉପରେ ଗୀତ ରହିଛି। ଏଭଳି ଦୁଇଟି ଝିଅ ବିଦା ଗୀତ ଦର୍ଶକ ମହଲରେ ବେଶ୍ ଆଦୃତ ହୋଇଥିଲା। ଏଥିମଧ୍ୟରୁ ଗୋଟିଏ ହେଲା ୧୯୮୮ର ହିଟ୍ ଫିଲ୍ମ ‘ଯାହାକୁ ରଖିବେ ଅନନ୍ତ’ର ‘ଏ ଅଗଣା, ଏ ଘର, ଏ ଦାଣ୍ଡ ଦୁଆର, ମତେ କଲା ପର, ଟୋପାଏ ସିନ୍ଦୁର…’’। ଅନ୍ୟଟି ହେଲା ‘ଘର ଏରୁଣ୍ଡି ବନ୍ଧ ଡେଇଁ ଝିଅ ଯାଏଲୋ ପରକରି…’। ଉଭୟ ଗୀତର ସ୍ଵରକାର ହେଲେ ସ୍ଵରୂପ ନାୟକ।

ତେବେ ଆସନ୍ତୁ ଜାଣିବା “ଯାହାକୁ ରଖିବେ ଅନନ୍ତ’’ ସିନେମାର ଏ ଅଗଣା, ଏ ଘର … ଗୀତ ପଛର ମଜାଦାର କାହାଣୀ।

ଓଲିଉଡ଼ର ଖ୍ୟାତନାମା ପ୍ରଯୋଜକ ବସନ୍ତ ନାୟକ ତାଙ୍କର ବ୍ରଜରାଜ ମୁଭିଜ୍ ବ୍ୟାନରରେ ‘ନାଗ ଫାସ’, ‘ଦଣ୍ଡା ବାଳୁଙ୍ଗା’ ଓ ‘ପକ୍କା କମ୍ବଳ ପୋତ ଛତା’ ଭଳି ସୁପରହିଟ୍ ସିନେମା ନିର୍ମାଣ କରିବା ପରେ ଆରମ୍ଭ କରିଥିଲେ। ଆଉ ଏକ ସିନେମା ଯାହାର ଟାଇଟେଲ୍ ରଖାଗଲା ‘ଯାହାକୁ ରଖିବେ ଅନନ୍ତ’। ଏହି ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଚୁକ୍ତିବଦ୍ଧ ହୋଇଥିଲେ ବମ୍ବେରେ ରହୁଥିବା ଅସୀମ କୁମାର।

‘ଯାହାକୁ ରଖିବେ ଅନନ୍ତ’ର ସ୍କ୍ରିପ୍ଟ ଲେଖିଥିଲେ ଜଣାଶୁଣା ଲେଖକ ବିଜୟ ମିଶ୍ର। ଫିଲ୍ମରେ ଥିବା ଗୀତଗୁଡ଼ିକ ଲେଖିଲେ ଲୋକପ୍ରିୟ ଗୀତିକାର- ସଂଗୀତକାର ସ୍ବରୂପ ନାୟକ। ସେ ଏହାର ମ୍ୟୁଜିକ୍ ମଧ୍ୟ କମ୍ପୋଜ୍ କରିଥିଲେ। ତେବେ ଯେତେବେଳେ ଫିଲ୍ମର ମ୍ୟୁଜିକ୍ ପ୍ଲାନିଂ ହୋଇଥିଲା, ସେତେବେଳେ ଏଥିରେ ଝିଅ ବିଦା ହେବାର ଗୀତ ନ ଥିଲା। ବମ୍ବେରେ ଗୀତ ରେକର୍ଡିଂ ଚାଲିଥାଏ, ସେଠି ବସନ୍ତ ନାୟକ ଓ ସ୍ଵରୂପ ନାୟକ ପ୍ରମୁଖ ଥାଆନ୍ତି। ହଠାତ୍ ବସନ୍ତ ନାୟକ ମନକୁ ଆସିଲା ଯେ ଏ ଯାଏଁ ଓଡ଼ିଆ ସିନେମାରେ ଝିଅ ବାହା ହୋଇ ଘରକୁ ଯାଉଥିବାର ଗୀତ ତିଆରି ହୋଇନାହିଁ।

