ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡିଶା ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଉଛି। ଅନ୍ୟ ଅଧିବେଶନ ଅପେକ୍ଷା ଏହି ଅଧିବେଶନ ଅଧିକ ସରଗରମ ହେବାର ସମ୍ଭାବନା ରହିଛି।

ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଉଭୟ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଅନେକ ଗୁଡିଏ ପ୍ରସଙ୍ଗ ଉପରେ ସରକାରଙ୍କ ଉପରେ ଜୋରଦାର ହମଲା କରିବା ସ୍ପଷ୍ଟ ଦେଖାଯାଉଛି।

ବିଜେପୁର ଉପନିର୍ବାଚନରେ ଶାସକ ବିଜେଡି ଖୁବ୍ ଅଧିକ ସଂଖ୍ୟକ ଭୋଟରେ ବିଜୟୀ ହେବାପରେ ଏହି ଅଧିବେଶନ ଅନୁଷ୍ଠିତ ହେଉଛି।

ଏଣୁ କେନ୍ଦ୍ରରେ ୪ବର୍ଷର ମୋଦି ସରକାର ଉପରେ ବିଜେଡି ତାର ଆକ୍ରମଣକୁ ଆହୁରି ଜୋରଦାର କରିବା ନିଶ୍ଚିତ।

ଯେଉଁ ସବୁ ପ୍ରତିଶ୍ରୁତିକୁ କେନ୍ଦ୍ର ସରକାର ପାଳନ କରିବାରେ ବିଫଳ ହୋଇଛନ୍ତି ସେ ସବୁକୁ ଶାସକ ଦଳର ବିଧାୟକମାନେ ସାମ୍ନାକୁ ଆଣିବେ। ତାଛଡ଼ା ଶାସକ ଦଳ ଗୃହରେ ପୁରୁଣା କଥା ବି ଉଠାଇବା ପାଇଁ ଚେଷ୍ଟା କରିବେ।

ସ୍ଵତନ୍ତ୍ର ପାହ୍ୟାଠାରୁ ଆରମ୍ଭ କରି କେନ୍ଦ୍ର ଅବହେଳା ଓ ଧାନର ନ୍ୟୁନତମ ମୂଲ୍ୟ ପ୍ରସଙ୍ଗ ଉପରେ ଢ଼େର ଆତସବାଜି ହୋଇପାରେ।

ଅନ୍ୟ ଏକ ତାଜା ପ୍ରସଙ୍ଗ ହେଉଛି ପୂର୍ବତଟ ରେଳ ଅଧୀନରେ ଆଉ ତିନିଟି ଡିଭିଜନ ଖୋଲିବା ସଂକ୍ରାନ୍ତ ଓଡ଼ିଶାର ଦାବିକୁ କେନ୍ଦ୍ର ଅଗ୍ରାହ୍ୟ କରିବା। ଏ ନେଇ ଗୃହରେ ହଟ୍ଟଗୋଳ ହେବା ନିଶ୍ଚିତ।

“ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ବ୍ୟାରେଜ୍ ନିର୍ମାଣକୁ ବିରୋଧ କରିବା ସହ ଓଡିଶା ସରକାର ଏହାକୁ ବନ୍ଦ କରିବା ପାଇଁ ଦାବି କରିଥିଲେ।କେନ୍ଦ୍ର ସରକାର ଟ୍ରିବୁନାଲ ଗଠନରେ ମଧ୍ୟ ଢ଼େର ବିଳମ୍ବ କରିଛନ୍ତି। ମହାନଦୀ ପ୍ରସଙ୍ଗ ବ୍ୟତୀତ ପୋଲାଭରମ ମଧ୍ୟ ଅନ୍ୟ ଏକ ପ୍ରସଙ୍ଗ ଯାହାକୁ ନେଇ ବିଜେଡି ବିଧାୟକମାନେ କେନ୍ଦ୍ରକୁ ଟାର୍ଗେଟ କରିବେ,” କହିଛନ୍ତି ଶାସକ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ।

