ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବିଜେଡି ଉଠାଇବ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ
  • ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାରିତା ପ୍ରସଙ୍ଗ ବି ଉଠିବ
  • ଚାଷୀ ଆତ୍ମହତ୍ୟାକୁ ଅସ୍ତ୍ର କରିବେ ବିରୋଧୀ
  • ମାର୍ଚ୍ଚ ୨୩ରେ ବଜେଟ୍

ମଙ୍ଗଳବାରଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଶେଷ ହେବାକୁ ଥିବା ଅଧିବେଶନ ଏଥର ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ୍ ରହିବ। ଏନେଇ ତିନି ପ୍ରମୁଖ ଦଳ ପ୍ରସ୍ତୁତ କରିଛନ୍ତି ରଣନୀତି। ବିଜେଡି କେନ୍ଦ୍ର ଅବହେଳାକୁ ମୁଖ୍ୟ ଅସ୍ତ୍ର କରିବା ପାଇଁ ଷ୍ଟ୍ରାଟେଜି ତିଆରି କରିଥିବା ବେଳେ ବିରୋଧୀ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିବେ। ଏଥିପାଇଁ ବିଭିନ୍ନ ଦଳର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।

ବଜେଟ୍ ଅଧିବେଶନରେ ବିରୋଧୀ ଦଳଙ୍କୁ କେମିତି ମୁକାବିଲା କରାଯିବ ସେନେଇ ଆଜି ବସିଥିଲା ବିଜେଡି ବିଧାୟକ ଦଳର ବୈଠକ। ଏଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାରିତା, ପୋଲାଭରମ୍ ପ୍ରସଙ୍ଗ ଏବଂ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି। ଏହାସହ କୃଷି ଏବଂ କୃଷକଙ୍କ ସ୍ୱାର୍ଥ ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ ବିଜେଡି ସ୍ଥିର କରିଛି।

“ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ବିଭିନ୍ନ କଥା ଉଠାଯିବ। ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବିଠାରୁ ପୋଲାଭରମ ପ୍ରସଙ୍ଗ ବିଧାନସଭାରେ ଉଠାଯିବ। ବିରୋଧୀ ଦଳଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିପରି ବିଧାନସଭାରେ ଶାସକ ଦଳକୁ ଘେରିବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି ବିଜେପି। ଚାଷୀ ଆତ୍ମହତ୍ୟା, ଇନପୁଟ ସବ୍‌ସିଡ୍‌, ପାନୀୟ ଜଳ ଯୋଗାଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗକୁ ବିଜେପି ଉଠାଇବା ପାଇଁ ନିଷ୍ପତ୍ତି ହୋଇଛି। ବିଧାୟକ ଦଳ ବୈଠକ କନକ ବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ଶାସକ ଦଳକୁ ଘେରିବା ପାଇଁ ନିଷ୍ପତ୍ତି ହୋଇଛି। ବିଜେପି ବିଧାୟକ ଦଳ ବୈଠକରେ ୬ ଜଣ ବିଧାୟକ ଉପସ୍ଥିତ ଥିଲେ।

ବିଧାୟକ ଦିଲ୍ଲୀପ ରାୟ, ବିଭୁତି ହରିଚନ୍ଦନ, ଗୋବିନ୍ଦ ଦାସ, ଦୁର୍ଯ୍ୟୋଧନ ମାଝି ଅନୁପସ୍ଥିତ ଥିଲେ।

“ଚାଷୀ ଆତ୍ମହତ୍ୟା ଲାଗି ରହିଛି। ଚାଷୀ ଆତ୍ମହତ୍ୟା ରୋକିବା ପାଇଁ କେନ୍ଦ୍ର ସରକାର ଇନପୁଟ୍ ସବସିଡ୍ ଟଙ୍କା ଦେଇଥିଲେ ମଧ୍ୟ ଚାଷୀଙ୍କୁ ତାହା ମିଳିନି। ଶସ୍ୟ ବୀମା ଟଙ୍କା ମଧ୍ୟ ଚାଷୀଙ୍କୁ ମିଳିନି”, କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।

ଶାସକ ଦଳକୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ମଧ୍ୟ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଚାଷୀ ଆତ୍ମହତ୍ୟା, ଦୁର୍ନୀତି, ଧାନ ମୂଲ୍ୟ ବୃଦ୍ଧି, ପାନୀୟ ଜଳ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ। ଏନେଇ ଗତ ସପ୍ତାହରେ ହୋଇଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି।

“ଚାଷୀ ଆତ୍ମହତ୍ୟା, ଦୁର୍ନୀତି ଏବଂ ବାର୍ଦ୍ଧକ୍ୟ ଭତ୍ତା ୧୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ବିଧାନସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ”, କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି।

ମାର୍ଚ୍ଚ ୨୦ରୁ ଆରମ୍ଭ ହେଉଥିବା ଅଧିବେଶନ ମେ ୫ ପର୍ଯ୍ୟନ୍ତ ଚାଲିବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଚାଲିବ। ମାର୍ଚ୍ଚ ୩୧ରେ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ ହେବ। ଏପ୍ରିଲ ୧୧ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମେ ୫ ଯାଏଁ ଚାଲିବ।

Comment