ବଲିଉଡ଼ରେ ତ ଏମିତି ଅନେକ ଗୀତ ତିଆରି ହୋଇଛି ଆଉ ସୁପରହିଟ୍ ବି ହୋଇଛି। ବିଶେଷକରି ‘ନିଲ୍ କମଲ୍’ ଫିଲ୍ମର ‘ବାବୁଲ୍ କି ଦୁଆଏଁ ଲେତି ଯା’, ଯା ତୁଝ୍‌କୋ ସୁଖୀ ସଂସାର ମିଲେ…’  ଖୁବ୍ ସଫଳତା ହାସଲ କରିଥିଲା। ଏ କଥାକୁ ମନେ ପକାଇ ବସନ୍ତ ନାୟକ ସ୍ଵରୂପକୁ ‘ଯାହାକୁ ରଖିବେ ଅନନ୍ତ’ରେ ସେଭଳି ଏକ ଝିଅ ବିଦାୟୀ ଗୀତ ରଖିବା ଲାଗି ପରାମର୍ଶ ଦେଇଥିଲେ। କଥାଟା ସ୍ଵରୂପଙ୍କ ମନକୁ ବି ପାଇଲା।

ତା’ ପରେ ସ୍ଵରୂପ ନାୟକ ଗୀତର ମୁଖୁଡ଼ାଟା କଣ ରଖିବେ ବୋଲି ପ୍ରଥମେ ଭାବିଲେ। ତାଙ୍କ ମନକୁ ଆସିଲା ‘ଏ ଅଗଣା ଏ ଘର ଏ ଦାଣ୍ଡଦୁଆର, ମତେ କଲା ପର ଟୋପାଏ ସିନ୍ଦୁର…’। ସେ ସାଙ୍ଗେ ସାଙ୍ଗେ ଗୀତର ଟ୍ୟୁନ୍ ମଧ୍ୟ କରିଦେଲେ। ସ୍ଵରୂପ ଟ୍ୟୁନ୍ ସୋ ମ୍ୟାନ୍ ବସନ୍ତ ନାୟକଙ୍କୁ ଜଣାଇଥିଲେ। ବସନ୍ତକୁ ସ୍ଵର ଓ ଲେଖା ବହୁତ ଭଲ ଲାଗିଲା। ସେ ତତ୍‌କ୍ଷଣାତ୍ ଗୀତକୁ ଓକେ କରିଥିଲେ।

ତା’ ପରେ ସ୍ଵରୂପ ନାୟକ ଗୀତର ଅନ୍ତରା ପଦଗୁଡ଼ିକ ଲେଖିଥିଲେ ଓ ଟ୍ୟୁନ୍ ମଧ୍ୟ କରିଥିଲେ। ଏହି ଗୀତଟିକୁ ପ୍ରଖ୍ୟାତ କଣ୍ଠଶିଳ୍ପୀ ତୃପ୍ତିଦାସଙ୍କ କଣ୍ଠରେ ରେକର୍ଡ କରାଯିବାର ସ୍ଥିର ହୋଇଥିଲା। ଏହି ଗୀତରେ ବାପା ଗାଉଥିବା ଅଂଶରେ ଗାଇବା ଲାଗି  ସ୍ଵରୂପ ନାୟକ ଗାୟକ ବଦଶ୍ୟାମ ପଣ୍ଡାଙ୍କୁ ଦେବାଲାଗି ଠିକ୍ କରିଥିଲେ, ହେଲେ ସେତେବେଳେ ସେ ଆମେରିକା ଗସ୍ତରେ ଥିଲେ। ତା’ ପରେ କାହାକୁ ନେଇ ରେକର୍ଡିଂ କରିବେ ବୋଲି ଠିକ୍ କରିପାରିନଥିବା ବେଳେ ବସନ୍ତ ନାୟକ ନିଜେ ସ୍ଵରୂପ ଗାଆନ୍ତୁ ବୋଲି କହିଥିଲେ। ତା’ ପରେ ନିଜେ  ସ୍ଵରୂପ ନାୟକ ସେଥିରେ କଣ୍ଠଦାନ କରିଥିଲେ। ଫିଲ୍ମ ରିଲିଜ୍ ହେବା ପରେ ଏହି ଗୀତକୁ ମିଳିଥିଲା ସର୍ବାଧିକ ଲୋକପ୍ରିୟତା।

‘ଯାହାକୁ ରଖିବେ ଅନନ୍ତ’ରେ ଥିବା ଏହି ଗୀତରେ ଅପରାଜିତା ଝିଅ ଓ ପୃଥୀ ରାଜ୍ ବାପା ଭୂମିକାରେ ଅଭିନୟ କରିଥିଲେ। ଏଥିରେ ଉତ୍ତମ ମହାନ୍ତି ନାୟକ ଓ ବିଜୟ ମହାନ୍ତି ଖଳନାୟକ ଭୂମିକାରେ ନଜର ଆସିଥିଲେ।

Comment