ସୋମବାର ଦିନ ବିଜେଡି ବିଧାୟକ ଦଳର ବୈଠକ ବସୁଛି।ଏଥିରେ ବିଧାନସଭା ବଜେଟ ଅଧିବେଶନର ରଣନୀତି ପ୍ରସ୍ତୁତ ହେବ। “ରାଜ୍ୟରେ ପାନୀୟ ଜଳର ଅଭାବ, ଗ୍ରାମାଞ୍ଚଳରେ ଡାକ୍ତର ଓ ଶିକ୍ଷକ ଅଭାବ ତଥା ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଉପରେ ତାଙ୍କ ଦଳ ସରକାରଙ୍କୁ ଘାଣ୍ଟିବ।ରାଜ୍ୟର ବିଭିନ୍ନ ସ୍ଥାନରେ ଶିକ୍ଷକ ପଦବୀ ପୂରଣ ହେଉନଥିବାରୁ ଏବଂ ସ୍କୁଲ ଗୃହ ଗୁଡିକ ନିରାପଦ ନଥିବା କାରଣରୁ ଶିକ୍ଷା ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ ହୋଇପଡିଛି। ଚାଷୀ ମାନେ ରାଜରାସ୍ତାକୁ ଓଲ୍ହାଇଥିଲେ। ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ସରକାର ସେମାନଙ୍କ କଥା ଶୁଣୁନାହାନ୍ତି।ରାଜ୍ୟରେ ଧନୀ ଓ ଗରିବ ଲୋକମାନଙ୍କ ମଧ୍ୟରେ ଅର୍ଥନୈତିକ ଦୂରତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସରକାର ଏହାକୁ ଅଣଦେଖା କରି ଆସୁଛନ୍ତି” କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥି ପାଇଁ ଦାୟୀ ବୋଲି କହିବା ସହ ଏହି ପ୍ରସଙ୍ଗ ମଧ୍ୟ କଂଗ୍ରେସ ଗୃହରେ ଉତ୍ଥାପନ କରିବ।ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ହୋଇଥିବା ବେଳେ ରାଜ୍ୟ ସରକାର ଏ ଦିଗରେ କୌଣସି ପ୍ରକାର ପଦକ୍ଷେପ ନେଉଛନ୍ତି ତାହା ଦେଖା ଯାଉ ନାହିଁ ବୋଲି ସେ କହିଛନ୍ତି।

ମହାନଦୀ,ରେଳ ଆଦି ପ୍ରସଙ୍ଗରେ ଯେଉଁ ସର୍ବଦଳୀୟ କମିଟି ଗଠିତ ହୋଇଥିଲା ଅଥଚ ସେ ଗୁଡିକ ନିଷ୍କ୍ରିୟ ହୋଇ ରହିଛି ବୋଲି ସେ କହିଛନ୍ତି।ଏଣୁ ବଜେଟ ଅଧିବେଶନରେ ଏ ସବୁ କଥା କଂଗ୍ରେସ ପକ୍ଷରୁ ଉଠିବ।

ଏଣେ ବିଜେପି ବିଧାୟକ ଦଳ ବୈଠକ ମଧ୍ୟ ସୋମବାର ଦିନ ଅନୁଷ୍ଠିତ ହେବ। “ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ତାଙ୍କ ଦଳ ସରକାରଙ୍କୁ ଟାର୍ଗେଟ କରିବ। ରାଜନୈତିକ ଉଦେଶ୍ୟ ରଖି ଆଦିବାସୀ ପରିଷଦ ଗଠନ ହୋଇଥିବାରୁ ଏହାକୁ ବିଜେପି ଏକ ବଡ଼ ପ୍ରସଙ୍ଗ କରିବ। ତା’ଛଡା ଚାଷୀଙ୍କ ପ୍ରତି ସରକାରଙ୍କ ଅବହେଳା ମଧ୍ୟ ଆଉ ଏକ ମୁଖ୍ୟ ପ୍ରସଙ୍ଗ ହେବ,” କହିଛନ୍ତି  ବିଜେପି ଦଳର ସମ୍ପାଦକ ରବି ନାରାୟଣ ନାୟକ।

Comment